ପୁରୀ, ୨।୫: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେ ଶ୍ରୀକ୍ଷେତ୍ରର ରଥଖଳା ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି । ମହାପ୍ରଭୁଙ୍କ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ରଥ ନିର୍ମାଣକାରୀ ସେବକମାନେ ଦିନରାତି ଏକ କରି ଦେଇଛନ୍ତି । ରଥଖଳାରେ ଏବେ କାଠ କଟା ଓ ବାଡ଼େଇ ଶବ୍ଦରେ ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଛି ।
ଭଉଁରୀ ତିଥି ପାଇଁ ପ୍ରସ୍ତୁତି:
ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପନ୍ନ ହେବାକୁ ଯାଉଛି । ଏହି ଦିନ ତିନି ରଥର ମୋଟ ୬ଟି ଚକ ସହିତ ୩ଟି ଅଖ ଡେରାଯିବାର ପରମ୍ପରା ରହିଛି । ଏଥିପାଇଁ ଯନ୍ତାଗାଡ଼ରେ ଚକ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଚକଗୁଡ଼ିକୁ ମଜବୁତ କରିବା ପାଇଁ ସେଥିରେ 'ସିଙ୍ଗଡ଼ା ବାଡ଼ିଆ' କାର୍ଯ୍ୟ ଶେଷ ହୋଇଛି । ରଥ ନିର୍ମାଣର ବିଭିନ୍ନ ଅଂଶ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ୧୧ଟି ଲେଖାଏଁ 'ଗୁଜ' ଏବଂ ୯ଟି ଲେଖାଏଁ 'ଜଳଯନ୍ତ୍ର' ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିବାକୁ ଆସିଲାଣି । ରଥର ପାଞ୍ଚ ଦଣ୍ଡାକୁ ଶକ୍ତ କରି ବାନ୍ଧି ରଖିବା ପାଇଁ ବ୍ୟବହୃତ ହେଉଥିବା 'କୁଡୁକା ଚଉପଟ' କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ମୁଖ୍ୟ ବିଶ୍ୱକର୍ମାଙ୍କ ଦ୍ୱାରା ପଇ ବିନ୍ଧ ପାଇଁ ଅନୁକୂଳ ପୂଜା ସମ୍ପନ୍ନ ହେବା ପରେ, ମହାରଣା ସେବକମାନେ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।
ରଥକୁ ସୁଦୃଶ୍ୟ କରିବା ପାଇଁ ରୂପକାର ସେବକମାନେ ଗୁଜଗୁଡ଼ିକରେ ପ୍ରଭୁ ନୃସିଂହଙ୍କ ରୂପ ଅତି ନିଖୁଣ ଭାବେ ଖୋଦେଇ କରୁଛନ୍ତି । ଅପରପକ୍ଷରେ, ଦୋଳବେଦୀ ନିକଟରେ ଥିବା ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଚକ ଡେରା ନୀତି ପାଇଁ ଆବଶ୍ୟକ ହେଉଥିବା ପନ୍ଦାରୀ ବଳା ଏବଂ ଅର କଣ୍ଟା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣର ଅଗ୍ରଗତି ଉପରେ ସତର୍କ ନଜର ରଖାଯାଇଛି । ସେବକମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ, ରଥଖଳାରେ ମହାପ୍ରଭୁଙ୍କ ରଥର ଏହି ନିର୍ମାଣ ଶୈଳୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଛି ।
ରଥଖଳାରେ କେମିତି ଚାଲିଛି ମହାପ୍ରଭୁଙ୍କ ରଥ ପ୍ରସ୍ତୁତି ? କେଉଁ ସେବକ କେଉଁ ଦାୟିତ୍ୱ ତୁଲାଉଛନ୍ତି ? ଏମିତି ଅନେକ ରୋଚକ ତଥ୍ୟ ପାଇଁ 'ପ୍ରମେୟ ଡିଜିଟାଲ' ସହିତ ଯୋଡ଼ି ହୋଇ ରୁହନ୍ତୁ । ମହାପ୍ରଭୁଙ୍କ ରଥ ନିର୍ମାଣର ପ୍ରତିଟି ମୁହୂର୍ତ୍ତର ଅପଡେଟ୍, ରଥଖଳାର ଅକୁହା କଥା ଏବଂ ଶ୍ରୀକ୍ଷେତ୍ରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ସର୍ବପ୍ରଥମେ ପାଇବା ପାଇଁ ଆମ ପୋର୍ଟାଲ ସାଇଟ୍ରେ ଖବର ପଢ଼ନ୍ତୁ ।
ଆହୁରି ପଢ଼ନ୍ତୁ... ଦହିବରା ଖାଇ ୫୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ: ୩୦ ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି