ନୂଆଦିଲ୍ଲୀ,୨୨/୦୭: ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏବଂ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଶେଷରେ ଦୁଇ ବର୍ଷରୁ ଅଧିକ ସମୟ ପରେ ଏକ ପ୍ରମୁଖ ଟାଇଟଲ ଜିତି ଜବଦସ୍ତ କମବ୍ୟାକ୍ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ଜାପାନ ଓପନ ୭୫୦ ବ୍ୟାଡମିଣ୍ଟନରେ ଜାପାନ ପ୍ରତିନ୍ଦ୍ୱନ୍ଦୀ ଆକାନୋ ୟାମାଗୁଚିଙ୍କୁ ସିଧାସଳଖ ୨୧-୧୭, ୨୧-୧୭ରେ ହରାଇ ଇତିହାସ ରଚିଛନ୍ତି । ଜାପାନ ଓପନ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି । କିନ୍ତୁ ସିନ୍ଧୁଙ୍କର ଏହି କମବ୍ୟାକ କେବଳ ଟ୍ରଫି ଜିତିବା ନୁହେଁ, ମାନସିକ ଏବଂ ଶାରୀରିକ ଭାବରେ ନିଜକୁ ପ୍ରସ୍ତତ କରିବା ବିଷୟରେ ହୋଇଛି । ଭାରତୀୟ ଷ୍ଟାର କ୍ରିକେଟର କିଙ୍ଗ୍ କୋହଲିଙ୍କ ପରାମର୍ଶ କିପରି ତାଙ୍କ କମବ୍ୟାକର ମୂଳଦୁଆ ପକାଇଥିଲା ତାହା କହିଛନ୍ତି ।

ଜାପାନ ଓପନ୍ ଜିତିବା ପରେ, ସିନ୍ଧୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଥିଲେ ଯେ, " ସେ ସର୍ବଦା ବିରାଟ କୋହଲିଙ୍କ ପ୍ରତି କୃତଜ୍ଞ ରହିବେ । ଖରାପ ପ୍ରଦର୍ଶନ, ଆଘାତ ଏବଂ ମାନସିକ ଚାପ ମଧ୍ୟରେ ସେ ମୋ ସହ କଥା ହୋଇଥିଲେ । ମୋ କ୍ୟାରିୟରର ସବୁଠାରୁ ଖରାପ ସମୟରେ ମୁଁ ବିରାଟ ଭାଇଙ୍କ ପାଖକୁ ଯାଇଥିଲି । ଆଘାତ ବଢ଼ିବାରେ ଲାଗିଥିଲା, ଫଳାଫଳ ଆସୁନଥିଲା, ଏବଂ ମୋତେ କେବଳ ଏପରି ଜଣେ ବ୍ୟକ୍ତିର ଆବଶ୍ୟକତା ଥିଲା ଯିଏ ମୋତେ ବୁଝିପାରିବ। ମୁଁ ପରଦିନ ବିରାଟ ଭାଇଙ୍କୁ ଭେଟିଥିଲି, ଆମେ ଯାହା କଥା ହୋଇଥିଲୁ ତାହା ସବୁବେଳେ ଆମ ମଧ୍ୟରେ ରହିବ । କିନ୍ତୁ ମୁଁ ସର୍ବଦା କୃତଜ୍ଞ ରହିବି ଯେ, ଯେତେବେଳେ ମୋତେ କାହାର ଆବଶ୍ୟକତା ଥିଲା, ସେ ସେଠାରେ ଥିଲେ । "

ପିଭି ସିନ୍ଧୁ ଆହୁରି ଲେଖିଛନ୍ତି, ବିରାଟ ଭାଇଙ୍କ ପରାମର୍ଶ ସରଳ ଥିଲା । ଟ୍ରଫି ପିଛା କରିବା ବନ୍ଦ କରନ୍ତୁ । ଖେଳରେ ଆନନ୍ଦକୁ ଉଦ୍ଭାବନ କରନ୍ତୁ । ଏହା ତାଙ୍କର ସବୁଠାରୁ ବଡ଼ ମୋଡ଼ ସାବ୍ୟସ୍ତ ହେଲା । ମୁଁ ଜାଣିଛି କାହିଁକି ପ୍ରତିଦିନ ସକାଳେ ୫ଟା ୩୦ରେ ଉଠି ଅଭ୍ୟାସ କରେ । ଏବେ ମୋର ପ୍ରେରଣା କେବଳ ଟ୍ରଫି କିମ୍ବା ଜିତିବା ବିଷୟରେ ନୁହେଁ ତାହାଠାରୁ ବି ଅଧିକ । ଦୁଇ ବର୍ଷର ସଂଘର୍ଷ, ଅନେକ ଆଶା ଧୂଳିସାତ, ଚ୍ୟାଲେଞ୍ଜିଂ ପରିସ୍ଥିତି ଭିତରେ ବିରାଟ ଭାଇଙ୍କ ପରାମର୍ଶ ମୋ କମବ୍ୟାକର ମୂଳଦୁଆ ପକାଇଥିଲା । ସିନ୍ଧୁ ସ୍ୱୀକାର କରିଛନ୍ତି, ଆଘାତ ସମୟରେ ତାଙ୍କର ଆତ୍ମବିଶ୍ୱାସ ପ୍ରାୟତଃ ଦୁର୍ବଳ ହୋଇପାରେ । ଆଘାତ ସମୟରେ, ଆପଣ ନିଜକୁ ପଚାରନ୍ତି, 'ମୁଁ କ'ଣ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଫେରିପାରିବି ? ମୁଁ କଣ ୧୦୦ ପ୍ରତିଶତ ଦେଇପାରିବି ? ଏହା ମାନସିକ ଭାବପ୍ରବଣକୁ ଦୁର୍ବଳ କରିପାରେ । ମୋ ସହ ବି ସେହିପରି ହୋଇଥିଲା କିନ୍ତୁ ବିରାଟ ଭାଇଙ୍କ ପରାମର୍ଶ ମୋତେ କମବ୍ୟାକ୍ କରିବାକୁ ପ୍ରେରଣା ଦେଇଥିଲା ।

ଅଷ୍ଟମକୁ ଉଠିଲେ ସିନ୍ଧୁ: ସଦ୍ୟ ଘୋଷିତ ବିଡବ୍ଲ୍ୟୁଏଫ୍ ମାନ୍ୟତା ତାଲିକାରେ ଭାରତର ପିଭି ସିନ୍ଧୁଙ୍କ ସ୍ଥାନରେ ଉନ୍ନତି ଘଟିଛି । ସେ ୨ଟି ସ୍ଥାନ ଉନ୍ନତି ଘଟାଇ ଅଷ୍ଟମରେ ପହଞ୍ଚିଛନ୍ତି । ଗତ ସପ୍ତାହ ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜାପାନ ଓପନ ଚାମ୍ପିଅନ୍ ହୋଇ ଇତିହାସ ରଚିଥିଲେ । ଟ୍ରଫି ସଫଳତା ସହ ସେ ମୋଟ ୧୧,୦୦୦ ପଏଣ୍ଟ ହାସଲ କରିଥିଲେ । ତାଙ୍କ ରେଟିଂ ପଏଣ୍ଟ ୬୭,୬୦୧କୁ ବୃଦ୍ଧି ପାଇଥିଲା । ପୁରୁଷ ସିଙ୍ଗଲ୍ସରେ ଭାରତର ଲକ୍ଷ୍ୟ ସେନ୍ ୧୪ତମ ସ୍ଥାନ ବଜାୟ ରଖିଥିବାବେଳେ ଆୟୂଷ ସେଟ୍ଟୀ ୨୩ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । କେ. ଶ୍ରୀକାନ୍ତ ୩୫ତମ ଓ ଏଚ୍ଏସ୍ ପ୍ରଣୟ ୩୬ତମ ସ୍ଥାନ ବଜାୟ ରଖିଛନ୍ତି । ଚୀନର ଶି ୟୁକିଙ୍କ ଏକ ନମ୍ବର ସ୍ଥାନ ସୁରକ୍ଷିତ ରହିଛି । ସେହିପରି ଥାଇଲାଣ୍ଡର କୁନ୍ଲାଭୁତ୍ ଭିତିଦସର୍ନ ଓ ଡେନମାର୍କର ଆଣ୍ଡର୍ସ ଆଣ୍ଟୋନସେନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି ।