ନୂଆଦିଲ୍ଲୀ: ଉଭୟ ଚଳିତବର୍ଷର ଖେଳୁଛନ୍ତି ଅନ୍ତିମ ଲିଗ୍ ମ୍ୟାଚ୍ । ଲକ୍ଷ୍ନୌ-ପଞ୍ଜାବ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର । କର ବା ମର ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ପଞ୍ଜାବ । ଲକ୍ଷ୍ନୌକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।
ଲକ୍ଷ୍ନୌ ଅନ୍ତିମ ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ଦଳ ପ୍ଲେଅଫରୁ ବାଦ୍ ପଡ଼ିସାରିଛି । ପଞ୍ଜାବ ପାଇଁ ପ୍ଲେ- ଅଫ୍ରେ ପହଞ୍ଚିବାର ସୁଯୋଗ ରହିଛି । ଆଜି ବିଜୟ ହାସଲ କଲେ ପଞ୍ଜାବର ପଏଣ୍ଟ ୧୫ରେ ପହଞ୍ଚିବ । ତଥାପି ରାଜସ୍ଥାନର ଅନ୍ତିମ ମ୍ୟାଚକୁ ଅପେକ୍ଷା କରିବାକୁ ପଡ଼ିବ । ରାଜସ୍ଥାନ ୧୩ଟି ମ୍ୟାଚରୁ ୧୪ ପଏଣ୍ଟ ଅର୍ଜନ କରି ସାରିଛି । ରବିବାର ହେବାକୁ ଥିବା ମୁମ୍ବାଇ ବିପକ୍ଷ ଅନ୍ତିମ ମ୍ୟାଚ ଜିତିଲେ ରାଜସ୍ଥାନ ଚତୁର୍ଥ ଦଳ ଭାବେ ପ୍ଲେ- ଅଫରେ ପ୍ରବେଶ କରିବ । ପରାଜିତ ହେଲେ ପଞ୍ଜାବ ପ୍ଲେ-ଅଫ୍ରେ ପହଞ୍ଚି ଯିବ । ପଞ୍ଜାବ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି ।
କ୍ରମାନ୍ୱୟରେ ୬ଟି ମ୍ୟାଚ ପରାଜିତ ହେବା ପରେ ପଞ୍ଜାବର ମନୋବଳ ମଧ୍ୟ ହ୍ରାସ ପାଇଛି । ଆଜି ସବୁ ଶକ୍ତି ଏକଜୁଟ କରି ପଞ୍ଜାବକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । କୌଣସି ବିଭାଗରେ ସେଭଳି ସମସ୍ୟା ନଥିଲେ ମଧ୍ୟ ରଣନୀତି ଓ ସଠିକ୍ ସମୟରେ ଉପଯୁକ୍ତ ଖେଳାଳିଙ୍କୁ ଉପଯୋଗ କରିବାରେ ପଞ୍ଜାବ ବିଫଳ ହୋଇ ପରାଜିତ ହୋଇଛି । ଦଳର ପ୍ରତ୍ୟେକ ବ୍ୟାଟର ଫର୍ମରେ ଅଛନ୍ତି । ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ମନେ ହେଉଥିଲେ ହେଁ ସେଭଳି ଲୟ ହରାଇ ନାହିଁ । ତଥାପି ଦଳକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଆଜି ପଞ୍ଜାବ ବିଜୟ ମନୋଭାବ ସହ ଗ୍ରାଉଣ୍ଡକୁ ଓହ୍ଲାଇବା ଜରୁରି । ଲକ୍ଷ୍ନୌ ଦଳ ଦୌଡ଼ରେ ନଥିବାରୁ ଚାପ ଅନୁଭବ କରିବ ନାହିଁ । ତେଣୁ ଏଭଳି ଦଳ ପ୍ରତିପକ୍ଷ ପାଇଁ ଚିନ୍ତାର କାରଣ ସାଜିବା ସ୍ୱାଭାବିକ ।
ମିଚେଲ ମାର୍ଶ ଚମତ୍କାର ଫର୍ମରେ ରହିଥିବାରୁ ବ୍ୟାଟିଂ ବିଭାଗର ସବୁ ଦୁର୍ବଳତା ଦୂର ହୋଇଛି । ବୋଲିଂ ବିଭାଗ ମଧ୍ୟ ସୁଦୃଢ ରହିଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ଉଭୟ ବ୍ୟାଟର ଓ ବୋଲରଙ୍କ ପାଇଁ ସୁଯୋଗ ଆଣିପାରିବ । ଏଠାରେ ସତର୍କତାର ସହ ବ୍ୟାଟିଂ କଲେ ବିଶାଳ ସ୍କୋର ସମ୍ଭବ । ତେଣୁ ତରବରିଆ ଭାବେ ବଡ଼ ସଟ୍ ଖେଳିବାର ଆବଶ୍ୟକତା ପଡ଼ିବ ନାହିଁ ।