ନୂଆଦିଲ୍ଲୀ,୦୫/୦୮: ସୋମବାରଠାରୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ମୁଦ୍ରାନୀତି  କମିଟି (ଏମ୍‌ପିସି)  ଆରମ୍ଭ  ହୋଇଛି । ୩ ଦିନ ଧରି ବୈଠକ ଆଲୋଚନା ହେବ। ୬ ତାରିଖ ଅର୍ଥାତ ବୁଧବାର ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମଲ୍‌ହୋତ୍ରା ନିଷ୍ପତ୍ତି ଘୋଷଣା କରିବେ । ଚଳିତ ଥର କେନ୍ଦ୍ରୀୟ ବ୍ୟାଙ୍କ୍ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ (୦.୨୫%) ହ୍ରାସ କରିପାରେ ।  

ଆମେରିକାର ଟାରିଫ୍ ୱାର ଏବଂ  ବିଶ୍ୱ ବଜାରର ଅନିଶ୍ଚିତତା ଯୋଗୁ ଦେଶର ଜିଡିପି ଉପରେ ପ୍ରଭାବ ପଡ଼ିବାର  ଆଶଙ୍କା ରହିଛି । ଏହାକୁ ଧ୍ୟାନରେ ରଖି ଆର୍‌ବିଆଇ ସୁଧହାରରେ ହ୍ରାସ କରିପାରେ । ଏହା ଦ୍ୱାରା ଅଭିବୃଦ୍ଧିକୁ ବଳ ମିଳିବ ବୋଲି କହିଛନ୍ତି ବିଶେଷଜ୍ଞ । 

ଆର୍‌ବିଆଇ ଚଳିତ ଥର ୩ଥର ରେପୋ ରେଟ୍‌ ହ୍ରାସ କଲାଣି । ଏହି  ଅବଧିରେ ରେପୋ ୧% ହ୍ରାସ ହୋଇଛି ।  ଫେବ୍ରୁଆରିରେ ହୋଇଥିବା ବୈଠକରେ ରେପୋ ୬.୫୦%ରୁ ହ୍ରାସ ହୋଇ ୬.୨୫%  ସ୍ତରକୁ ଖସିଥିଲା । ପ୍ରାୟ ୫ ବର୍ଷ ପରେ ଆର୍‌ବିଆଇ ରେପୋ ହାରରେ ଏଭଳି  ହ୍ରାସ କରିଥିଲା । ସେହିଭଳି ଏପ୍ରିଲରେ  ହୋଇଥିବା ଏମ୍‌ପିସି ବୈଠକରେ  କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ୦.୨୫% ରେପୋ ହ୍ରାସ କଲା । ଜୁନ୍ ମାସରେ ତୃତୀୟ ଥର ଲାଗି ହୋଇଥିବା ସୁଧହାର ହ୍ରାସ । 

ରେପୋ ହେଉଛି ସେହି ସୁଧହାର ଯେଉଁହାରରେ ବ୍ୟାଙ୍କ ଆର୍‌ବିଆଇ ଠାରୁ ଋଣ ନେଇଥାନ୍ତି । ରେପୋ ହ୍ରାସ ହେଲେ ବ୍ୟାଙ୍କ୍ ଗୁଡ଼ିକୁ ଶସ୍ତାରେ ଋଣ ପ୍ରଦାନ କରନ୍ତି  । ଫଳରେ ବ୍ୟାଙ୍କ୍ ଗୁଡ଼ିକ ଏହାର ଲାଭ ଗ୍ରାହକଙ୍କୁ ପ୍ରଦାନ କରିଥାନ୍ତି । ଏହାକୁ ଦେଖିଲେ ଆଗାମୀ ଦିନରେ ବାସଗୃହ ଏବଂ ଅଟୋମୋବାଇଲ ବର୍ଗରେ ଋଣ ୦.୫୦% ଯାଏ ଶସ୍ତା ହୋଇପାରେ ।  

ରେପୋ କମିଲେ ବ୍ୟାଙ୍କ୍ ଗୁଡ଼ିକ ହାଉସିଂ ଏବଂ ଅଟୋ ଋଣ ଉପରେ ସୁଧହାର କମ୍‌ କରିପାରନ୍ତି । ଋଣ ଶସ୍ତା ହେବା ସହ ଇଏମ୍‌ଆଇ କମିଥାଏ । ସୁଧହାର କମ୍‌ ରହିଲେ  ଘର ଚାହିଦା ବଢ଼ିଥାଏ । ଅଧିକ ଲୋକ  ରିୟଲ ଇଷ୍ଟେଟରେ ନିବେଶ କରିଥାନ୍ତି ।