ମୁମ୍ୱାଇ : ବଲିଉଡ ସୁପରଷ୍ଟାର ରଣବୀର କପୁର ଏହି ସମୟରେ ତାଙ୍କର ଆଗାମୀ ଫିଲ୍ମ ରାମାୟଣକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହି ଥର ସେ ନିଜର କୌଣସି ଫିଲ୍ମ କାରଣରୁ ନୁହେଁ , ବରଂ ଏକ ବଡ଼ ନିବେଶକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି। ଅମିତାଭ ବଚ୍ଚନଙ୍କ ପଦାଙ୍କ ଅନୁସରଣ କରି ରଣବୀର କପୁର ମଧ୍ୟ ରାମ ନଗରୀ ଅଯୋଧ୍ୟାରେ କୋଟି କୋଟି ଟଙ୍କାର ଜମି କିଣିଛନ୍ତି। ଅଯୋଧ୍ୟାର 'ଦ ସରୟୁ' (The Sarayu) ପ୍ରୋଜେକ୍ଟରେ କରାଯାଇ ଥିବା ଏହି ନିବେଶ ସହିତ ରଣବୀର କପୁର ଏବେ ଅମିତାଭ ବଚ୍ଚନଙ୍କ ପରେ ଅଯୋଧ୍ୟାରେ ଜମି କିଣିଥିବା ବଲିଉଡର ଦ୍ୱିତୀୟ ବଡ଼ ଅଭିନେତା ହୋଇ ପାରିଛନ୍ତି।

ଅଯୋଧ୍ୟାରେ କିଣିଲେ ଜମି:

ରଣବୀର କପୁର 'ଦ ହାଉସ ଅଫ୍ ଅଭିନନ୍ଦନ ଲୋଢା' (HoABL)ର ପ୍ରିମିୟମ ପ୍ରୋଜେକ୍ଟ 'ଦ ସରୟୁ'ରେ ପ୍ରାୟ ୩.୩୧ କୋଟି ଟଙ୍କାର ଜମି କିଣିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, କମ୍ପାନୀ ଦ୍ୱାରା ପ୍ରଦତ୍ତ ସୂଚନା ମୁତାବକ ଏହି ପ୍ଲଟଟି ୨,୧୩୪ ବର୍ଗଫୁଟର ଅଟେ। ଏହି ପ୍ରୋଜେକ୍ଟ ଅଯୋଧ୍ୟାରେ ବିଳାସପୂର୍ଣ୍ଣ ଏବଂ ଆଧ୍ୟାତ୍ମିକ ଅନୁଭୂତିର ଏକ ଚମତ୍କାର ସଙ୍ଗମ, ଯାହା ସରୟୁ ନଦୀ କୂଳରେ ୭୫ ଏକର ପରିମିତ ଅଞ୍ଚଳରେ ବ୍ୟାପିଛି। ଏହି ସ୍ଥାନର ବିଶେଷତ୍ୱ ହେଉଛି ଏଠାରେ କେବଳ ଆଧୁନିକ ସୁବିଧା ସୁଯୋଗ ରହିବ ନାହିଁ, ବରଂ 'ଦ ଲିଲା' (The Leela) ସମୂହ ଦ୍ୱାରା ପରିଚାଳିତ ପାଞ୍ଚ ଏକର ବିଶିଷ୍ଟ ଏକ ଶୁଦ୍ଧ ଶାକାହାରୀ ବିଳାସପୂର୍ଣ୍ଣ ହୋଟେଲ ମଧ୍ୟ ନିର୍ମାଣ କରାଯିବ ।

ଅଯୋଧ୍ୟା ମତେ ବାଛିଛି : ରଣବୀର କପୁର

ଅଯୋଧ୍ୟାରେ ଜମି କିଣିବା ନିଷ୍ପତ୍ତି ଉପରେ ରଣବୀର କପୁର ଏକ ଭାବପ୍ରବଣ କଥା କହିଛନ୍ତି। ସେ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଅଯୋଧ୍ୟା ମତେ ବାଛିଛି ଏବଂ ମୁଁ କେବଳ ସେହି ଡାକରାର ଉତ୍ତର ଦେଇଛି। ଏହି ସହର ଆମର ଐତିହାସିକ ଚେର ଏବଂ ସାଂସ୍କୃତିକ ଗଠନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ।

'ରାମାୟଣ'ଏବଂ ରଣବୀରଙ୍କ ସ୍ୱତନ୍ତ୍ର ସମ୍ପର୍କ

ଆଶ୍ଚର୍ଯ୍ୟଜନକ କଥା ହେଉଛି ରଣବୀର କପୁର ପରଦାରେ ମଧ୍ୟ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ 'ରାମାୟଣ' ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ପ୍ରୋଜେକ୍ଟ ମଧ୍ୟରୁ ଅନ୍ୟତମ, ଯାହାର ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ୟଶ (ରାବଣ), ସାଇ ପଲ୍ଲବୀ (ସୀତା), ସନ୍ନି ଦେଓଲ (ହନୁମାନ) ଏବଂ ରବି ଦୁବେ (ଲକ୍ଷ୍ମଣ)ଙ୍କ ଭଳି କଳାକାର ନଜର ଆସିବେ।

ଅମିତାଭ ବଚ୍ଚନ ମଧ୍ୟ କରିଛନ୍ତି ବଡ଼ ନିବେଶ

ଅଯୋଧ୍ୟାର ରିଅଲ ଇଷ୍ଟେଟ୍ ବଜାରରେ ଅମିତାଭ ବଚ୍ଚନ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି। ସେ ମାର୍ଚ୍ଚ ୨୦୨୬ରେ ପ୍ରାୟ ୩୫ କୋଟି ଟଙ୍କାରେ ୨.୬୭ ଏକର ଜମି କିଣି ଥିଲେ। ଏହା ପୂର୍ବରୁ ମଧ୍ୟ ବିଗ୍ ବି ବର୍ଷ ୨୦୨୪ ଏବଂ ୨୦୨୫ରେ ବିଭିନ୍ନ ପ୍ରୋଜେକ୍ଟରେ ବହୁତ ନିବେଶ କରି ଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଯୋଗରାଜ ସିଂହଙ୍କ ନାଁରେ FIR ଦାବି, ମହିଳାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ