ନୂଆଦିଲ୍ଲୀ, ୨୯।୫: ଆକାଶରେ ହଠାତ୍ ଛାଇଯିବ କଳାହାଣ୍ଡିଆ ଅନ୍ଧାର । ଦିନ ଦୁଇପ୍ରହରରେ ବି ରାତିର ଭ୍ରମ ସୃଷ୍ଟି ହେବ । ଗଛଲତାରେ ଥିବା ପଶୁପକ୍ଷୀମାନେ ଭୟଭୀତ ହୋଇ ନିଶବ୍ଦ ହୋଇଯିବେ । ଏହା କୌଣସି କାଳ୍ପନିକ କାହାଣୀ କିମ୍ବା ଭବିଷ୍ୟବାଣୀ ନୁହେଁ, ବରଂ ପ୍ରକୃତିର ଏକ ଅଦ୍ଭୁତ ଏବଂ ବିରଳ ମହାଜାଗତିକ ଘଟଣା । ଆଗାମୀ ୨୦୨ ମସିହାରେ ସାରା ବିଶ୍ୱ ଏଭଳି ଏକ ପୂର୍ଣ୍ଣ ସୂର୍ଯ୍ୟପରାଗର ସାକ୍ଷୀ ହେବାକୁ ଯାଉଛି, ଯାହାକୁ ‘ଶତାବ୍ଦୀର ସବୁଠାରୁ ଦୀର୍ଘତମ ସୂର୍ଯ୍ୟପରାଗ’ ବୋଲି କୁହାଯାଉଛି । ୬ ମିନିଟରୁ ଅଧିକ ସମୟ ଧରି ପୃଥିବୀର ଏକ ବିଶାଳ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧକାରରେ ବୁଡ଼ି ରହିବ ।

୧୦୦ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ପୂର୍ଣ୍ଣ ସୂର୍ଯ୍ୟପରାଗ:

ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ର ଏକ ରିପୋର୍ଟକୁ ଆଧାର କରି ଗଣମାଧ୍ୟମ ‘ଦି ଉଇକ୍’ ପ୍ରକାଶ କରିଛି ଯେ, ୨ ଅଗଷ୍ଟ ୨୦୨୭ରେ ଏହି ଐତିହାସିକ ସୂର୍ଯ୍ୟପରାଗ ସଂଘଟିତ ହେବ । ଏହାର ସର୍ବାଧିକ ଅବଧି ୬ ମିନିଟ୍ ୨୩ ସେକେଣ୍ଡ ରହିବ । ଏହାପୂର୍ବରୁ ୧୦୦ ବର୍ଷ ତଳେ ଅର୍ଥାତ୍ ୨୯ ମେ ୧୯୧୯ରେ ଏତେ ଦୀର୍ଘ ସମୟ ପାଇଁ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖାଯାଇଥିଲା । ବର୍ତ୍ତମାନ ୨୦୨୭ ପରେ ଏଭଳି ଦୃଶ୍ୟ ପୁଣିଥରେ ଦେଖିବାକୁ ହେଲେ ୨୨ତମ ଶତାବ୍ଦୀ ଅର୍ଥାତ୍ ୨୧୧୪ ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହା ବ୍ୟତୀତ ଚଳିତ ବର୍ଷ ୧୨ ଅଗଷ୍ଟ ୨୦୨୬ରେ ମଧ୍ୟ ଏକ ପୂର୍ଣ୍ଣ ସୂର୍ଯ୍ୟପରାଗ ହେବା ନେଇ ନାସା ପୂର୍ବାନୁମାନ କରିଛି ।

କ’ଣ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଏବଂ ଏହା କାହିଁକି ହୁଏ ?

ପୂର୍ଣ୍ଣ ସୂର୍ଯ୍ୟପରାଗ ସେତେବେଳେ ହୁଏ, ଯେତେବେଳେ ମହାକାଶରେ ଘୂରି ବୁଲୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ପୃଥିବୀ ମଝିକୁ ଚାଲିଆସେ ଏବଂ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦିଏ । ଫଳରେ ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ ଆସିପାରେ ନାହିଁ । ପ୍ରତି ୧୮ ମାସରେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥାଏ । ତେବେ ଏହା ସାରା ବିଶ୍ୱରେ ଏକାଭଳି ଦେଖାଯାଏ ନାହିଁ । ଏହାର ଏକ ସଂକୀର୍ଣ୍ଣ ପଥ ବା ରାସ୍ତା ଥାଏ, ଯାହାର ଲମ୍ବ ପ୍ରାୟ ୧୫,୦୦୦ କିଲୋମିଟର କିନ୍ତୁ ଓସାର ମାତ୍ର ୧୫୦ କିଲୋମିଟର ହୋଇଥାଏ । ଏହି ସୀମିତ ଅଞ୍ଚଳ ମଧ୍ୟରେ ହିଁ ସମ୍ପୂର୍ଣ୍ଣ ଅନ୍ଧାର ଅନୁଭୂତ ହୁଏ । ସେହି ଦିନ ସମ୍ପୂର୍ଣ୍ଣ ଅମାବାସ୍ୟା ହୋଇଥିବା ଆବଶ୍ୟକ । ଚନ୍ଦ୍ର ନିଜର କକ୍ଷପଥର ଉପରେ ବା ତା’ର ଅତି ନିକଟରେ ଥିବା ଦରକାର, ଯାହା ଦ୍ୱାରା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିବେ । ଚନ୍ଦ୍ର ପୃଥିବୀର ସବୁଠାରୁ ନିକଟତମ ବିନ୍ଦୁ ବା ପେରିଜି ସ୍ଥିତିରେ ଥିବା ଆବଶ୍ୟକ, ଯାହାଦ୍ୱାରା ଚନ୍ଦ୍ରର ଆକାର ବଡ଼ ଦେଖାଯାଏ ଏବଂ ସେ ସୂର୍ଯ୍ୟଙ୍କୁ ପୂରା ଢାଙ୍କିପାରେ ।

ଭାରତରେ ଦେଖାଯିବ କି ଏହି ମହାଜାଗତିକ ଦୃଶ୍ୟ ?

ଭାରତୀୟ ମହାକାଶ ପ୍ରେମୀଙ୍କ ପାଇଁ ଏକ ସାମାନ୍ୟ ନିରାଶଜନକ ଖବର ହେଉଛି ଯେ, ୨୦୨୭ର ଏହି ସବୁଠାରୁ ଲମ୍ବା ପୂର୍ଣ୍ଣ ସୂର୍ଯ୍ୟପରାଗ ଭାରତରେ ସମ୍ପୂର୍ଣ୍ଣ ଭାବେ ଦେଖାଯିବ ନାହିଁ । ଭାରତରେ ଏହା କେବଳ ଏକ ଆଂଶିକ ସୂର୍ଯ୍ୟପରାଗ ଭାବେ ଦୃଶ୍ୟମାନ ହେବ । ଯେଉଁମାନେ ପୂର୍ଣ୍ଣତା ପଥ ବାହାରେ ରହିବେ, ସେମାନେ କେବଳ ସୂର୍ଯ୍ୟଙ୍କର କିଛି ଅଂଶ ଚନ୍ଦ୍ର ଦ୍ୱାରା ଆଚ୍ଛାଦିତ ହେବାର ଦେଖିପାରିବେ । ଏହା ବ୍ୟତୀତ ମହାକାଶରେ ‘ହାଇବ୍ରିଡ୍ ସୂର୍ଯ୍ୟପରାଗ’ ମଧ୍ୟ ଦେଖାଯାଏ, ଯାହା ନିଜ ଗତିପଥରେ ବଳୟ ଗ୍ରାସରୁ ପୂର୍ଣ୍ଣ ଗ୍ରାସ କିମ୍ବା ପୂର୍ଣ୍ଣ ଗ୍ରାସରୁ ବଳୟ ଗ୍ରାସ ପରାଗକୁ ପରିବର୍ତ୍ତିତ ହୋଇଥାଏ ।

ପୂର୍ଣ୍ଣ ସୂର୍ଯ୍ୟପରାଗର ୫ଟି ପ୍ରମୁଖ ଚରଣ:

ଏହି ମହାଜାଗତିକ ପ୍ରକ୍ରିୟା ମୋଟ ୫ଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥାଏ:

୧. ଆଂଶିକ ପରାଗର ଆରମ୍ଭ : ଚନ୍ଦ୍ରର ଛାୟା ସୂର୍ଯ୍ୟଙ୍କ ଉପରକୁ ଆସିବାକୁ ଲାଗେ । ଏହାକୁ ଦେଖିଲେ ମନେହୁଏ ସତେ ଯେମିତି କିଏ ସୂର୍ଯ୍ୟଙ୍କର ଗୋଟିଏ ପାର୍ଶ୍ୱକୁ କାଟି ଦେଇଛି ।

୨. ପୂର୍ଣ୍ଣ ପରାଗର ଆରମ୍ଭ: ଚନ୍ଦ୍ର ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିବାକୁ ଆରମ୍ଭ କରେ । ଏହି ସମୟରେ ‘ଅମ୍ବ୍ରା’ ବା ସବୁଠାରୁ ଗଭୀର ଛାଇ ସୃଷ୍ଟି ହୁଏ । ଠିକ୍ ଏହାପୂର୍ବରୁ ଆକାଶରେ ‘ଡାଇମଣ୍ଡ ରିଙ୍ଗ୍’ ଏବଂ ଚନ୍ଦ୍ରର ପାହାଡ଼ ଗୁମ୍ଫା ଦେଇ ଆଲୋକ ଆସିବା ଯୋଗୁଁ ‘ବେଲିଜ୍ ବିଡ୍ସ’ ଭଳି ଚମତ୍କାର ଦୃଶ୍ୟ ଦେଖାଯାଏ ।

୩. ପୂର୍ଣ୍ଣ ଗ୍ରାସ ଓ ସର୍ବାଧିକ ପରାଗ: ଏହା ହେଉଛି ସବୁଠାରୁ ରୋମାଞ୍ଚକର ସମୟ । ଚନ୍ଦ୍ର ସୂର୍ଯ୍ୟଙ୍କୁ ପୂରା ଲୁଚାଇ ଦିଏ ଏବଂ କେବଳ ସୂର୍ଯ୍ୟଙ୍କ ବାହ୍ୟ ପରିମଣ୍ଡଳ ବା ‘କରୋନା’ ଏକ ଆଲୋକିତ ମୁକୁଟ ଭଳି ଚମକେ । ଏହି ସମୟରେ ଦିନରେ ଅନ୍ଧାର ହୋଇଯାଏ, ତାପମାତ୍ରା ହ୍ରାସ ପାଏ ଏବଂ ପଶୁପକ୍ଷୀମାନେ ରାତି ଭାବି ନିଶବ୍ଦ ହୋଇ ବସାକୁ ଫେରିବାକୁ ଲାଗନ୍ତି ।

୪. ପୂର୍ଣ୍ଣ ପରାଗର ସମାପ୍ତି: ଚନ୍ଦ୍ର ଧୀରେ ଧୀରେ ସୂର୍ଯ୍ୟଙ୍କ ସମ୍ମୁଖରୁ ଆଗକୁ ବଢ଼ିଯାଏ ଏବଂ ସୂର୍ଯ୍ୟ ପୁଣି ଦେଖାଯାନ୍ତି । ଏହି ସମୟରେ ମଧ୍ୟ ପୁଣିଥରେ ଡାଇମଣ୍ଡ ରିଙ୍ଗ୍ ଦୃଶ୍ୟମାନ ହୁଏ ।

୫. ଆଂଶିକ ପରାଗର ସମାପ୍ତି: ଚନ୍ଦ୍ର ସୂର୍ଯ୍ୟଙ୍କ କକ୍ଷରୁ ସମ୍ପୂର୍ଣ୍ଣ ବାହାରକୁ ଚାଲିଯାଏ ଏବଂ ସୂର୍ଯ୍ୟପରାଗ ଶେଷ ହୁଏ ।

ସତର୍କତା ସୂଚନା: ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଙ୍କୁ କଦାପି ଖାଲି ଆଖିରେ ଦେଖିବା ଉଚିତ୍ ନୁହେଁ । ସୂର୍ଯ୍ୟଙ୍କର ଶକ୍ତିଶାଳୀ ବିକିରଣ ଆଖିର ରେଟିନାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଅନ୍ଧତ୍ୱ ସୃଷ୍ଟି କରିପାରେ । ତେଣୁ ଏହାକୁ ଦେଖିବା ପାଇଁ ସବୁବେଳେ ପ୍ରମାଣିତ ସୋଲାର ଫିଲ୍ଟର ବା ସ୍ୱତନ୍ତ୍ର ଚଷମା ବ୍ୟବହାର କରନ୍ତୁ ।