ଜୟପୁର,୧୦/୧୧: କହୁ କହୁ କହି ଦେଲେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ରାଲିରେ ଏତେ ଭୋଳ ହୋଇ ଯାଇଥିଲେ ଯେ କଣ କହିବେ ଜାଣି ପାରିଲେ ନାହିଁ । ଜାମ୍ମୁକାଶ୍ମୀରରେ ଧାରା ୩୭୦ କେବେ ହଟିବ ନାହିଁ ବୋଲି କହି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ରାହୁଲ କି ତାଙ୍କ ବାପା ଆସିଲେ ବି ଧାରା ୩୭୦ ହଟିବ ନାହିଁ ବୋଲି କହି ଦେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏକ ଜନସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମୀ କହିଥିଲେ, କାଶ୍ମୀରରୁ ଧାରା ୩୭୦ ହଟିବ ନାହିଁ । ଜମ୍ମୁ କାଶ୍ମୀର ବିଧାନସଭାରେ ନିକଟରେ ଧାରା ୩୭୦କୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଥିଲା । କଂଗ୍ରେସର ଏ ଇଚ୍ଛା କେବେ ପୂରଣ ହେବ ନାହିଁ । ରାହୁଲ ଗାନ୍ଧୀ ନିଜ କଥା ତ ଛାଡନ୍ତୁ ସେ ତାଙ୍କ ବାପାଙ୍କୁ ଆଣିଲେ ବି କାଶ୍ମୀରରେ ଧାରା ୩୭୦ ହଟିବ ନାହିଁ ।
ରାଜସ୍ଥାନର ୭ଟି ଆସନରେ ଉପନିର୍ବାଚନକୁ ନେଇ ପ୍ରଚାର ଚାଲିଛି । ବିଜେପି ଓ କଂଗ୍ରେସ ଶୀର୍ଷ ନେତା ସେମାନଙ୍କ ପ୍ରାର୍ଥୀ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି । ଏହାରି ଭିତରେ ଦେବାଲି ଓ ଉନିୟାରା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଗୁର୍ଜରଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ ଜନସଭାକୁ ସମ୍ବୋଧନ କରିଥିଲେ । ଏ ସମୟରେ ତାଙ୍କ ପାଟିରୁ କିଛି କଥା ବାହାରି ଯାଇଥିଲା ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।