ନୂଆଦିଲ୍ଲୀ,୨୧/୦୭: ୩୯ ଦିନ ଓ ୧୦୪ଟି ମ୍ୟାଚର ରୋମାଞ୍ଚ ମଧ୍ୟରେ ଶେଷ ହୋଇଛି ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ । ଆର୍ଜେଣ୍ଟିନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସ୍ପେନ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ୟୁଏସଏ, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଏଥର ବିଶ୍ୱକପ୍ ଆୟୋଜନ କରିଥିଲେ । ଐତିହାସିକ ଆଜଟେକା ଷ୍ଟାଡ଼ିୟମ୍‌ରୁ ଆରମ୍ଭ କରି ବିଶ୍ୱର ସବୁଠୁ ଦାମୀ ସୋଫି ଷ୍ଟାଡ଼ିୟମ୍ ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲା । ବିଶ୍ୱକପ୍ ଆୟୋଜକ ଭାବେ ରେକର୍ଡ ୧୫ବିଲିୟନ ଡଲାର ଆୟ କରିଥିବା ଫିଫା ପରବର୍ତ୍ତୀ ବିଶ୍ୱକପ୍‌କୁ ଆହୁରି ଲୋକପ୍ରିୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ୨୦୩୦ରେ ୨୪ତମ ବିଶ୍ୱକପ ଖେଳାଯିବ । ବର୍ଷକ ମଧ୍ୟରେ ଆରମ୍ଭ ହୋଇଯିବ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ।

୨୪ତମ ସଂସ୍କରଣ ୩ଟି ମହାଦେଶ ଓ ୬ଟି ଦେଶ ମିଳିତ ଭାବେ ଆୟୋଜନ କରିବେ । ଆଫ୍ରିକା ମହାଦେଶରୁ ବିଶ୍ୱକପ୍ ଆରମ୍ଭ ହୋଇ ଦକ୍ଷିଣ ଆମେରିକା ଓ ୟୁରୋପ ପର୍ଯ୍ୟନ୍ତ ଜାରି ରହିବ । ଆଗାମୀ ସଂସ୍କରଣ ଜରିଆରେ ବିଶ୍ୱକପ୍ ୧୦୦ ବର୍ଷ ପୂରଣ କରିବ । ତେଣୁ ଦକ୍ଷିଣ ଆମେରିକାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଫିଫା ନିଷ୍ପତ୍ତି ନେଇଛି । ବିଶେଷ କରି ଉରୁଗୁଏରେ ଉଦଘାଟନୀ ମ୍ୟାଚ ଖେଳାଯିବ । କାରଣ ୧୯୩୦ରେ ଉରୁଗୁଏ ପ୍ରଥମ ବିଶ୍ୱକପ୍ ଆୟୋଜନ କରିଥିଲା । ଉରୁଗୁଏ ସମେତ ଆର୍ଜେଣ୍ଟିନା ଓ ପାରାଗୁଏ ମଧ୍ୟ ବିଶ୍ୱକପ୍‌ର କିଛି ମ୍ୟାଚ ଆୟୋଜନ କରିବେ । ପ୍ରସ୍ତାବିତ କ୍ରୀଡ଼ାସୂଚୀ ଅନୁଯାୟୀ ଜୁନ୍ ୮ ଓ ୯ ତାରିଖରେ ଉରୁଗୁଏ, ଆର୍ଜେଣ୍ଟିନା ଓ ପାରାଗୁଏରେ ଉଦଘାଟନୀ ସପ୍ତାହର ମ୍ୟାଚ ଆୟୋଜନ କରାଯିବ । ଏହାପରେ ବିଶ୍ୱକପ୍ ଆଫ୍ରିକା ଓ ୟୁରୋପ ଅଭିମୁଖେ ଯାତ୍ରା କରିବ । ଜୁନ୍ ୧୩ ଓ ୧୪ ତାରିଖରେ ଯଥାକ୍ରମେ ମରକ୍କୋ, ପର୍ତ୍ତୁଗାଲ୍ ଓ ସ୍ପେନ୍‌ର ପରବର୍ତ୍ତୀ ସପ୍ତାହର ମ୍ୟାଚ ଖେଳାଯିବ । ଜୁଲାଇ ୨୧ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବାର ଯୋଜନା ରହିଛି । ଫିଫା ଚୂଡ଼ାନ୍ତ କ୍ରୀଡ଼ାସୂଚୀ ଘୋଷଣା କରିନଥିଲେ ହେଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସବୁ ମ୍ୟାଚ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି ।  ୬ଟି ଆୟୋଜକ ଦେଶ ଭାବେ ଉରୁଗୁଏ, ପାରାଗୁଏ, ଆର୍ଜେଣ୍ଟିନା, ମରକ୍କୋ, ପର୍ତ୍ତୁଗାଲ୍ ଓ ସ୍ପେନ୍ ୨୦୩୦ ବିଶ୍ୱକପକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ ।

ଏହା ବି ପଢନ୍ତୁ...Missile Strike: ସମୁଦ୍ରରେ ମୃତ୍ୟୁ ଜାଲ; ଓଡେସାରେ ଜାହାଜକୁ ମିସାଇଲ-ଡ୍ରୋନ୍ ମାଡ଼, ୪ ଭାରତୀୟ ମୃତ

ବାକି ୪୨ଟି ଦେଶ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଜରିଆରେ ବିଶ୍ୱକପ୍ ଟିକେଟ୍ ହାସଲ କରିବେ । ସ୍ପେନ୍‌ର ୧୧ଟି ଷ୍ଟାଡ଼ିୟମ୍, ମରକ୍କୋର ୬ଟି ଷ୍ଟାଡ଼ିୟମ୍ ଓ ପର୍ତ୍ତୁଗାଲର ୩ଟି ଷ୍ଟାଡ଼ିୟମ୍‌ରେ ବିଶ୍ୱକପ୍‌ର ବାକି ମ୍ୟାଚସବୁ ଖେଳାଯିବ । ଉରୁଗୁଏ ପ୍ରଥମ ବିଶ୍ୱକପ୍ ଆୟୋଜନ କରିବାକୁ ସୁଯୋଗ ପାଇବାର ମୁଖ୍ୟ କାରଣ ଥିଲା ଅଲିମ୍ପିକ୍ସ ସଫଳତା । ଉରୁଗୁଏ ୧୯୨୪ ଓ ୧୯୨୮ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଉରୁଗୁଏ ଓ ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ୧୯୨୮ ଅଲିମ୍ପିକ୍ସ ଫାଇନାଲ୍ ମ୍ୟାଚକୁ ୫୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକ ଦେଖିଥିଲେ । ଏହି ଲୋକପ୍ରିୟତାକୁ ଦେଖି ଫିଫା ନିଜର ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ଫିଫା ୧୯୩୦ରେ ପ୍ରଥମ ବିଶ୍ୱକପ୍ ଆୟୋଜନ କରିଥିଲା । କ୍ରମାନ୍ୱୟରେ ୨ଟି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଉରୁଗୁଏକୁ ଆୟୋଜନ ଅଧିକାର ପ୍ରଦାନ କରିଥିଲା ଫିଫା ।