ମୁମ୍ବାଇ,୮।୫: ଦକ୍ଷିଣ ମୁମ୍ବାଇର ଫିଧୋନି ଅଞ୍ଚଳରେ ତରଭୁଜ ଖାଇ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟଣାର ଏଫଏସ୍‌ଏଲ୍‌ (ଫରେନସିକ ସାଇନ୍ସ ଲାବରେଟୋରୀ) ରିପୋର୍ଟ ଆଜି ସାମ୍‌ନାକୁ ଆସିଛି । ସେଥିରେ ଦର୍ଶାଯାଇଛି କି ତରଭୁଜରେ ବିଷ ମିଶିଥିବାରୁ ତାକୁ ଖାଇବା ପରେ ସେମାନଙ୍କର ମୃତ୍ୟୁ ଘଟିଛି । ତରଭୁଜରେ ମୂଷା ମରା ବିଷ ଜିଙ୍କ ଫସଫାଇଡ୍‌ ମିଶିଥିବା ତଦନ୍ତରୁ ଜଣାପଡିଛି । ତରଭୁଜ ଓ ମୃତବ୍ୟକ୍ତିଙ୍କ ଭିସେରାରୁ ଏହି ମୂଷାମରା ବିଷ ଠାବ କରାଯାଇଛି । ଏଫଏସ୍‌ଏଲ୍‌ ରିପୋର୍ଟ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି ।

ତେବେ ତରଭୁଜରେ କିଭଳି ମୂଷାମରା ବିଷ ମିଶିଲା ପୁଲିସ ତାକୁ ନେଇ ତଦନ୍ତ ଆରମ୍ଭ କରିଛି । ପ୍ରକୃତରେ କେହି ଜାଣିଶୁଣି ବିଷ ମିଶାଇଥିଲେ ନା ଅଜାଣତରେ ବିଷ ମିଶିଥିଲା ତାହା ଜଣାପଡିନାହିଁ । ପରିବାରର ମୁଖ୍ୟ ଅବଦୁଲ ଧୋକାଡିଆ (୪୪), ପତ୍ନୀ ନସରିନ୍‌ (୩୫) ଏବଂ ଦୁଇଝିଅ ଆୟେଶା (୧୬) ଓ ଜୈନବ (୧୩)ଙ୍କର ବିରିୟାନୀ ଓ ତରଭୁଜ ଖାଇବା ଯୋଗୁ ମୃତ୍ୟୁ ଘଟିଥିଲା । ଏପ୍ରିଲ ୨୫ ତାରିଖ ରାତିରେ ସେମାନେ ନିଜ ଘରେ ଭୋଜି କରିଥିଲେ । ବନ୍ଧୁ ଓ ପରିଜନ ସମସ୍ତେ ଆସିଥିଲେ । ରାତି ପ୍ରାୟ ୧ଟାରେ ସମସ୍ତେ ଚିକେନ ବିରିୟାନୀ ଖାଇଥିଲେ । ନିମନ୍ତ୍ରିତ ବନ୍ଧୁ ଓ ପରିଜନମାନେ ଚାଲିଯିବା ପରେ ଏହି ପରିବାରର ୪ଜଣ ସଦସ୍ୟ ଘରେ ରଖିଥିବା ତରଭୁଜ ଖାଇ ଶୋଇଥିଲେ । କିନ୍ତୁ କିଛି ସମୟ ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ନିକଟସ୍ଥ ଜଣେ ଡାକ୍ତରଙ୍କୁ ସେମାନେ ଘରକୁ ଡାକି ଔଷଧ ଖାଇଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ବେଳକୁ ଜଣେ ଝିଅଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟମାନଙ୍କୁ ତୁରନ୍ତ ସରକାରୀ ଜେ.ଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ତଦନ୍ତରୁ ଜଣାପଡିଥିଲା କି ବିରିୟାନୀ ଖାଇଥିବା ଅନ୍ୟ ଅତିଥିଙ୍କର କିଛି ଅସୁବିଧା ହୋଇନଥିଲା । ହେଲେ ତରଭୁଜ ଖାଇବା ପରେ ଧୋକଡିଆ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ତରଭୁଜ ହିଁ ବିଷାକ୍ତ ହୋଇଥିବା ସନ୍ଦେହରେ ତାର ଏଫଏସ୍‌ଏଲ୍‌ ଯାଞ୍ଚ କରାଯାଇଥିଲା ।

ଅଧିକ ପଢ଼ନ୍ତୁ- Mahua controversy : ଦିଲ୍ଲୀ ଯିବା ବେଳେ ବିମାନରେ ମହୁଆଙ୍କୁ ଦେଖି ଚୋର ଚୋର ଚିଲେଇଲେ ଯାତ୍ରୀ, କାର୍ଯ୍ୟାନୁଷ୍ଠାନ ଦାବି କଲେ TMC ସାଂସଦ​​​​​​​