ନୂଆଦିଲ୍ଲୀ, ୧୦।୪:ଆଜିକାଲିର ଡିଜିଟାଲ ଯୁଗରେ ପେମେଣ୍ଟ ଯେତିକି ସହଜ ହୋଇଛି, ଅନଲାଇନ୍ ଠକେଇ ମଧ୍ୟ ସେତିକି ବଢ଼ିବାରେ ଲାଗିଛି । ଆପଣଙ୍କ କଷ୍ଟ ଅର୍ଜିତ ଧନକୁ ସାଇବର ଲୁଟେରାଙ୍କ କବଳରୁ ରକ୍ଷା କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ କ୍ରାନ୍ତିକାରୀ ପଦକ୍ଷେପ ନେବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ, ବଡ଼ ଅଙ୍କର କାରବାର ଉପରେ ଏବେ ଲଗାମ କଷାଯିବ । RBI ର ସବୁଠୁ ବଡ଼ ପ୍ରସ୍ତାବ ହେଉଛି 'କିଲ୍ ସୁଇଚ୍' । ଏହା ଆପଣଙ୍କ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ରେ ଏକ "ମ୍ୟାଜିକ୍ ବଟନ୍" ଭଳି କାମ କରିବ ।
କେମିତି କାମ କରିବ ଏହି "ମ୍ୟାଜିକ୍ ବଟନ୍" ?
ଯଦି ଆପଣଙ୍କୁ କେବେ ସନ୍ଦେହ ହୁଏ ଯେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି କିମ୍ବା ଆପଣ କୌଣସି ଠକେଇର ଶିକାର ହେଉଛନ୍ତି, ତେବେ ଏହି ବଟନ୍ ଦବାଇବା ମାତ୍ରେ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଡିଜିଟାଲ୍ ପେମେଣ୍ଟ ଯେପରିକି UPI, ନେଟ୍ ବ୍ୟାଙ୍କିଙ୍ଗ୍, କାର୍ଡ ତୁରନ୍ତ ବନ୍ଦ ହୋଇଯିବ । ଏହାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିପାରେ । ଅଧିକାଂଶ ସମୟରେ ଠକମାନେ ଆପଣଙ୍କୁ ଭୟଭୀତ କରି ତରବରିଆ ଭାବେ ବଡ଼ ଅଙ୍କର ଟଙ୍କା ଟ୍ରାନ୍ସଫର କରାଇ ନିଅନ୍ତି । ଏହାକୁ ରୋକିବା ପାଇଁRBI ଆଣୁଛି 'ଲାଗ୍ଡ କ୍ରେଡିଟ୍' । ଯଦି ଆପଣ ₹୧୦,୦୦୦ରୁ ଅଧିକ ଟଙ୍କା କାହାକୁ ପଠାଉଛନ୍ତି, ତେବେ ସେହି ଟଙ୍କା ତୁରନ୍ତ ଅପରପକ୍ଷର ଆକାଉଣ୍ଟକୁ ଯିବ ନାହିଁ । ୧ ଘଣ୍ଟାର ସମୟ: ଟ୍ରାଞ୍ଜାକ୍ସନ ଆରମ୍ଭ ହେବା ପରେ ଏହା ୧ ଘଣ୍ଟା ପାଇଁ ହୋଲ୍ଡରେ ରହିବ । ଯଦି ଆପଣ ଜାଣିପାରନ୍ତି ଯେ ଆପଣ ଭୁଲ୍ ଜାଗାରେ ଟଙ୍କା ପଠାଇଛନ୍ତି, ତେବେ ସେହି ୧ ଘଣ୍ଟା ମଧ୍ୟରେ ଆପଣ ପେମେଣ୍ଟକୁ କ୍ୟାନ୍ସେଲ୍ କରିପାରିବେ । ତଥ୍ୟ କହୁଛି ଯେ, ମୋଟ ଠକେଇର ୯୮.୫% କାରବାର ୧୦,୦୦୦ରୁ ଅଧିକ ହୋଇଥାଏ ।
ଏହା ବି ପଢ଼ନ୍ତୁ... AC ବିଲ୍ ଟେନସନ୍ ଶେଷ ! 'ପିଏମ୍ ସୂର୍ଯ୍ୟ ଘର' ଯୋଜନାରେ ଘରକୁ ଆଣନ୍ତୁ ସୋଲାର ଏସି
ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ 'ଟ୍ରଷ୍ଟେଡ୍ ପର୍ସନ୍':
୭୦ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସହଜରେ ସାଇବର ଠକଙ୍କ ଶିକାର ହୁଅନ୍ତୁ । ସେମାନଙ୍କ ସୁରକ୍ଷା ପାଇଁ RBI ଏକ ନୂଆ ବିକଳ୍ପ ଦେବ । ବଡ଼ କାରବାର ବେଳେ ଏହି ଗ୍ରାହକମାନେ ନିଜର ଜଣେ 'ଭରସାଯୋଗ୍ୟ ବ୍ୟକ୍ତି'ଙ୍କୁ ବାଛିପାରିବେ । ସେହି ବ୍ୟକ୍ତି ଜଣକ ଭେରିଫିକେସନ କଲା ପରେ ହିଁ ଟଙ୍କା ଟ୍ରାନ୍ସଫର ହେବ । ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (NCRP) ର ତଥ୍ୟ ଅନୁଯାୟୀ, ୨୦୨୫ ବର୍ଷରେ ପ୍ରାୟ ୨୮ ଲକ୍ଷ ଠକେଇ ମାମଲା ସାମ୍ନାକୁ ଆସିଛି । ଦେଶବାସୀ ପ୍ରାୟ ୨୨,୯୩୧ କୋଟି ଟଙ୍କା ଠକେଇରେ ହରାଇଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ଉପରେ RBI ଆସନ୍ତା ମେ ୮, ୨୦୨୬ ପର୍ଯ୍ୟନ୍ତ ଜନସାଧାରଣଙ୍କ ମତାମତ ମାଗିଛି । ଏହା ପରେ ଏହି ନିୟମ କାର୍ଯ୍ୟକାରୀ ହୋଇପାରେ ।