ଭୁବନେଶ୍ବର, ୨୫।୩ : ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି ଏହି ଦୁଇ ନେତା। ପୂର୍ବରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ ଏହି ଦୁଇ ନେତା। ୨୦୧୯ରେ ବିଜେଡି ଛାଡି ରଘୁନାଥ ବିଜେପିରେ ସାମିଲ ହୋଇଥିଲେ। ସେହିପରି ଜୀବନ ପ୍ରଦୀପ ୨୦୨୦ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଥିଲେ। ଏହି ଦୁଇ ନେତାଙ୍କ ଘର ବାହୁଡା ପରେ ବିଜେଡି ସଂଗଠନ ବାଲେଶ୍ବରରେ ମଜବୁତ ହେବ ବୋଲି ଆଶା କରାଯାଉଛି ।

ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ୨୦୧୯ରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ସେ ବିଜେପି ଟିକେଟ୍‌ ବସ୍ତା ଆସନରୁ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡିଥିଲେ। ରଘୁନାଥ ପୂର୍ବରୁ ୫ ଥର ବସ୍ତାରୁ ବିଧାୟକ ହୋଇଥିଲେ। ଏପରକି ମନ୍ତ୍ରୀ ମଧ୍ୟ ହୋଇଥିଲେ। ପୂର୍ବରୁ ସେ ବିଜେଡିର ଜଣେ ଟାଣୁଆ ନେତା ରହିଥିଲେ।

ଜୀବନ ପ୍ରଦୀପ ଦାସ ପ୍ରଥମେ ୨୦୦୦ ମସିହାରେ ବିଜେପି ଟିକେଟରେ ବାଲେଶ୍ୱର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୦୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ଟିକେଟ ପାଇ ବାଲେଶ୍ବର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୧୪ରେ ମଧ୍ୟ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୯ରେ ସେ ପରାଜୟର ସାମ୍ନା କରିଥିଲେ। ମାତ୍ର ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ହେଲେ ବିଜେଡି ଉପନିର୍ବାଚନ ପାଇଁ ପ୍ରଦୀପଙ୍କୁ ପୁନଃ ଟିକେଟ ଦେଇନଥିଲା। ୨୦୨୦ ନଭେମ୍ବର ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ହେବା ପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୨୧ରେ ସେ ପୁଣି ବିଜେପିରେ ଯୋଗ ଦେଇଥିଲେ। ହେଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ଜୀବନ ପ୍ରଦୀପ ବିଜେପି ଛାଡି ଥିଲେ।