ନୂଆଦିଲ୍ଲୀ,୨୭/୦୩: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)  ଆର୍ଥିକ ବର୍ଷ ୨୦୨୫-୨୬ ଲାଗି  ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ସମ୍ପର୍କରେ ଘୋଷଣା କରିଛି । ଆର୍ଥିକ  ବର୍ଷର ପ୍ରଥମ ଏମ୍‌ପିସି ବୈଠକ ଏପ୍ରିଲ  ୭ରୁ ୯ ଯାଏ ଅନୁଷ୍ଠିତ ହେବ । ଏହି  ବୈଠକରେ ପୁଣି ଥରେ ରେପୋ ରେଟ୍‌  ହ୍ରାସ ହେବ ବୋଲି ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି ।

୫ରୁ ୭ ଫେବ୍ରୁଆରି ଯାଏ ଅନୁଷ୍ଠିତ ଏମ୍‌ପିସି ବୈଠକରେ ଆର୍‌ବିଆଇ ୫ ବର୍ଷ ପରେ ସୁଧହାରରେ ପରିବର୍ତ୍ତନ କରିଥିଲା । ଗଭର୍ଣ୍ଣର ସଞ୍ଜୟ ମାଲ୍‌ହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ଏହାର  ରେପୋ ହାରରେ ୨୫ ବେସିସ୍‌ ପଏଣ୍ଟ  ହ୍ରାସ କରିବା ଯୋଗୁ ଏହା ୬.୨୫%  ସ୍ତରରେ ରହିଛି । ୨୦୨୦ମେ ପରେ ପ୍ରଥମ  ଥର ଲାଗି ରେପୋ ରେଟ୍‌ ଖସିଛି । ଆର୍ଥିକ  ବର୍ଷ ୨୦୨୫-୨୬ରେ ଦେଶର ଜିଡିପି  ୬.୭% ଏବଂ ମୁଦ୍ରାସ୍ଫୀତି ୪.୨% ରହିବ  ବୋଲି ଆର୍‌ବିଆଇ ଅନୁମାନ କରିଥିଲା ।