ନୂଆଦିଲ୍ଲୀ,୩।୩: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନ ସୁପ୍ରିମ ଲିଡର ଖାମେନେଇ ମୃତ୍ୟୁ ହୋଇଛି। ଖାମେନେଇଙ୍କ ହତ୍ୟା ମାମଲାରେ ଭାରତ ସରକାରଙ୍କ ନିରବତା ଉପରେ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ୍ ଦେବା ଉଚିତ୍। ସେ କିଭଳି ଜଣେ ରାଷ୍ଟ୍ରାଧ୍ୟକ୍ଷଙ୍କ ହତ୍ୟାକୁ ସମର୍ଥନ କରୁଛନ୍ତି ? ଲୋକସଭାରେ ବିରୋଧି ଦଳର ନେତା ଏହା ମଧ୍ୟ ଦାବି କରିଛନ୍ତି ଯେ,ପ୍ରଧାନମନ୍ତ୍ରୀଙ୍କ ନିରବତା ଯୋଗୁଁ ବିଶ୍ବ ଆଗରେ ଭାରତର ଛବି ମଳିନ ପଡିବ।
ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି,ଆମେରିକା, ଇସ୍ରାଏଲ ଓ ଇରାନ ଭିତରେ ବଢୁଥିବା ଶତ୍ରୁତା ଏକ ସମ୍ବେଦନଶୀଳ କ୍ଷେତ୍ରକୁ ବ୍ୟାପକ ସଂଘର୍ଷ ଆଡକୁ ନେଇ ଯାଇଛି। ପ୍ରାୟ ଏକ କୋଟି ଭାରତୀୟ ନାଗରିକଙ୍କ ସହିତ କୋଟି କୋଟି ଲୋକଙ୍କୁ ଅନିଶ୍ଚିତତାର ସାମନା କରିବାକୁ ପଡୁଛି। ସୁରକ୍ଷା ସମ୍ପର୍କିତ ଚିନ୍ତା ବାସ୍ତବିକ ରହିଛି ଓ ସାର୍ବଭୌମତ୍ବର ଉଲଂଘନ କରୁଥିବା ଲୋକେ ସଙ୍କଟକୁ ଆହୁରି ବଢାଇବେ। ଇରାନ ଉପରେ ଏକତରଫା ଆକ୍ରମଣ ସହ ଅନ୍ୟ ପାଶ୍ଚାତ୍ୟ ଦେଶ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରାଯିବା ଦରକାର। ହିଂସାରୁ ହିଂସା ସୃଷ୍ଟି ହୋଇଥାଏ। ସମ୍ବାଦ ଓ ସଂଯମତା ହିଁ ଶାନ୍ତିର ଏକମାତ୍ର ରାସ୍ତା।’
ଏହା ସହ ରାହୁଲ କହିଛନ୍ତି,ଭାରତର ନୈତିକ ଆଭିମୁଖ୍ୟ ସ୍ପଷ୍ଟ ରହିବା ଦରକାର। ଆମକୁ ଅନ୍ତର୍ଜାତୀୟ ଆଇନ ଓ ମାନବ ଜୀବନ ରକ୍ଷା ନେଇ ସ୍ପଷ୍ଟ ଭାବରେ କହିବାକୁ ସାହାସ ହେବା ଦରକାର। ଆମର ବୈଦେଶିକ ନୀତି ସାର୍ବଭୌମ୍ୟ ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଧାରିତ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବା ଦରକାର କ’ଣ ସେ ବିଶ୍ବ ବ୍ୟବସ୍ଥାକୁ ପରିଭାଷିତ କରିବାର ପଦ୍ଧତି ରୂପରେ କୌଣସି ରାଷ୍ଟ୍ରାଧ୍ୟକ୍ଷଙ୍କ ହତ୍ୟାକୁ ସମର୍ଥନ କରନ୍ତି ?
ଏହା ପୂର୍ବରୁ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲ୍ଲୀ ଖାମନେଇଙ୍କ ହତ୍ୟାକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ।ସେ କହିଥିଲେ ଇରାନ ଓ ଆମେରିକା ଆକ୍ରମଣରେ ଶାସକ ରାଷ୍ଟ୍ରମୁଖ୍ୟଙ୍କ ହତ୍ୟା ଆଜିର ଅନ୍ତର୍ଜାତୀୟ ସମ୍ପର୍କରେ ଏକ ବଡ଼ ଫାଟକୁ ଉଜାଗର କରୁଛି। ଏହି ଘଟଣାରେ ନୂଆଦିଲ୍ଲୀର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତ ଦୀର୍ଘଦିନ ଧରି ବସୁଧୈବ କୁଟୁମ୍ବକମର ଆତ୍ମାକୁ ବଜାୟ ରଖିଛି। ଏହି ସଭ୍ୟତାଗତ ନୀତି କେବଳ ଆନୁଷ୍ଠାନିକ କୂଟନୀତିର ଏକ ସ୍ଲୋଗାନ ନୁହେଁ। ଏହାର ଅର୍ଥ ନ୍ୟାୟ, ସଂଯମ ଏବଂ ଆଲୋଚନା ପ୍ରତି ପ୍ରତିବଦ୍ଧତା! ଏହା ସାର୍ବଭୌମତ୍ୱ, ଶାନ୍ତି, ଅହିଂସା ଏବଂ ନ୍ୟାୟ ପାଇଁ କହିବାର ଇଚ୍ଛା ଉପରେ ନିର୍ମିତ ବୋଲି ସୋନିଆ କହିଛନ୍ତି।ଏହି କ୍ଷେତ୍ରରେ ନୀରବତା ନିରପେକ୍ଷ ନୁହେଁ।’