ଭୁବନେଶ୍ଵର, ୧୬/୦୩: ଯାହା ଆଶା କରାଯାଉଥିଲା ସେଇଆ ହେଲା । ରାଜ୍ୟସଭା ନିର୍ବାଚନ ହାଇଭୋଲଟେଜ୍ ଟକ୍କରରେ କ୍ରସ୍ ଭୋଟିଂ। ମାନିଲେ ବିଜେଡିର ଦୁଇ ବିଧାୟକ ।ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ କଟକ-ଚୌଦ୍ବାର ଏମଏଲଏ ସୌଭିକ୍ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିବା ନେଇ ମାନିଛନ୍ତି । ବାପାଙ୍କ ପ୍ରତି ହୋଇଥିବା ଅସମ୍ମାନର ପ୍ରତିଶୋଧ ନେଲୁ ବୋଲି କହିଛନ୍ତି । ବିଜେଡି ବିରୋଧରେ ବିଷୋଦଗାର କରିଛନ୍ତି ଦେବୀ ରଞ୍ଜନ। ସେ କହିଛନ୍ତି, ମୋତେ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ସମର୍ଥନ କରିବା ପାଇଁ କୁହାଯାଇଥିଲା। ହେଲେ ମୁଁ ଦିଲ୍ଲୀପ୍ ରାୟଙ୍କୁ ଭୋଟ୍ ଦେଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତ ସାବ୍ୟସ୍ତ କରିଛି। ବିଜୁ ଲିଗାସିକୁ ଆଗକୁ ନେବାକୁ ଭୋଟ୍ ଦେଇଛି। ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି। ବିବେକାନୁମୋଦିତ ଭୋଟ୍ ଦେଇଛି। ଦଳୀୟ କାର୍ଯ୍ୟାନୁଷ୍ଠାନ ପ୍ରତି ଭୟ ନାହିଁ। ଦେବୀ ରଞ୍ଜନ କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ପ୍ରଶ୍ନ କରିଛନ୍ତି।

ସେହିପରି ସୌଭିକ୍ ବିଶ୍ବାଳ କହିଛନ୍ତି ଯେ, ବିଜୁ ବାବୁଙ୍କ ଆଶୀର୍ବାଦ ଯାହାଙ୍କ ପ୍ରତି ଅଛି, ତାଙ୍କୁ ଭୋଟ୍ ଦେଇଛି। ବାପାଙ୍କୁ ବହିଷ୍କାର କରିଥିଲେ, ମୋତେ କାହିଁକି କଲେନି। ଆଜି ଯେଉଁ ଟ୍ରଷ୍ଟ କଥା ପଦାକୁ ଆସିଛି, ସେକଥା ବାପା ପ୍ରଥମେ କହିଥିଲେ। ୨୯ ବର୍ଷ ହେଲା ବାପା ବିଜେଡି ପାଇଁ ସର୍ବସ୍ଵ ଦାନ କରିଥିଲେ। ବାପାଙ୍କ ପ୍ରତି ଅତ୍ୟାଚାର ହୋଇଥିଲା। ଆଜି ଭୋଟ୍ ଦେଇ ତାର ପ୍ରତିଶୋଧ ନେଇଛି। ଅନ୍ୟାୟ କରିବା ଲୋକ ଯେତିକି ପାପି, ଅନ୍ୟାୟ ସହିବା ଲୋକ ସେତିକି ପାପି।  ସେହିପରି ମିଡ୍ ନାଇଟ୍ ଅପରେସନ କଲା କିଏ ? କାହାଠି ଦାଗ ଲଗାଗଲା ? ନବୀନ ବାବୁଙ୍କ ଗାଡି କାଚ କିଏ ଭାଙ୍ଗିଲା ? ଦୋଷ କିଏ ମୁଣ୍ଡାଇଲା ? ଚିଟଫଣ୍ଡ ଟଙ୍କା କିଏ ଖାଇଲା ବୋଲି ମଧ୍ୟ ସୌଭିକ୍ ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ-ବାଲଟ୍ ଓଭର ରାଇଟିଂ ବିବାଦ: ଦ୍ବିତୀୟ ଥର ଉପାସନାଙ୍କ ଭୋଟକୁ ବିରୋଧ, ନବୀନ କହିଲେ ଅଗଣତାନ୍ତ୍ରିକ​​​​​​​