ପୁରୀ, ୦୮/୦୫ : ଆଉ ମାତ୍ର ଦିନକ ପରେ ଭଉଁରୀ ଉତ୍ସବ । ସେଦିନ ଚକ ଅଖ ସଂଯୋଗ ପାଇଁ ପ୍ରସ୍ତୁତ ରହିଛି ରଥତ୍ରୟର ନାହାକା ଚକ ଓ ଅଖ । ତିନି ରଥର ୧୯ଟି ଚକ କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ସ୍ଥଳେ ଅନ୍ୟ ଚକ ତିଆରି ପାଇଁ ପହିକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଓଝା ସେବକମାନେ ଦୋଳବେଦି ଶାଳରେ ଚକ ପାଇଁ ପନ୍ଦାରି ଚାବି ଓ ବଳା ତିଆରୁଛନ୍ତି । ତୁମ୍ବର ଭିତର ପାର୍ଶ୍ୱରେ ଲାଗୁଛି ପନ୍ଦାରି । ତାହାର ମଜଭୁତି ପାଇଁ ଚାବି ତିଆରି ହୋଇ ଲଗାଯାଉଛି । ଚକ ବାହାର ପାର୍ଶ୍ୱରେ ଲାଗୁଛି ବଳା । ଏସବୁର ଆକାର ଚକ ମାପ ଅନୁସାରେ ତିଆରି ଚାଲିଛି । ଯେପରି ରଥ ଗଡ଼ିଲାବେଳେ ଚକକୁ କ୍ଷତି ନପହଞ୍ଚିବ ।
ରଥ ଖଳାରେ ରଥ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା, ରୂପକାର, ଭୋଇ ଓ କରତୀ ସେବକ । ଗୁରୁବାର ବିଶ୍ୱକର୍ମାମାନେ ପାର୍ଶ୍ୱ ମୁହାଂଟ ଓ ନିରାଡ଼ି କାମ ଆରମ୍ଭ କରିଛନ୍ତି । ରଥର ମୂଳଦୁଆ ଦଣ୍ଡାର ପାର୍ଶ୍ୱରେ ଲାଗିବ ପାଶ୍ୱ ମୁହାଂଟ । ନିରାଡ଼ି ହେଉଛି ରଥ ଉପରିଭାଗର ରଥାଂଶ । ରଥର ଚକ ତିଆରି ହେଉଛି ବର୍ତ୍ତମାନର ମୁଖ୍ୟ କାର୍ଯ୍ୟ । ଭୋଇସେବକମାନେ ଯନ୍ତାଗାଡ଼ରେ ତୁମ୍ବରେ ଅର ଭୁଞ୍ଜି ସିଙ୍ଗଡ଼ା ପ୍ରସ୍ତୁତ କରୁଛନ୍ତି । ଗୋଟିଏ ଚକରେ ୧୬ଟି ଅର ଭୁଞ୍ଜା ଯାଉଛି । ଭୋଇସେବକମାନେ ରଥଖଳାକୁ ସିଙ୍ଗଡ଼ା ବୋହି ନେଉଛନ୍ତି । ଚାଳିରେ ବିଶ୍ୱକର୍ମାମାନେ ଚକ ପ୍ରସ୍ତୁତ କରୁଛନ୍ତି । ଖଳାରେ ପହି ପହଞ୍ଚି ନଥିବାରୁ ଚକ ନିର୍ମାଣ ଅଟକିଛି । ଗୋଟିଏ ଚକରେ ୪ଟି ପହି ଲାଗୁଛି । ପହି ଆସିଲେ ବଡ଼ ଓ ସାନ ଉଛୁଳା ଚକ ତିଆରି ହେବ ।
କଟକ ଖପୁରିଆସ୍ଥିତ କରତକଳରୁ କାଠ ଚିରା ହୋଇ ପହି ରଥଖଳାରେ ପହଞ୍ଚିବ । କରତୀ ସେବକମାନେ ମେସିନ୍ରେ ତୁମ୍ବର ବିନ୍ଧ ଖୋଦେଇ କରୁଛନ୍ତି । ରୂପକାରମାନେ ସାଲ ଗୁଜରେ ସିଂହ ବିରାଳ ଖୋଦେଇ ଜାରି ରଖିଛନ୍ତି । ଓଝା ସେବକମାନେ କମାର ଶାଳରେ ରଥ ପାଇଁ ପନ୍ଦାରି, ପନ୍ଦାରିଚାବି ଓ ବଳା ତିଆରି ଖଳାକୁ ଯୋଗାଉଛନ୍ତି । ଗତକାଲି ରଥ ନିର୍ମାଣ କାର୍ଯ୍ୟରେ ମୋଟ ୧୯୩ ଜଣ ନିୟୋଜିତ ଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ।
ଏହି ଖବରଟିକୁ ପଢନ୍ତୁ- ୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ଆଜି ପାଇଁ ବିଭିନ୍ନ ସ୍ଥାନକୁ ଝଡ଼ବର୍ଷା ଆଲର୍ଟ