ମୁମ୍ବାଇ,୨୩/୫: IPL ୨୦୨୬ର ୬୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ୱିକେଟରେ ପରାସ୍ତ କରି ପ୍ଲେ ଅଫ୍ ପହଞ୍ଚିବାର ଆଶା ଉଜ୍ଜୀବିତ ରଖିଛି । ଇକାନା ଷ୍ଟାଡିୟମରେ ପଞ୍ଜାବର ପ୍ରଭାବଶାଳୀ ବିଜୟରେ ଅଧିନାୟକ ଶ୍ରେୟସ ଅୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରେୟସ ୫୧ବଲରେ ତାଙ୍କ IPL କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।

ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୯୬ରନ୍ କରିଥିଲା । ଜବାବରେ ପଞ୍ଜାବ ୧୮ଓଭରରେ ଲକ୍ଷ୍ୟକୁ ପିଛା କରିଥିଲା । ଅଧିନାୟକ ଶ୍ରେୟସ ଅୟର ଏକ ମ୍ୟାଚ୍ ବିଜୟୀ ଛକା ମାରି ପଞ୍ଜାବର ବିଜୟ ସୁନିଶ୍ଚିତ କରିଥିଲେ । ପଞ୍ଜାବ କିଙ୍ଗ୍ସ ତା’ର ସମସ୍ତ ୧୪ଟି ଲିଗ୍ ମ୍ୟାଚ୍ ଖେଳିସାରିଛି ଏବଂ ଏବେ ତା‘ର ୧୫ପଏଣ୍ଟ ହୋଇଯାଇଛି । ସେମାନଙ୍କର ନେଟ୍ ରନ୍ ରେଟ୍ +୦.୩୦୯ ହୋଇଯାଇଛି । ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପଞ୍ଜାବକୁ ଆସନ୍ତାକାଲିର ମ୍ୟାଚ୍ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡିବ । ପଞ୍ଜାବକୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରାଜସ୍ଥାନ ରୟାଲ୍ସ ପରାଜୟ ପାଇଁ ଆଶା କରିବାକୁ ପଡିବ । ତା'ପରେ, ସେମାନଙ୍କୁ ଆଶା କରିବାକୁ ପଡ଼ିବ ଯେ ଯଦି କୋଲକାତା ନାଇଟ୍ ରାଇର୍ଡ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରେ ତେବେ ସେମାନଙ୍କର ବିଜୟ ବଡ଼ ବ୍ୟବଧାନରେ ହେବ ନାହିଁ।

ଲକ୍ଷ୍ନୌ ଲାଗି ଜୋଶ୍ ଇଂଲିଶ ୪୪ବଲରେ ୭୨ରନର ତୁଫାନୀ ପାଳି ଖେଳିଥିଲେ । ସେହିଭଳି ଆୟୁଷ ବଦୋନୀ ୧୮ବଲରେ ୪୩ରନର ଧୂଆଁଧାର ମ୍ୟାଚ୍ ଖେଳିଥିଲେ । ଶେଷରେ ଅବ୍ଦୁଲ ସମଦ ୨୦ବଲରେ ୩୭ରନ୍ କରି ନଟଆଉଟ ରହିଥିଲେ । ସେ ଲକ୍ଷ୍ନୌକୁ ୧୯୬ରନ୍ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପରା ଜାଏଣ୍ଟ୍ସର ଆରମ୍ଭ ଭଲ ନ ଥିଲା । ମିଚେଲ ମାର୍ଶଙ୍କ ସ୍ଥାନରେ ଓପନିଂ କରିବାକୁ ଆସିଥିବା ମହାରାଷ୍ଟ୍ରର ବିସ୍ଫୋଟକ ବ୍ୟାଟର ଅର୍ଶିନ କୁଲକର୍ଣ୍ଣି ଖାତା ଖୋଲିପାରିନଥିଲେ । ଏହାପରେ ୩ନମ୍ବରରରେ ଆସିଥିବା ନିକୋଲସ ପୂରନ ବି କେବଳ ୨ରନ୍ କରି ପାଭିଲିୟନ ଫେରିଥିଲେ । ଆରମ୍ଭ ସମ୍ପୂର୍ଣ୍ଣ ଭାବେ ଖରାପ ଥିଲା । କିନ୍ତୁ ଆୟୁଷ ବଦୋନୀ ଏବଂ ଜୋଶ ଇଂଲିଶ ଖେଳର ମାହୋଲକୁ ବଦଳାଇଦେଇଥିଲେ । ଆୟୁଷ ବଦୋନୀ କେବଳ ୧୮ବଲରେ ୪୩ରନର ଧୂଆଁଧାର ପାଳି ଖେଳିଥିଲେ । ତାଙ୍କ ବ୍ୟାଟରୁ ୫ଚୌକା ଏବଂ ୩ଛକ୍କା ବାହାରିଥିଲା । ଅଧିନାୟକ ଋଷଭ ପନ୍ତ ୨୨ବଲରେ ୨୬ରନ କରିଥିଲେ । ସେ ୩ଚୌକା ଲଗାଇଥିଲେ । ଜୋଶ ଇଂଲିଶ ୭୨ରନର ତୁଫାନୀ ପାଳିରେ ୯ଚୌକା​‌ ଏବଂ ଦୁଇଟି ଛକା ଯୋଡ଼ିଥିଲେ । ଶେଷରେ ପୁଣି ଥରେ ଲକ୍ଷ୍ନୌର ପାଳି ଥମି ଯାଇଥିଲା । ଅବ୍ଦୁଲ ସମଦ ୨୦ବଲରେ ୩୭ରନର ପାଳି ଖେଳି ଟିମର ସ୍କୋର ୨୦୦ପାଖାପାଖି ପହଞ୍ଚାଇ ଦେଇଥିଲେ । ସମଦ ୩ଚୌକା ଏବଂ ୩ଛକା ମାରିଥିଲେ । ​‌