ନୂଆଦିଲ୍ଲୀ,୩୦/୦୧: ଭାରତୀୟ ଅଲିମ୍ପିକ୍ ଆସୋସିଏସନର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସଦସ୍ୟ ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି। ପରିବାର ପକ୍ଷରୁ ଶ୍ରୀନିବାସନଙ୍କ ମୃତ୍ୟୁ ଘୋଷଣା କରାଯାଇଛି । ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସୂତ୍ର ଅନୁସାରେ ଶ୍ରୀନିବାସନ ଶୁକ୍ରବାର ସକାଳେ ତାଙ୍କ ବାସଭବନରେ ଚେତାଶୂନ୍ୟ ପଡ଼ିଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିଛି ଦିନ ତଳେ ପିଟି ଉଷାଙ୍କ ପୁଅ ବାହାଘର ହୋଇଥିଲା । ଘରକୁ ବୋହୂ ଆଣିଥିଲେ ଶ୍ରୀନିବାସନ । ହସଖୁସିର ପରିବାରରେ ଏବେ ଦୁଃଖର ପାହାଡ଼ ଭୁଶୁଡ଼ି ପଡିଛି । ଦୁଃଖ ସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଉଷାଙ୍କ ଜୀବନ ଏବଂ କ୍ୟାରିୟରେ ଥିଲା ଭୂମିକା- ୧୯୯୧ରେ ପିଟି ଉଷା ଏବଂ ଶ୍ରୀନିବାସନଙ୍କ ବିବାହ ହୋଇଥିଲା । ଶ୍ରୀନିବାସନ ପୋନାନିର ଭେଙ୍ଗାଲି ଥରାଭାଡର ବାସିନ୍ଦା ଥିଲେ । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ ଶ୍ରୀନିବାସନ । ସେ ପି.ଟି. ଉଷାଙ୍କ ଚମତ୍କାର କ୍ରୀଡା କ୍ୟାରିୟରଠାରୁ ଆରମ୍ଭ କରି ରାଜନୈତିକ ଯାତ୍ରା ପର୍ଯ୍ୟନ୍ତ ସବୁଥିରେ ତାଙ୍କ ପାଖରେ ଠିଆ ହୋଇଥିଲେ । ଉଷାଙ୍କ ପାଇଁ ଏକ ଦୃଢ଼ ସମର୍ଥକ ଏବଂ ତାଙ୍କ ଅନେକ ବୃତ୍ତିଗତ ସଫଳତା ପଛରେ ପ୍ରେରଣାଦାୟକ ଶକ୍ତି ଭାବରେ ବିବେଚନା କରାଯାଉଥିଲା । ପି.ଟି. ଉଷା ଏବଂ ଭି. ଶ୍ରୀନିବାସନଙ୍କର ଉଜ୍ଜ୍ୱଳ ନାମକ ଏକ ପୁଅ ଅଛି । କିଛି ମାସ ତଳେ ଉଜ୍ୱଳଙ୍କ ବାହାଘର ହୋଇଥିଲା ।
"ଉଡ଼ନ୍ତା ପରୀ" ଭାବରେ ଜଣାଶୁଣା ପିଟି ଉଷା ଭାରତୀୟ କ୍ରୀଡା ଇତିହାସର ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ । ଏହି ବ୍ୟକ୍ତିଗତ କ୍ଷତି କେବଳ ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପ୍ରିୟଜନଙ୍କ ପାଇଁ ମଧ୍ୟ ଗଭୀର ଦୁଃଖଦାୟକ । ପିଟି ଉଷା ଭାରତୀୟ ଆଥଲେଟିକ୍ସର ଜଣେ ମହାନ୍ ସ୍ପ୍ରିଣ୍ଟର । ତାଙ୍କୁ 'ପାୟୋଲି ଏକ୍ସପ୍ରେସ୍' ଏବଂ 'ଗୋଲ୍ଡେନ୍ ଗାର୍ଲ' ବୋଲି କୁହାଯାଏ । ସେ ଏସୀୟ କ୍ରୀଡ଼ା ଏବଂ ଚାମ୍ପିଅନସିପରେ ଅନେକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯୮୪ରେ ଲସ୍ ଏଞ୍ଜେଲସ୍ ଅଲିମ୍ପକ୍ସରେ ୪୦୦ ମିଟର ଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଥିଲେ । ଜଣେ ଖେଳାଳି, ପ୍ରଶିକ୍ଷକ ସର୍ବୋପରି ଜଣେ ପତ୍ନୀଙ୍କର ଏପରି ଦୁଃଖ ସମୟରେ ପ୍ରଶଂସକ ଏବଂ ଜନସାଧାରଣ ତାଙ୍କୁ ସୋସିଆଲ ମିଡିଆରେ ସାହସ ଏବଂ ଧୌର୍ଯ୍ୟ ଧରିବାକୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଶୋକ- ପିଟି ଉଷାଙ୍କ ସ୍ୱାମୀଙ୍କ ଦେହାନ୍ତକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସରେ ସେ ଲେଖିଛନ୍ତି, '' ଏହି କଷ୍ଟକର ସମୟରେ ଶୋକସନ୍ତପ୍ତ ପରିବାରକୁ ମୋର ସମବେଦନା । ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ।'' କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ ମଧ୍ୟ ଭି. ଶ୍ରୀନିବାସନଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏକ ପୋଷ୍ଟରେ ସେ କହିଛନ୍ତି, "ରାଜ୍ୟସଭା ସାଂସଦ ଏବଂ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ପି.ଟି. ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ବିୟୋଗ ବିଷୟରେ ଜାଣି ମର୍ମାହତ । ପି.ଟି. ଉଷା ଏବଂ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଏହି କଷ୍ଟକର ସମୟରେ ସେମାନଙ୍କୁ ସାହସ ଦେବା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।"
ଏହା ବି ପଢନ୍ତୁ...ବାଂଲାଦେଶ ବିଶ୍ବକପରୁ ବାଦ ପଡ଼ିବା ଘଟଣା : ICC ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର