ଭୁବନେଶ୍ୱର,୨୧/୦୧: ''୭୩୨୬୮୦୩୯୫୨କୁ ୧୦ ଲକ୍ଷ ଟଙ୍କା ପଠାଅ । ନହେଲେ ଗୁଳିମାରି ହତ୍ୟା କରାଯିବ । ଜଲଦୀ ଏମପି ପଦ ଛାଡ । ଆଜି ଇସ୍ତଫା ଦେ । ନଚେତ୍ ହତ୍ୟା କରାଯିବ । ମୁଁ ଗୋଟିଏ ଝିଅ ମୋର କେହି କିଛି କରିପାରିବେ ନାହିଁ । ଜଲଦି ଟଙ୍କା ପଠା । ପୁଲିସକୁ ଜଣାଇଲେ ଘର ଆଗରେ ବୋମାମାଡ଼ କରିବୁ । ଟଙ୍କା ପଠା ।'' ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ସୋସିଆଲ ମିଡ଼ିଆ ଫେସବୁକରେ ଏମିକି କିଛି ଧମକ ଆସିଛି । ସାଂସଦଙ୍କୁ ଗୁଳିମାଡ ଧମକ ପୋଷ୍ଟ ଘଟଣା ଏବେ ସବୁ ଆଡ଼େ ହଇଚଇ ସୃଷ୍ଟି କରିଛି । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରୁ ଏହି ଧମକପୂର୍ଣ୍ଣ ପୋଷ୍ଟ କରାଯାଇଛି । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି ଗତ ଦୁଇଦିନ ତଳେ ମୋ ମୋବାଇଲକୁ ଜଣେ ବ୍ୟକ୍ତି ମେସେଜ୍ ଯୋଗେ ୧୦ ଲକ୍ଷ ଟଙ୍କା ଦାବି କରିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପାଇଁ ମେସେଜ ଆସିଥିଲା । ତେବେ ଏହା ଏକ ଫେକ୍ ମେସେଜ ଭାବି ଏହାକୁ ରାଜ୍ୟସଭା ସାଂସଦ ଅଣଦେଖା କରିଥିଲେ । ଗତକାଲି ସୋସିଆଲ ମିଡିଆରେ ପୁଣି ଜୀବନରେ ମାରିଦେବାକୁ ତଥା ଗୁଳି କରିବାକୁ ଧମକ ଆସିଛି । ଏହା ଏକ ଗୁରୁତର ଘଟଣା । ଏନେଇ ପୁଲିସକୁ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଅବଗତ କରାଇଥିବା ବେଳେ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି ପାଇଁ ପୁରୀ ଏସପିଙ୍କୁ ନିବେଦନ କରିଛନ୍ତି ।
ପୁରୀ ଭଳି ଏକ ପର୍ଯ୍ୟଟନସ୍ଥଳୀରେ ରାଜ୍ୟସଭା ସାଂସଦଙ୍କ ସମେତ ଶ୍ରୀମନ୍ଦିର ଓ ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଗୁଳିମାଡ଼ ଏବଂ ବୋମାମାଡ ଧମକ ଆସିବା ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇବ । ତେଣୁ ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ।