କିଏ ଯିବେ ରାଜ୍ୟସଭା : ମଙ୍ଗଳବାରଠୁ ଆରମ୍ଭ ହେବ ନାମାଙ୍କନ, ସରପ୍ରାଇଜ୍ କାର୍ଡ ଖେଳିପାରନ୍ତି ନବୀନ

ଭୁବନେଶ୍ଵର, ୨୩/୦୫ : ମଙ୍ଗଳବାରଠୁ ଆରମ୍ଭ ହେଉଛି ରାଜ୍ୟସଭା ନାମାଙ୍କନ। ୩ଟି ଆସନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା। ତେବେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯାଉଥିଲେ ମଧ୍ୟ କିଏ ଯିବ ରାଜ୍ୟସଭା ସେହି କାର୍ଡ ଖୋଲି ନାହାଁନ୍ତି ବିଜେଡି ସୁପ୍ରିମୋ।
ସେପଟେ କାହାକୁ ରାଜ୍ୟସଭା ପଠାଇବେ ନବୀନ ? ସେନେଇ ଲବି ତେଜିଲାଣି ଉପର ମହଲା ପର୍ଯ୍ୟନ୍ତ । ଚାରି ଦିଗରୁ ମାଳମାଳ ଆଶାୟୀ ହାତ ଟେକିଲେଣି ଦିଲ୍ଲୀ ଯିବାକୁ । ସବୁରି ନଜର ବିଜେଡି ମୁଖିଆଙ୍କ ଉପରେ । କାହାକୁ ରାଜ୍ୟସଭା ଲଡ଼ୁ ମିଳିବ, ସେ ନେଇ ଚାଲିଛି କଳ୍ପନାଜଳ୍ପନା । ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ । କିନ୍ତୁ, ସବୁବେଳେ ସରପ୍ରାଇଜ୍ କାର୍ଡ ଖେଳି ଚକମା ଦେବାରେ ମାହିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ନିଷ୍ପତ୍ତି ନେବେ, କେହି ଠଉରାଇ ପାରୁନାହାନ୍ତି । ଆସନ୍ତା ଜୁଲାଇ ୧ ତାରିଖରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି । ଏହି ୩ ଆସନ ପାଇଁ ଆସନ୍ତା ଜୁନ୍ ୧୦ରେ ଭୋଟ ହେବ ।
ଏନେଇ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି ଯେ, ସଠିକ୍ ସମୟରେ ପାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପାର୍ଥୀ। ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ। ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପାର୍ଥୀଚୟନ କ୍ଷମତା ରହିଛି। ପୂର୍ବରୁ ସଠିକ ସମୟରେ ନେଇଛନ୍ତି। ଚଳିତ ଥର ବି କିଛି ନେତାଙ୍କୁ ପରାମର୍ଶ କରି ନିଷ୍ପତ୍ତି ନେବେ।
ସେହିପରି ବିଜେଡି ନେତ୍ରୀ ଉଷା ଦେବୀ କହିଛନ୍ତି ଯେ, ସବୁବେଳେ ମହିଳାଙ୍କୁ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଚଳିତ ଥର ମଧ୍ୟ ଗୁରୁତ୍ୱ ଦେବେ। ଏଥର ମହିଳାଙ୍କୁ ପ୍ରାଥମିକତା ମିଳିପାରେ ବୋଲି ଆଶା କରାଯାଉଛି। ସବୁ ନିର୍ବାଚନରେ ମହିଳାଙ୍କୁ ପ୍ରାଥମିକତା ମିଳୁଛି। ଚଳିତ ଥର ମହିଳା ରାଜ୍ୟସଭା ଜାଆନ୍ତୁ ବୋଲି ଆଶା ରହିଛି। ଜଣେ ନୁହେଁ ବରଂ ତିନି ଜଣ ଗଲେ ଭଲ ହେବ।