ନୂଆଦିଲ୍ଲୀ ୨୩/୦୪: ନାସାର ମହାକାଶଚାରୀ କ୍ରିସ୍ ୱିଲିୟମ୍ସ ଏକ ନିୟମିତ ମିଶନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିଲେ । ଲାଇରିଡ୍ ମିଟିଅର ଶାୱାର୍‌ରୁ ଧୂମକେତୁମାନଙ୍କର ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ । ଲାଇରିଡ୍ ଏକ ପ୍ରାଚୀନ ବାର୍ଷିକ ଦୃଶ୍ୟ । ପ୍ରତ୍ୟେକ ବର୍ଷ ଏପ୍ରିଲରେ ଧୂମକେତୁ ସି/୧୮୬୧ ଜିୱାନ୍ ଥାଚର୍ ଛାଡ଼ିଥିବା ଆବର୍ଜନା ମାର୍ଗ ଦେଇ ପୃଥିବୀକୁ ଅତିକ୍ରମ କରେ । ୧୮୬୧ ମସିହାରେ ଏହି ଧୂମକେତୁକୁ ଶେଷ ଥର ଦେଖାଯାଇଥିଲା । ଏହି ପ୍ରାଚୀନ ଧୂମକେତୁର ଛୋଟ ଛୋଟ ଅବଶେଷ ଆମ ବାୟୁମଣ୍ଡଳରେ ପ୍ରବେଶ କରେ ଏବଂ ଆଲୋକର ରେଖା ରୂପେ ଜଳିଯାଏ । ୱିଲିୟମ୍ ସ୍ପେସ୍ ଷ୍ଟେସନ୍‌ର ଡୋମ୍ ଆକୃତିର ଝରକା କ୍ୟୁପୋଲା ମଧ୍ୟଦେଇ ବାହାରକୁ ଚାହିଁ ରହିଥିଲେ । ଏମିତି କିଛି ଚମତ୍କାର ଦୃଶ୍ୟ କ୍ୟାମେରାରେ କଏଦ କରିବାକୁ ଆଶା ରଖିଥିଲେ । କିନ୍ତୁ ସେ ଯାହା ଦେଖିଲେ, ଅତ୍ୟନ୍ତ ନାଟକୀୟ ଥିଲା । ସ୍ପେସ୍ ଷ୍ଟେସନ୍‌ର ରୋବୋଟିକ୍ ବାହୁ କାନାଡାର୍ମ-୨ ପାଖରେ ସି/୨୦୨୫ ଆର୍୩ ପାନ୍‌ଷ୍ଟାର୍ସ ଧୂମକେତୁର ଉଜ୍ଜ୍ୱଳ ଲାଞ୍ଜ ଦେଖିବାକୁ ମିଳିଲା ।

ସି/୨୦୨୫ ଆର୍୩ ପାନ୍‌ଷ୍ଟାର୍ସ ଧୂମକେତୁକୁ ବୈଜ୍ଞାନିକମାନେ ଏକ ହାଇପରବୋଲିକ ଓର୍ଟ କ୍ଲାଉଡ୍ କମେଟ୍ କହନ୍ତି । ଅର୍ଥାତ୍ ଆମ ସୌରମଣ୍ଡଳର ସବୁଠୁ ସୁଦୂର କ୍ଷେତ୍ରରୁ ଏହାର ଉତ୍ପତ୍ତି ହୋଇଛି । ପୂର୍ବରୁ ଏହା କଦାପି ଆଭ୍ୟନ୍ତର ସୌରମଣ୍ଡଳକୁ ଯାତ୍ରା କରିନାହିଁ । ୨୦୨୫, ସେପ୍ଟେମ୍ବର ୮ରେ ହୱାଈର ହାଲିକାଲାଠାରେ ପାନ୍‌ଷ୍ଟାର୍ସ ସର୍ଭେର ଅଂଶବିଶେଷ ଏକ ଟେଲିସ୍କୋପ୍ ଜରିଆରେ ଏହି ଧୂମକେତୁକୁ ପ୍ରଥମ ଥର ଚିହ୍ନଟ କରାଯାଇଥିଲା । ଖାଲି ଆଖିରେ ଏହା ଦେଖାଯାଏ ନାହିଁ । ପାନ୍‌ଷ୍ଟାର୍ସ ପ୍ରୋଜେକ୍ଟରେ ପ୍ରତି ରାତିରେ ରାତ୍ରି ଆକାଶର ବିଶାଳ କ୍ଷେତ୍ରର ଫଟୋ ଉଠାଇବାକୁ ଦୁଇଟି ଟେଲିସ୍କୋପ୍ ପ୍ରୟୋଗ କରେ । କୌଣସି ବସ୍ତୁର ହଲ୍‌ଚଲ କିମ୍ବା ନୂଆ କରି ଦେଖାଯାଇଥିବା ବସ୍ତୁର ଚିହ୍ନଟ ଲାଗି ପୁରୁଣା ଫଟୋ ସହ ନୂଆ ଫଟୋକୁ ଏହା ତୁଳନା କରେ । ଚଳିତ ମାସ ୧୧ ତାରିଖରେ ଏହି ଧୂମକେତୁକୁ ଖାଲି ଆଖିରେ ଚିହ୍ନଟ କରାଯାଇଥିଲା । ଏହାର ଅଦୃଶ୍ୟ ବରଫୀକୃତ କେନ୍ଦ୍ର ମାତ୍ର କିଛି କିମି ଚଉଡ଼ା । ସୂର୍ଯ୍ୟ ଏହାକୁ ଉଷ୍ଣ କରିବା ଦ୍ୱାରା ନ୍ୟୁଟ୍ରାଲ ଗ୍ୟାସ୍‌ର ଏକ ଉଜ୍ଜ୍ୱଳ ବାଦଲ ସୃଷ୍ଟି ହୁଏ, ଯାହାକୁ କୋମା କୁହାଯାଏ । ଏହା ସବୁଜ ରଙ୍ଗରେ ଚିକ୍‌ମିକ୍ କରେ । ତା’ପରେ ସୌର ବିକିରଣ କିଛି ଗ୍ୟାସ୍‌କୁ ଆୟନଯୁକ୍ତ କରେ ଏବଂ ସୂର୍ଯ୍ୟରୁ ନିର୍ଗତ ଚାର୍ଜ କଣିକାଗୁଡ଼ିକର ନିରନ୍ତର ପ୍ରବାହ ‘ସୌର ପବନ’ ଏହାକୁ ଏକ ଲମ୍ବା ନୀଳ ରଙ୍ଗର ଆୟନ ଲାଞ୍ଜରେ ରୂପାନ୍ତରିତ କରେ ।

ଗତ ୧୯ ତାରିଖରେ ଏହି ଧୂମକେତୁ ସୂର୍ଯ୍ୟର ସବୁଠୁ ନିକଟତମ ବିନ୍ଦୁ ପେରିହେଲିଅନ୍‌ରେ ପହଞ୍ଚିଥିଲା ଏବଂ ଏହାଠୁ ପ୍ରାୟ ୭୪.୬ ନିୟୁତ କିମି ଦୂରକୁ ଅତିକ୍ରମ କଲା । ଆସନ୍ତା ୨୬ ତାରିଖରେ ୭୩.୨ ନିୟୁତ କିମି ଦୂରତାରେ ଏହା ପୃଥିବୀର ନିକଟତର ହେବ । ଏହି ଯାତ୍ରା ଗୋଟିଏ ସଭ୍ୟତାରେ ଏକମାତ୍ର ଯାତ୍ରା । ୱିଲିୟମ୍ସ ଏହାକୁ ପୃଥିବୀର ୪୦୦ କିମି ଉଚ୍ଚରେ ନିଜ କ୍ୟାମେରାରେ କଏଦ କଲେ ।

ଆହୁରି ପଢ଼ନ୍ତୁ...ଶବ୍ଦ କରିଦେବ ପାଗଳ, ପଛକୁ ଫେରି ଚାହିଁଲେ ଘଟିବ ଅଘଟଣ… ଜାଣନ୍ତୁ ଏହି ମନ୍ଦିରର ଭୟଙ୍କର ରହସ୍ୟ