ନୂଆଦିଲ୍ଲୀ,୨୪।୩: ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୬। ତେବେ ତା ପୂର୍ବରୁ ଆଇପିଏଲ ଇତିହାସରେ ହୋଇଛି ସବୁଠୁ ବଡ଼ ଡିଲ୍। ୨୦୦୮ ଓପନିଂ ସିଜିନର ଚାମ୍ପିଆନ୍ ଟିମ୍ ରାଜସ୍ଥାନ ରୟାଲ୍ସଙ୍କୁ କିଣିଲେ ଆମେରିକୀୟ ବିଜନେସମ୍ୟାନ୍ କାଲ୍ ସୋମାନି । ଏହି ଡିଲ୍ ୧.୬୩ ବିଲିୟନ ଡଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୫୦୦୦ କୋଟି ଟଙ୍କାରୁ ଅଧିକରେ ହୋଇଛି,ଯାହାକି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିଛି। ସୋମାନିଙ୍କୁ ୱାଲମାର୍ଟ ପରିବାରର ଆମେରିକୀୟ ବ୍ୟବସାୟୀ ରବ ୱାଲଟନ ଏବଂ ହାମ୍ପ ପରିବାର ସମର୍ଥନ କରୁଛନ୍ତି। ଆଗାମୀ ଆଇପିଏଲ ୨୦୨୬ ସିଜିନ ପରେ ଏହି ଚୁକ୍ତି କାର୍ଯ୍ୟକାରୀ ହେବ। ଏହାର ଅର୍ଥ ହେଉଛି ଏହି ସିଜନର ମାଲିକାନା ପୂର୍ବ ମାଲିକଙ୍କ ପାଖରେ ରହିବ। କାଲ ସୋମାନି ୨୦୨୧ ରୁ ରାଜସ୍ଥାନ ରୟାଲ୍ସର ପାର୍ଟନର ଅଛନ୍ତି, କିନ୍ତୁ ଏବେ ସମଗ୍ର ଦଳ ତାଙ୍କ ହାତରେ। 

ଏହା ବର୍ତ୍ତମାନର ଆଇପିଏଲ ଇତିହାସର ସବୁଠାରୁ ବଡ ଡିଲ୍। ଗତ ବର୍ଷ, ଟୋରେଣ୍ଟ ଗ୍ରୁପ୍ ସିଭିସି କ୍ୟାପିଟାଲ୍ ଠାରୁ ଗୁଜରାଟ ଟାଇଟାନ୍ସର ୬୭ ପ୍ରତିଶତ ମାଲିକାନା ଅଧିଗ୍ରହଣ କରିଥିଲା। ଏହି ଚୁକ୍ତି ୫୦୨୫ କୋଟି ମୂଲ୍ୟର ଥିଲା। ଯାହାଫଳରେ ଫ୍ରାଞ୍ଚାଇଜର ଭାଲ୍ୟୁ ୭୫୦୦ କୋଟିକୁ ବୃଦ୍ଧି ହୋଇଥିଲା। ସିଭିସି କ୍ୟାପିଟାଲ୍ ୩୩% ଅଂଶଧନ ବଜାୟ ରଖିଥିଲା। ସିଭିସି କ୍ୟାପିଟାଲ୍ ୨୦୨୧ ରେ ୫୬୨୫ କୋଟିରେ ଗୁଜରାଟ ଟାଇଟାନ୍ସକୁ ଅଧିଗ୍ରହଣ କରିଥିଲା।

ନିକଟରେ ‘ମନିକଣ୍ଟ୍ରୋଲ୍’ ରିପୋର୍ଟ କରିଥିଲା ଯେ ସୋମାନି ଗ୍ରୁପ୍ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ହାସଲ କରିପାରିବ। ଫ୍ରାଞ୍ଚାଇଜ୍ରେ ଅଧିକାଂଶ ଅଂଶଧନ ମନୋଜ ବାଦଲେଙ୍କ ପାଖରେ ଏମର୍ଜିଂ ମିଡିଆ ଭେଞ୍ଚର୍ସ ମାଧ୍ୟମରେ ଥିଲା, ଯାହା ପ୍ରାୟ ୬୫% ଅଂଶଧନ କରିଥିଲା। ଅନ୍ୟାନ୍ୟ ଷ୍ଟେକହୋଲ୍ଡର୍ସ ମଧ୍ୟରେ ରେଡବର୍ଡ କ୍ୟାପିଟାଲ୍ ପାର୍ଟନର୍ସ ଏବଂ ଲାଚଲାନ୍ ମର୍ଡୋକ୍ ମଧ୍ୟ ଥିଲେ। ଗତ ବର୍ଷ ଶେଷ ଭାଗରେ ଅଂଶଧନ ବିକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେଉଁଥିରେ ନିବେଶ ବ୍ୟାଙ୍କ ଦି ରେନ୍ ଗ୍ରୁପ୍ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ।

ଗତକାଲି ହିଁ ଖବର ଆସିଥିଲା ଯେ ରାଜସ୍ଥାନ ରୟାଲ୍ସ ୧.୭ ବିଲିୟନ ଡଲାର (ପ୍ରାୟ ୧୫,୮୫୯ କୋଟି ଟଙ୍କା)ର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଏହି ବିଡ୍ କଲମ୍ବିଆ ପାସିଫିକ୍ କ୍ୟାପିଟାଲ୍ ପାର୍ଟନର୍ସ ଦ୍ୱାରା କରାଯାଇଥିଲା। ରାଜସ୍ଥାନ ରୟାଲ୍ସକୁ ସମ୍ପୂର୍ଣ୍ଣ ଭାବରେ ଅଧିଗ୍ରହଣ କରିବା ପାଇଁ ଅନ୍ୟ ଚାରି ପ୍ରମୁଖ ନାମ ଦୌଡ଼ରେ ଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍ ଡେଭିଡ୍ ବ୍ଲିଟଜରଙ୍କ ବୋଲ୍ଟ ଭେଞ୍ଚର୍ସ ସହିତ ମିଳିତ ଭାବରେ ନିଲାମୀରେ ଭାଗ ନେଇଥିଲେ। କାପ୍ରି ଗ୍ଲୋବାଲ୍, ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ଓ ସଞ୍ଜୟ ଗୋଭିଳ ରାଜସ୍ଥାନ ରୟାଲ୍ସକୁ କିଣିବାର ରେସ୍‌ରେ ଥିଲେ।

​​​​​​​

କାଲ୍ ସୋମାନି କିଏ?

କାଲ ସୋମାନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଏବଂ ଆମେରିକାର ଉଦ୍ୟୋଗପତି। ସେ ମୁଖ୍ୟତଃ ଆମେରିକୀୟ ଟେକ୍ ଜଗତରେ ଖୁବ୍ ପରିଚିତ। ଡାଟା ଗୋପନୀୟତା ଏବଂ ଏଆଇ ଗର୍ଭନାନ୍ସ , ଶିକ୍ଷା-ପ୍ରଯୁକ୍ତି ଏବଂ କ୍ରୀଡ଼ା ପ୍ରଯୁକ୍ତିବିଦ୍ୟା ସମେତ ଅନେକ ଅତ୍ୟାଧୁନିକ କ୍ଷେତ୍ରରେ ତାଙ୍କର ଦୃଢ଼ ଉପସ୍ଥିତି ରହିଛି। କାଲ ସୋମାନି ଇନ୍ଟ୍ରାଏଡଜ୍, ଟ୍ରୁୟୋ ଏବଂ ଏକାଡେମିୟାନ୍ ଭଳି ଗ୍ଲୋବାଲ କମ୍ପାନୀଗୁଡ଼ିକର ମଧ୍ୟ ପ୍ରତିଷ୍ଠାତା। ସେ ୨୦୨୧ ରୁ ରାଜସ୍ଥାନ ରୟାଲ୍ସ ସହିତ ଜଣେ ନିବେଶକ ଭାବରେ ଜଡିତ ଅଛନ୍ତି। ପୂର୍ବରୁ ସେ କହିଥିଲେ, ଆଇପିଏଲରେ ଆଗକୁ ବଢିବାର ଜୋରଦାର ସମ୍ଭାବନା ରହିଛି। ଏଥିରେ ଭବିଷ୍ୟତରେ ନିବେଶ କରିବାକୁ ଖୁବ୍ ଉତ୍ସାହୀତ।

ବିଶ୍ୱର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ ‘ରବ ୱାଲଟନ’ ଏହି ଗ୍ରୁପର ଅଂଶୀଦାର ଅଛନ୍ତି। ପ୍ରମୁଖ କାର୍ କମ୍ପାନୀ ଫୋର୍ଡ ଏବଂ ଆମେରିକୀୟ ଫୁଟବଲ୍ ଦଳ ‘ଡେଟ୍ରଏଟ୍ ଲାୟନ୍ସ’ର ମାଲିକା ‘ହାମ୍ପ ପରିବାର’ ଏବଂ ‘ଶିଲା ଫୋର୍ଡ ହାମ୍ପ’ ମଧ୍ୟ ଏହି ଗୋଷ୍ଠୀ ସହିତ ଜଡିତ। କାଲ୍‌ଙ୍କ ଖେଳ ପ୍ରତି ଖୁବ୍ ଆଗ୍ରହ ରହିଛି। ସେ ମୋଟର ସିଟି ଗଲ୍ଫ କ୍ଲବର ସହ-ମାଲିକ ମଧ୍ୟ ଅଛନ୍ତି। ସେଭଳି ଟିଜିଏଲ ଗଲ୍ଫ ଲିଗ୍ ଭଳି ଆଧୁନିକ ସ୍ପୋର୍ଟସ୍ ପ୍ରୋଜେକ୍ଟରେ ମଧ୍ୟ ପ୍ରାରମ୍ଭିକ ନିବେଶ କରିଛନ୍ତି।

ଆହୁରି ପଢନ୍ତୁ :IPLରେ ଗୋଟିଏ ବି ମ୍ୟାଚ୍ ନ ଖେଳି କୋଟି କୋଟି ଟଙ୍କା ନେବେ ଏହି ଖେଳାଳୀ, ଆହତ ନାହାନ୍ତି… ତଥାପି ଦେବାକୁ କାହିଁକି ବାଧ୍ୟ ?