କଟକ, ୧୧/୦୮: ପାର୍ବଣ ପାଇଁ ଯଦି  କେହି ଜବରଦସ୍ତ ଟଙ୍କା ମାଗୁଛି ତାହାଲେ  କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେ’କ୍ଲବ୍‌ କିମ୍ବା ପୂଜା କମିଟିର କର୍ମକର୍ତ୍ତା ହୁଅନ୍ତୁ ନଚେତ ଅସାମାଜିକ ଯୁବକ,ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ।-ଏଭଳି  କିଛି କଡ଼ା ଆଭିମୁଖ୍ୟ ଦେଖାଇଛି କଟକ ପୁଲିସ । ଗଣେଶ ପୂଜାକୁ ମାତ୍ର ତିନି ସପ୍ତାହ ବାକିଥିବା ବେଳେ ଏବେଠୁ ଅସାମାଜିକ ଯୁବକ  ଓ ଅମାନିଆ କମିଟିକୁ ସାବାଡ଼ କରିବାକୁ ପୁଲିସ ଏଭଳି ନୀତି ଆପଣାଇଛି । ଏନେଇ କଟକ  ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ୍‌ ନମ୍ବର  ଖୁବ୍‌ଶୀଘ୍ର ଜାରି କରାଯିବ ବୋଲି ସୂଚନା  ମିଳିଛି । 

ଆସନ୍ତା ୨୭ ତାରିଖ ଗଣେଶ ପୂଜାରୁ  କଟକରେ ପାର୍ବଣ ଋତୁ ଆରମ୍ଭ ହେଉଛି । ଗଣେଶ ସହିତ ଖୁଦୁରୁକୁଣୀ ଓ ବିଶ୍ୱକର୍ମା  ପୂଜା ମଧ୍ୟ ହେବ। ପରେ ପରେ ଦଶହରା, କାଳୀପୂଜା ଓ କାର୍ତ୍ତିକେଶ୍ୱର ପୂଜାରେ ପାର୍ବଣର  ପର୍ବ ଶେଷ ହେବ । ତେବେ ପାର୍ବଣରେ  କଟକରେ ଅସାମାଜିକ ଯୁବକ, ଅପରାଧୀ ଦାଦାବଟି ମାଗିବା କିଛି ନୂଆ ଘଟଣା ନୁହେଁ । କିଛି ବର୍ଷ ପୂର୍ବରୁ ଏଭଳି ଦାଦାବଟି ମାଗିବା ଓ  ପୂଜା ପାଇଁ ଟଙ୍କା ନେବାକୁ ଜୁଲମ କରିବାରୁ ପୁଲିସ ମଧ୍ୟ ତତ୍ପରତା ଦେଖାଇଥିଲା । ଏଥିପାଇଁ  କଟକ ପୁଲିସ ମଧ୍ୟ ବଟି ରୋକିବା ପାଇଁ  କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲା । ପେସାଦାର ଅପରାଧୀଙ୍କୁ ଗିରଫ କରି ଜେଲ୍‌ରେ ପୁରାଇବା  ସହିତ ଅସାମାଜିକ ଯୁବକଙ୍କୁ ଥାନାକୁ ଡାକି  ତାଗିଦ୍‌ କରିଥିଲା । ପରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଲୋକଙ୍କଠାରୁ ଅଭିଯୋଗ ପାଇ  ବହୁ ଅପରାଧୀଙ୍କୁ ଗିରଫ କରାଯାଇଥିଲା ।  ଏପରିକି କିଛି ବ୍ୟବସାୟୀକ ପ୍ରତିଷ୍ଠାନରୁ  ଅଭିଯୋଗ ପାଇବା ପରେ ବହୁ ପୂଜା କମିଟି  କର୍ମକର୍ତ୍ତା ଓ କ୍ଲବ୍‌ କର୍ମକର୍ତ୍ତା ବି ଗିରଫ  ହୋଇଥିଲେ । 

ଚଳିତ ବର୍ଷ ମଧ୍ୟ ପୁଲିସ ଠିକ୍‌ ସେହି ଢଙ୍ଗରେ କାମ କରିବାକୁ ନିଷ୍ପତ୍ତି ନେଇଛି । ପୂଜା ପାଇଁ ଯଦି କେହି ଜବରଦସ୍ତ  ଟଙ୍କା ମାଗନ୍ତି ତାହାଲେ ପୁଲିସକୁ ଜଣାଇବାକୁ  କୁହାଯାଇଛି । ଖାସ୍‌କରି କୌଣସି ବାସଗୃହରେ  ଯଦି ପୂଜା ନାଁରେ କେହି ଜବରଦସ୍ତ ଟଙ୍କା  ମାଗିବାକୁ ଉଦ୍ୟମ କରନ୍ତି ତାହାଲେ କଡ଼ା  କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଏନେଇ ଏକ ସ୍ୱତନ୍ତ୍ର ଫୋନ୍‌ ନମ୍ବର  ମଧ୍ୟ ପୁଲିସ ଜାରି କରିବ । କେବଳ ସେହି  ନମ୍ବର ନୁହେଁ, ସ୍ଥାନୀୟ ପୁଲିସ ଥାନା କିମ୍ବା ୧୧୨  ନମ୍ବରରେ ମଧ୍ୟ ଅଭିଯୋଗ କରାଯାଇପାରିବ ।  ପୂଜା ବେଳେ ଚାନ୍ଦା ଓ ବଟିକୁ ପୁଲିସର ଶୂନ୍ୟ ସହନଶୀଳତା ରହିଛି । ଏହାକୁ ଚଳିତ ବର୍ଷ  ମଧ୍ୟ ବଳବତ୍ତର ରଖାଯିବ । ଜବରଦସ୍ତ  ଚାନ୍ଦା ମାଗିଲେ କିମ୍ବା ବଟି ଆଦାୟ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଡିସିପି  ଖିଲାରୀ ରିଷିକେଶ ଦ୍ୟାନ୍‌ଦେଓ ସୂଚନା  ଦେଇଛନ୍ତି । 

ତେବେ ‘ଦାଦାବଟିକୁ ନାଁ’ ଭଳି ଏକ ଯୋଜନା ଅନୁସାରେ ତ ୨୦୨୦ରେ ଟୁଇନ୍‌ସିଟି  ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ମାତ୍ର ୫ ବର୍ଷ ପରେ ବର୍ତ୍ତମାନ  ସେହି ନମ୍ବର କାମ କରୁନି । ସେହି ନମ୍ବରକୁ  ମଧ୍ୟ ଟୁଇନ୍‌ସିଟି ପୁଲିସ କମିସନରେଟ୍‌ ପକ୍ଷରୁ ପୂନର୍ବାର କାର୍ଯ୍ୟକାରୀ କରାଗଲେ ଦୁଇ ସହରରେ ବଟି ଘଟଣା ବହୁମାତ୍ରାରେ କମିପାରିବ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।