ନୂଆଦିଲ୍ଲୀ,୦୪/୧୨: ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ଆସୁଥିବା ପୁଟିନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ । ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ ରାଜିନାମା ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ତେଣୁ ପୁଟିନଙ୍କ ଏହି ଗସ୍ତ ଉପରେ ସମଗ୍ର ବିଶ୍ୱର ନଜର ରହିଛି ।
ନୂଆଦିଲ୍ଲୀରେ ପହଞ୍ଚିବା ପରେ ଗୁରୁବାର ରାତିରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ସରକାରୀ ବାସଭବନରେ ରାତ୍ରିଭୋଜନରେ ସାମିଲ ହେବେ । ଶୁକ୍ରବାର ରାଷ୍ଟ୍ରପତି ଭବନରେ ତାଙ୍କୁ ଔପଚାରିକ ଭାବେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବେ । ପରେ ହାଇଦ୍ରାବାଦ ହାଉସରେ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ । ବୈଠକ ପରେ ଉଭୟ ନେତା ଗଣମାଧ୍ୟମକୁ ସୂଚନା ଦେବେ । ମିଳିତ ଘୋଷଣାନାମା ଜାରି ହେବାର ସମ୍ଭାବନା ରହିଛି । ଅପରାହ୍ନରେ ଭାରତ ମଣ୍ଡପମରେ ଆୟୋଜିତ ଭାରତ-ରୁଷ ବାଣିଜ୍ୟ ମଞ୍ଚ କାର୍ଯ୍ୟକ୍ରମରେ ପୁଟିନ ଅଂଶଗ୍ରହଣ କରିବେ । ଏଠାରେ ବାଣିଜ୍ୟ ଓ ନିବେଶ ଉପରେ ବ୍ୟାପକ ଆଲୋଚନା ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ତାଙ୍କ ସମ୍ମାନାର୍ଥେ ଆୟୋଜିତ ରାତ୍ରିଭୋଜନରେ ପୁଟିନ ସାମିଲ ହେବେ । ଭାରତରେ ପ୍ରାୟ ୩୦ ଘଣ୍ଟା ବିତାଇବା ପରେ ପୁଟିନ ଶୁକ୍ରବାର ରାତିରେ ସ୍ୱଦେଶ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଦୁଇଦେଶ ମଧ୍ୟରେ ହୋଇଥିବା ଏକ ସୈନ୍ୟ ବୁଝାମଣା ରେଲୋସ (ରେସିପ୍ରୋକାଲ ଏକ୍ସଚେଞ୍ଜ ଅଫ ଲଜିଷ୍ଟିକ ସପୋର୍ଟ)କୁ ରୁଷ ସଂସଦ (ଦୁମା) ଆଜି ମଞ୍ଜୁରି ଦେଇଛି । ବୁଝାମଣା ଅନୁସାରେ ଉଭୟ ଦେଶ ପରସ୍ପରର ସାମରିକ ଘାଟି, ସୁବିଧା ଓ ସମ୍ବଳକୁ ବ୍ୟବହାର କିମ୍ବା ଆଦାନପ୍ରଦାନ କରିପାରିବେ । ପରସ୍ପରର ଯୁଦ୍ଧବିମାନ ଓ ଯୁଦ୍ଧଜାହାଜ ଇନ୍ଧନ ଭରିବା, ସାମରିକ ଘାଟିରେ ରହିବା କିମ୍ବା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ବ୍ୟବହାର କରିପାରିବେ । ଏଥିପାଇଁ ଯେଉଁ ଖର୍ଚ୍ଚ ହେବ ତାହା ଉଭୟ ଦେଶ ବହନ କରିବେ । ଗତ ଫେବ୍ରୁଆରୀ ୧୮ ତାରିଖରେ ଦୁଇ ଦେଶ ମଧ୍ୟରେ ଏହି ବୁଝାମଣା ହୋଇଥିଲା । ଗତ ସପ୍ତାହରେ ରୁଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ ଏହାକୁ ସଂସଦର ଅନୁମୋଦନ ଲାଗି ପଠାଇଥିଲେ । ଏହି ବୁଝାମଣା ଦୁଇଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ରୁଷ ସଂସଦର ଅଧ୍ୟକ୍ଷ କହିଛନ୍ତି ।
ଭାରତ ଓ ରୁଷ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି, ଆଣବିକ ଶକ୍ତି ଉତ୍ପାଦନ ଲାଗି ମଡ୍ୟୁଲାର ରିଆକ୍ଟର ନିର୍ମାଣ ଓ ପ୍ରତିରକ୍ଷା ସହଯୋଗ ମଜଭୁତ କରିବା ହେଉଛି ପୁଟିନଙ୍କ ଗସ୍ତର ଉଦ୍ଦେଶ୍ୟ । ପୁଟିନଙ୍କ ଭାରତ ଗସ୍ତ ବେଳେ ଦୁଇଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, କୃଷି, ମିଡିଆ ଓ ସାଂସ୍କୃତିକ ଆଦାନ ପ୍ରଦାନ ନେଇ ବୁଝାମଣାପତ୍ର ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ରୁଷ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ଆମେରିକା ଚାପ ପକାଇ ଆସୁଥିବା ବେଳେ ପୁଟିନ ଓ ମୋଦିଙ୍କ ମଧ୍ୟରେ ଏହି ବୈଠକ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଏଥିସହ ଭାରତ ଓ ରୁଷ ମଧ୍ୟରେ ପ୍ରତିରକ୍ଷା ସମେତ ଆର୍ଥିକ ସହଯୋଗ ମଧ୍ୟ ମଜଭୁତ ହେବ । ତୈଳ, ପ୍ରତିରକ୍ଷା ଓ କୂଟନୈତିକ କ୍ଷେତ୍ରରେ ଭାରତ ଓ ରୁଷର ସମ୍ପର୍କ ବେଶ୍ ନିବିଡ ।
ରୁଷ ହେଉଛି ଭାରତର ସବୁଠାରୁ ବଡ ତୈଳ ଯୋଗାଣକାରୀ । ଭାରତର ୩୦-୩୫ ପ୍ରତିଶତ ତୈଳ କେବଳ ରୁଷରୁ ଆସୁଛି । ପ୍ରତିରକ୍ଷା କ୍ଷେତ୍ରରେ ଦେଖିଲେ ଯୁଦ୍ଧବିମାନ ଠାରୁ ଆରମ୍ଭ କରି ବୁଡାଜାହାଜ, ଟ୍ୟାଙ୍କ, ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ ସବୁକିଛି ଭାରତକୁ ଦେଇଛି ରୁଷ । ସେହିଭଳି କୂଟନୈତିକ କ୍ଷେତ୍ରରେ ଦେଖିଲେ ବ୍ରିକ୍ସ, ସାଂଘାଇ ସହଯୋଗ ସଙ୍ଗଠନ ଓ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଭଳି ମଞ୍ଚ ଦୁଇଦେଶକୁ ଏକାଠି କରିଛି । ଏହାବ୍ୟତୀତ ଆଣବିକ ଶକ୍ତି, ମହାକାଶ ଗବେଷଣା, ସାର ଓ ଯୋଗାଯୋଗ କ୍ଷେତ୍ରରେ ରୁଷ ଭାରତର ଏକ ପ୍ରମୁଖ ବନ୍ଧୁ ଭାବେ ସବୁବେଳେ ଉଭା ହୋଇଆସିଛି ।
ପୁଟିନଙ୍କ ଏହି ଗସ୍ତ ପାଇଁ ଦିଲ୍ଲୀରେ ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେ ରହିବାକୁ ଥିବା ହୋଟେଲ ଓ ତାର ଆଖପାଖ ଅଞ୍ଚଳକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ରୁଷ ରାଷ୍ଟ୍ରପତିଙ୍କ ସୁରକ୍ଷା ସେବାର ତାଲିମପ୍ରାପ୍ତ ଅଧିକାରୀ, ଭାରତର ଏନ୍ଏସ୍ଜି କମାଣ୍ଡୋ, ସ୍ନାଇପର, ଡ୍ରୋନ, ଜାମର ମୁତୟନ କରାଯିବା ସହ ଏଆଇ ମନିଟରିଂ ଭଳି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପୁଟିନ ରହିବାକୁ ଥିବା ହୋଟେଲ ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସବୁ ରୁଟ୍ରେ ଦିଲ୍ଲୀ ପୁଲିସ ଓ ଏନ୍ଏସ୍ଜି କମାଣ୍ଡୋଙ୍କୁ ମୁତୟନ କରାଯିବ । ସ୍ୱତନ୍ତ୍ର ଡ୍ରୋନ୍ ସହାୟତାରେ ନଜର ରଖାଯିବ । ଏଥିପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯିବ । ଉକ୍ତ ରୁଟ୍ରେ ସ୍ନାଇପର ଟିମ୍କୁ ନିୟୋଜିତ କରାଯିବା ସହ ଜାମର, ଏଆଇ ମନିଟରିଂ ଓ ଫେସିଆଲ ରିକଗନିସନ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି ।
ପୁଟିନ ବ୍ୟବହାର କରୁଥିବା ସ୍ୱତନ୍ତ୍ର ବିଳାସପୂର୍ଣ୍ଣ ତଥା ସୁରକ୍ଷିତ କାର ଅରସ୍ ସିନେଟକୁ ନିଜ ସାଥୀରେ ଭାରତକୁ ନେଇଆସିବେ । ଭାରତରେ ରହିବା ସମୟରେ ପୁଟିନ ତାଙ୍କର ଏହି ନିଜସ୍ୱ କାର ବ୍ୟବହାର କରିବେ । ଚଳିତବର୍ଷ ପ୍ରାରମ୍ଭରେ ଚୀନରେ ଅନୁଷ୍ଠିତ ଏସ୍ସିଓ ବୈଠକ ସମୟରେ ପୁଟିନ ଏହି କାର୍ରେ ମୋଦିଙ୍କ ସହ ବୈଠକ ସ୍ଥଳକୁ ଯାଉଥିବାର ଦେଖିବାକୁ ମିଳିଥିଲା