କେନ୍ଦୁଝର ସଦର, ୪।୪: କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରେ ଶୋଚନୀୟ ଘଟଣା । ପଦ୍ମପୁର କଲେଜ ଛକ ନିକଟରେ ଏକ ଚଳନ୍ତା ବାଇକରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି । ସୌଭାଗ୍ୟବଶତଃ ଚାଳକ ଜଣକ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ଶନିବାର ସକାଳୁ ନିଜ ପଲସର ବାଇକ୍ ଯୋଗେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିଲେ । ପୂବାହ୍ନ ପ୍ରାୟ ୧୧ଟା ୨୫ ମିନିଟ୍ ସମୟରେ ସେ କେନ୍ଦୁଝର ପଦ୍ମପୁର କଲେଜ ଛକ ଅତିକ୍ରମ କରୁଥିବା ବେଳେ ବାଇକରୁ ଧୂଆଁ ବାହାରୁଥିବା ଦେଖିଥିଲେ । ବିପଦକୁ ଆକଳନ କରି ଯୁବକ ଜଣକ ତୁରନ୍ତ ଗାଡ଼ିକୁ ରାସ୍ତା କଡ଼ରେ ରଖି ଷ୍ଟାଣ୍ଡ ମାରୁଥିବାବା ବେଳେ ହଠାତ୍ ବାଇକରେ ନିଆଁ ଲାଗିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପୂରା ବାଇକଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ।
ଏହା ବି ପଢ଼ନ୍ତୁ... ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା, ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି
ସ୍ଥାନୀୟ ଲୋକେ ଏବଂ ଚାଳକ କିଛି କରିବା ପୂର୍ବରୁ ହିଁ ଗାଡ଼ିଟି ପାଉଁଶ ହୋଇଯାଇଥିଲା । ତେବେ ଠିକ୍ ସମୟରେ ଯୁବକ ଜଣକ ଗାଡ଼ିରୁ ଓହ୍ଲାଇ ପଡ଼ିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାନ୍ତ୍ରିକ ତ୍ରୁଟି କିମ୍ବା ଶର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।