ନୂଆଦିଲ୍ଲୀ ; ୨୦/୧ : ଗାନ୍ଧି ପରିବାରକୁ ମିଳିଲା ଖୁସି ଖବର । ମିଳିଲା ଜେଜେବାପା ଫରୋଜ ଗାନ୍ଧିଙ୍କ ଡ୍ରାଇଭିଂ ଲାଇସେନ୍ସ । ଏବେ ରାୟବରେଲି ଗସ୍ତରେ ଅଛନ୍ତି ରାହୁଲ । ଦ୍ବିତୀୟ ଦିନରେ ବିକାଶ ସିଂହ ନାମକ ଜଣେ ବ୍ୟକ୍ତି ଏହି ଡିଏଲକୁ ଫେରାଇଛନ୍ତି । ସେ କହିଛନ୍ତି କି, କିଛି ବର୍ଷ ପୂର୍ବେ ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କ ଶ୍ବଶୁର ଏହି ଡିଏଲ ପାଇଥିଲେ । ସେ କିଛି ବର୍ଷ ଧରି ଏହାକୁ ରଖିଥିଲେ ଆଉ ତାଙ୍କ ନିଧନ ପରେ ତାଙ୍କ ପତ୍ନୀ ଏହାକୁ ରଖିଥିଲେ । ଏବେ ସେ ଏହାକୁ ସମ୍ଭଳି ରଖିଥିଲେ ।
ବିକାଶ ସିଂ କହିଛନ୍ତି କି, ଆମ ପରିବାର ଏହାକୁ ଏକ ମୂଲ୍ୟବାନ ସମ୍ପଦ ଭାବି ଘରେ ରଖିଥିଲୁ । ସମୟ ଦେଖି ଗାନ୍ଧି ପରିବାରକୁ ଏହା ଫେରାଇବା ପାଇଁ ଭାବିଥିଲୁ । ଏବେ ସେ ସମୟ ଆସିଛି ଆମେ ଏହା ତାଙ୍କୁ ହସ୍ତାନ୍ତର କରିଛୁ । ରାହୁଲ ରାୟବରେଲି ଗସ୍ତରେ ରହିଛନ୍ତି ଏଣୁ ଏହି ସମୟରେ ଆମେ ତାଙ୍କ ଅମାତନକୁ ହସ୍ତାନ୍ତର କରିଛୁ । ଯେତେବେଳେ ମଞ୍ଚରେ ତାଙ୍କୁ ଏହା ପ୍ରଦାନ କରାଯାଇଥିଲା ରାହୁଲ ବେଶ ଖୁସି ଅନୁଭବ କରିଥିଲେ । ଆଉ ସାଙ୍ଗେ ସାଙ୍ଗେ ମୋବାଇଲରେ ଫଟୋ ଉଠାଇ ମାଆଙ୍କ ପାଖକୁ ପଠାଇଥିଲେ । ସୋନିଆ ମଧ୍ୟ ବେଶ ଖୁସି ହୋଇଥିବାବେଳେ ପୁରୁଣା ସ୍ମୃତିକୁ ମନେ ପକାଇଥିବା କହିଥିଲେ ।
କହି ରଖୁଛୁ କି, ରାୟବରେଲି ସହ ଫିରୋଜ ଗାନ୍ଦିଙ୍କ ସମ୍ପର୍କ ବହୁ ପୁରୁଣା । ସେ ୧୯୫୨ ମସିହାରେ ସ୍ବାଧିନ ଭାରତର ପ୍ରଥମ ନିର୍ବାଚନରେ ରାୟବରେଲି ଲୋକସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ । ଫିରୋଜ ଗାନ୍ଧି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସ୍ବାମୀ । ୧୯୬୦ ମସିହା ସେପ୍ଟେମ୍ବର ୭ ତାରିଖରେ ଫିରୋଜ ଗାନ୍ଧିଙ୍କ ନିଧନ ହୋଇଥିଲା । ଦୀର୍ଘବର୍ଷ ପରେ ତାଙ୍କ ଡିଏଲ ମିଳିଥିବାବେଳେ ପୁରୁଣା ସ୍ମୃତି ତାଜା ହୋଇଛି ।