ନୂଆଦିଲ୍ଲୀ : ଶୁକ୍ରବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ୬ ଓ୍ବିକେଟରେ ଜିତିଥିଲା । ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଏହି ମ୍ୟାଚ ବିଜୟର ହିରୋ ସାଜିବା ସହ ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଥିଲେ । କିନ୍ତୁ ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କ ବିପକ୍ଷରେ ଆକ୍ସନ ନିଆଯାଇପାରେ ।
ଗୌହାଟୀରେ ଖେଳାଯାଉଥିବା ଏହି ମ୍ୟାଚରେ ବୈଭବଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭାଇରାଲ ଭିଡିଓରେ ଦେଖାଯାଇଛି କି, ଟିମର ମ୍ୟାନେଜର ମୋବାଇଲ ଚଲାଉଛନ୍ତି । ପାଖରେ ସୂର୍ଯ୍ୟବଂଶୀ ବସିଥିବାବେଳେ ସେ ମଧ୍ୟ ମଝିରେ ମଝିରେ ମୋବାଇଲକୁ ଚାହୁଁଛନ୍ତି । ଯାହାର ଭିଡିଓ ବେଶ ଭାଇରାଲ ହେଉଥିବାବେଳେ କିଭଳି ମୋବାଇଲ ବ୍ୟବହାର କଲେ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଖେଳାଳି ଏବଂ ସପୋର୍ଟ ଷ୍ଟାଫ ମ୍ୟାଚ ସମୟରେ ମୋବାଇଲ ବ୍ୟବହାର କରିପାରିବେ ନାହିଁ । ମାତ୍ର ସେ ମୋବାଇଲ ବ୍ୟବହାର କରୁଥିବାବେଳେ ଭିଡିଓ ରେକର୍ଡ ହୋଇଛି । ଆଉ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
IPL ନିର୍ଦ୍ଦେଶାବଳୀ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ ମ୍ୟାଚ୍ ସମୟରେ କେବଳ ଦଳର ମ୍ୟାନେଜର ହିଁ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବେ । ତଥାପି, ତାଙ୍କୁ ଡ୍ରେସିଂ ରୁମରେ କେବଳ ମୋବାଇଲ୍ ଫୋନ୍ କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ ଡିଭାଇସ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ସେ ପଡ଼ିଆରେ କିମ୍ବା ଡଗ୍ ଆଉଟରେ ଏପରି ଡିଭାଇସ୍ ବ୍ୟବହାର କରିପାରିବେ ନାହିଁ । ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଭିଣ୍ଡର ଡଗ୍ ଆଉଟରେ ବସି ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି ।