ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

ରାଇରଙ୍ଗପୁର, ୨୭/୦୫ : ବାଦାମପାହାଡ଼ ଥାନା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମ ମଝିରେ ଥିବା ଖଡ଼ଖାଇ କେନାଲରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ତେଲକୋଇ ଗ୍ରାମର ସନୁ ଚୈଧୁରୀ।
ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରିରେ କେନ୍ଦୁଝର ଜିଲ୍ଲା ତେଲକୋଇରୁ ଏକ ବରଯାତ୍ରୀ ବୋଲେର ଗାଡି ଜୟପୁରୁଣିଆ ଗ୍ରାମକୁ ଆସିଥିଲା। ବରଯାତ୍ରୀ ଓଲ୍ଲାଇ ଯାଇଥିବା ବେଳେ ଡ୍ରାଇଭର ମଧ୍ୟ ଗାଡିରୁ ବାହାରକୁ ବାହାରି ଆସିଥିଲା। କିନ୍ତୁ ଗାଡିକୁ ବ୍ରେକ୍ କିମ୍ବା ଗିୟର ନଲଗାଇ ତଳେ ଛିଡା ହୋଇଥିଲା। ଏହି ସମୟରେ ଗାଡିଟି ଗଡ଼ିବାକୁ ଲାଗିବାରୁ ଡ୍ରାଇଭର ଗାଡି ସାମ୍ନାକୁ ଯାଇ ଅଟକାଇବାକୁ ଚେଷ୍ଟା କରିଥିଲା। ଗାଡିଟି କେନାଲ ହୁଡା ତଳକୁ ଦ୍ରୁତ ଗତିରେ ଯାଇ ଓଲଟି ପଡିଥିଲା। ଫଳରେ ସାମ୍ନାରେ ଥିବା ଡ୍ରାଇଭରକୁ ଚାପି ଦେଇଥିଲା। ଖଵର ପାଇ ବାଦାମପାହାଡ଼ରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭରକୁ ମୃତ ଘୋଷଣା କରିଥିଲେ।