ଭୁବନେଶ୍ୱର,୧୧/୦୮: ଆଗେଇଲା ପୁରୀ-କୋଣାର୍କ ନୂଆ ରେଳ ଲାଇନ୍‌ କାମ । ଜମି ଅଧିଗ୍ରହଣ  ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । ଏହି ପ୍ରକଳ୍ପ  ସରିଲେ ରାଜ୍ୟରେ ଆଧ୍ୟାତ୍ମିକ, ଐତିହ୍ୟ ଓ ଉପକୂଳ  ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ । ରାଜ୍ୟ ତଥା ଦେଶ  ବାହାରୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଉଭୟ ଶ୍ରୀମନ୍ଦିର  ସହ ସୂର୍ଯ୍ୟ ମନ୍ଦିର ଦର୍ଶନ ସୁବିଧା ମିଳିବ । ଏହି ପ୍ରକଳ୍ପ  ପାଇଁ ଜମି ଅଧିଗ୍ରହଣ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି । ଜମି ଅଧିଗ୍ରହଣ ବାବଦରେ କୌଣସି ଆପତ୍ତି ଥିଲେ, ଜମି ମାଲିକ ୩୦ ଦିନ ମଧ୍ୟରେ ଅଭିଯୋଗ କରିପାରିବେ । 

ପୁରୀ-କୋଣାର୍କ ନୂଆ  ରେଳ ଲାଇନ୍‌ର ଏହି ପ୍ରକଳ୍ପର ଲମ୍ବା ୩୨ କିଲୋମିଟର  ରହିବ । ସେ ବାବଦରେ ୪୯୨ କୋଟି ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି । କାମ ସରିଲେ ଏହି  ନୂଆ ଲାଇନରେ ଭିଷ୍ଟାଡମ୍‌ ଟ୍ରେନ୍‌ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରୁଛି । ଫଳରେ ଯାତ୍ରୀ ରେଳରେ  ବସି ୧୮୦ ଡିଗ୍ରି ବୁଲି ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ  କରିପାରିବ । ଏହି ନୂଆ ରେଳଲାଇନରେ ନିରୀକ୍ଷଣ ଲାଉଞ୍ଜ ଓ ୱାଇଫାଇ ଭଳି ବିଭିନ୍ନ ଅତ୍ୟାଧୁନିକ ରେଳ  ସେବା ଉପଲବ୍ଧ ହେବ । ବୈଜ୍ଞାନିକ ଜ୍ଞାନକୌଶଳ ବ୍ୟବହାର କରି ଟ୍ରେନ୍‌ ଭିତରେ ଜଗନ୍ନାଥ ସଂସ୍କୃତିର  ପ୍ରଚାର ପ୍ରସାର କରାଯିବ । 

ରେଳ ବୋର୍ଡର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ମୁତାବକ,  ଏହି ରେଳ ଲାଇନରେ ପୋରତାରା, ଭିଙ୍ଗୁରାଢିଆ ଏବଂ  କୋଣାର୍କ ତିନୋଟି ନୂତନ ଷ୍ଟେସନ ରହିବ । ୧୯୯୭ରେ  ପ୍ରାରମ୍ଭିକ ସର୍ଭେ ପରଠାରୁ ଅନେକ ସଂଶୋଧନ  ଆସିବା ପରେ, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟକୁ  ବାଇପାସ୍‌ କରି ଏହି ମାର୍ଗ ଡିଜାଇନ୍‌ କରାଯାଇଛି ।  ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୧୭ ଏକର ଜମି ଆବଶ୍ୟକ  ହେବ ଯାହାର ମୂଲ୍ୟ ପ୍ରାୟ ୪୨.୭ କୋଟି ହେବ  ବୋଲି ଆକଳନ କରାଯାଇଛି । ଏହି ରେଳ ମାର୍ଗରେ  ୨୭ଟି ଛୋଟ ଧରଣର ପୋଲ, ୮ଟି ବଡ଼ ପୋଲ,  ଦୁଇଟି ରୋଡ୍‌ ଓଭରବ୍ରିଜ୍‌(ଆର୍‌ଓବି) ଓ ତିନୋଟି  ନଦୀ ରହିବ । ନୂଆ ନଈ, ଧନୁଆ ଏବଂ କୁଶଭଦ୍ରା  ନଦୀ ଏହି ରୁଟ୍‌ରେ ରହିବ । ଜଗନ୍ନାଥ ସଂସ୍କୃତିକୁ  ଭିତ୍ତି କରି ଏହି ରୁଟ୍‌ର ୪/୫ଟି ପର୍ଯ୍ୟଟନସ୍ଥଳୀର  ବିକାଶ କରାଯିବ । ତେବେ ପୂର୍ବରୁ ଏହି ପ୍ରକଳ୍ପ ୩୧୦  କୋଟି ଥିବା ବେଳେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ  ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ବୋଲି ସହମତି  ପ୍ରକାଶ କରିଥିଲେ ।

ପ୍ରକଳ୍ପ ପାଇଁ ସଦାନନ୍ଦପୁର,  ଗୁଣ୍ଡି, ଅଚ୍ୟୁତପୁର, ହରେକୃଷ୍ଣପୁର, ସମଙ୍ଗରା,  ଅଳଙ୍ଗା, କାଶିହରିପୁର ପ୍ରମୁଖ ଗାଁରୁ ଜମି ଅଧିଗ୍ରହଣ  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଭିଯୋଗକାରୀ ପୁରୀ  ଜିଲ୍ଲା ଭୂମି ଅଧିଗ୍ରହଣକାରୀଙ୍କ ନିକଟରେ ଅଭିଯୋଗ  କରିପାରିବେ ବୋଲି କୁହାଯାଇଛି।