ଭୁବନେଶ୍ୱର, ୦୮/୦୫ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ଆସନ୍ତା ୧୨/୧୩ ତାରିଖ ବେଳକୁ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ମାତ୍ର ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ କି ନାହିଁ, ସେ ନେଇ ଏବେଠାରୁ ଚିତ୍ର ସ୍ପଷ୍ଟ ନୁହେଁ । ଆଗାମୀ ଦୁଇ ସପ୍ତାହ ପାଇଁ ପାଣିପାଗ ବିଭାଗ ଜାରି କରିଥିବା ବିସ୍ତାରିତ ପୂର୍ବାନୁମାନରୁ ଏହି ସଙ୍କେତ ମିଳିଛି।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୮ରୁ ୨୦ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିପାରେ । ବିଭିନ୍ନ ମଡେଲ୍‌କୁ ବିଶ୍ଳେଷଣ କରି ଆକଳନ କରାଯାଇଛି, ଚଳିତ ସପ୍ତାହ (୮ରୁ ୧୪ ତାରିଖ)ର ଶେଷ ଭାଗକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ଅଛି । ୧୪ରୁ ୨୧ ତାରିଖ ଭିତରେ ରାଜ୍ୟରେ ବର୍ଷା ବଢ଼ିପାରେ । ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିପାରେ ।  

ଇସିଏମଡବ୍ଲ୍ୟୁଏଫ ମଡେଲ୍‌କୁ ବିଶ୍ଳେଷଣ କରି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମେ’ ୧୦-୧୧ ତାରିଖବେଳକୁ ଦକ୍ଷିଣ-ପଶ୍ଚିମରୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଦୁର୍ବଳରୁ ମଧ୍ୟମ ଧରଣର ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ବଡ଼ ବାତ୍ୟା ଅପେକ୍ଷା କାଳବୈଶାଖୀ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ ସମୁଦ୍ର ଅଶାନ୍ତ ରହିବା ଓ ଗୁଳୁଗୁଳି ବୃଦ୍ଧି ସମ୍ଭାବନା ଅଧିକ । ୧୦ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହୋଇପାରେ।  

ଅନ୍ୟପକ୍ଷରେ ପୂର୍ବରୁ ବାତ୍ୟା ନେଇ ଜିଏଫଏସ୍‌ ମଡେଲ୍‌ ପୂର୍ବାନୁମାନ କରିଥିବାବେଳେ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିବାବେଳେ କେତେକ ଜିଲ୍ଲାରେ ପାରଦ ୩୯ ଡିଗ୍ରୀ ଛୁଇଁଥିଲା । ଉପକୂଳରେ ପାରଦ ୩୬-୩୭ ଡିଗ୍ରୀ ଟପିଥିଲା । ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ଶୁକ୍ରବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା ପବନ ଆଶଙ୍କା ଅଛି ।

ଏହି ଖବରଟିକୁ ପଢନ୍ତୁଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ