• ଆପଣ ଘରେ ଅଛି କି ୨ ହଜାର ଟଙ୍କିଆ ନୋଟ୍ ?
  • ୨ ହଜାର ଟଙ୍କିଆ ନୋଟ୍ ମିଳିଲେ କରିବେ କଣ ?
  • ଏବେ ବି କଣ ଚଳେଇ ହେବ କି ଏହି ବଡ଼ ନୋଟ୍ ?

ନୂଆଦିଲ୍ଲୀ; ୪/୧ :ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ ନୋଟ୍ ଆଉ ଚଳୁନି । ୨୦୨୩ ମସିହାରୁ ଏହି ନୋଟ୍ ପ୍ରଚଳନ ଉପରେ ରୋକ୍ ଲଗାଯାଇଛି । ମାତ୍ର ଏବେ ଯଦି ଆପଣଙ୍କ ଘରୁ ଏହି ନୋଟ୍ ଭୁଲରେ ମିଳିଯାଏ ତାହେଲେ କଣ କରିବେ ? ସାଧାରଣତଃ ଆମେ ଘର ଲୋକଙ୍କୁ ଲୁଚାଇ ଏହି ଟଙ୍କା ରଖିଥାଉ । ମାତ୍ର ଠିକ୍ ସମୟରେ ଟଙ୍କା ମିଳିନଥାଏ । ଠିକ୍ ସେହିପରି ଯଦି ଭୁଲରେ ଆପଣ କେଉଁଠାରେ ଏହି ୨୦୦୦ ହଜାର ଟଙ୍କିଆ ନୋଟ୍ ରଖିଥିବେ ଆଉ ଏବେ ଯଦି ମିଳେ ତାହେଲେ କଣ କରିବେ ?

ଭାରତୀୟ ରିଜର୍ଭ ବ୍ୟାଙ୍କର ରିପୋର୍ଟ ମୁତାବକ, ୨ ହଜାର ଟଙ୍କା ନୋଟ୍ ମଧ୍ୟରୁ ୯୮.୪୧ ପ୍ରତିଶତ ଟଙ୍କା ବ୍ୟାଙ୍କକୁ ଆସିଛି । ଏବେ ମଧ୍ୟ ଅନେକ ଟଙ୍କା ବ୍ୟାଙ୍କକୁ ଆସିନି । କିନ୍ତୁ ଯଦି ଆପଣଙ୍କ ପାଖରେ ଯଦି ୨୦୦୦ ହଜାର ଟଙ୍କିଆ ନୋଟ୍ ଅଛି ତାହେଲେ ଭୟଭୀତ ହେବାର କୌଣସି କାରଣ ନାହିଁ । ଯଦିଓ ଏହି ନୋଟ ଏବେ ପ୍ରଚିଳିତ ହେଉନାହିଁ କିନ୍ତୁ ଏହା ଏବେ ମଧ୍ୟ ଆଇନଗତ ରହିଥିବା ଆରବିଆଇ ସ୍ପଷ୍ଠ କରିଛି । ସାଧାରଣ ବ୍ୟାଙ୍କ ଶାଖା ଗୁଡ଼ିକରେ ଏହି ନୋଟକୁ ବଦଳାଇବା ପାଇଁ ଆରବିଆଇ ୭ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସମୟ ଦେଇଥିଲା । ଲୋକେ ନିର୍ଦ୍ଧାରିତ ସମୟ ମଧ୍ୟରେ ନୋଟକୁ ଡିପୋଜିଟ୍ କରିଥିଲେ । ମାତ୍ର ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଯେକୌଣସି ଇସ୍ୟୁ ଅଫିସକୁ ଯାଇ ଆପଣ ଏହି ଟଙ୍କାକୁ ଡିପୋଜିଟ୍ କରିପାରିବେ । କିନ୍ତୁ ଆପଣଙ୍କ ପରିଚୟ ପତ୍ର ଯାଞ୍ଚ ହେବା ପରେ ଏସବୁ ସମ୍ଭବ ହୋଇପାରିବ । ଏହାସହ ଆପଣଙ୍କ ବ୍ୟାଙ୍କିଂ ମାନଦଣ୍ଡକୁ ମଧ୍ୟ ପରଖାଯିବ । ଏହାସହ ଆପଣ ପୋଷ୍ଟାଲରେ ମଧ୍ୟ ଏହି ନୋଟକୁ ଜମା କରିପାରିବେ । ମାତ୍ର ସମ୍ପୂର୍ଣ୍ଣ ତଥ୍ୟ ଯାଞ୍ଚ ହେବା ପରେ ଏହି ଅର୍ଥ ଆପଣଙ୍କ ଆକାଉଣ୍ଟକୁ ଯିବ । ଯଦିଓ ଏବେ ଏହି ନୋଟ୍ ସକ୍ରିୟ ଭାବେ ପ୍ରଚଳନ ହେଉନାହିଁ ମାତ୍ର ଏହା ଆଇନଗତ ।

କହି ରଖୁଛୁ କି, ୨୦୧୬ରେ ବିମୁଦ୍ରୀକରଣ ପରେ ନୂଆ ୫ଶହ ଟଙ୍କିଆ ଏବଂ ୨ହଜାର ଟଙ୍କିଆ ବଜାରକୁ ଆସିଥିଲା । ପ୍ରଥମେ ୨ହଜାର ଟଙ୍କିଆ ଆସିଥିବାବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ବଜାରରେ ବହୁ ନକଲି ନୋଟ ମଧ୍ୟ ଦେଖିବାକୁ ମିଳିଥିଲା । ୨୦୧୬ ନଭେମ୍ବର ମାସରେ ନୂଆ ୨ହଜାର ଟଙ୍କିଆ ନୋଟ ପ୍ରଚଳିତ ହୋଇଥିବାବେଳେ ୭ ବର୍ଷ ପୂରଣ ନହେବା ଆଗରୁ ଏହା ବନ୍ଦ ହେବାକୁ ଯାଉଛି । ୨୦୧୮ ମସିହା ପରଠାରୁ ୨ହଜାର ଟଙ୍କିଆ ନୋଟ ଛପା ବନ୍ଦ ହୋଇଯାଇଥିବାବେଳେ ଏହା ବଜାରରୁ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଥିଲା । ଏଟିଏମରୁ ମଧ୍ୟ ଏହି ନୋଟ ବାହାରିନଥିଲା ।