ନୂଆଦିଲ୍ଲୀ, ୨୯।୫: ଆପଣଙ୍କ ପକେଟ୍ରେ ଥିବା ସାଧାରଣ କାଗଜ ନୋଟ୍ ଖୁବ୍ଶୀଘ୍ର ସବୁଦିନ ପାଇଁ ଅଚଳ ହୋଇପାରେ । ବଜାରରେ କ୍ରମାଗତ ଭାବେ ବଢ଼ୁଥିବା ନଗଦ ଟଙ୍କାର ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । କେନ୍ଦ୍ରୀୟ ବ୍ୟାଙ୍କ ଏବେ ପାରମ୍ପରିକ କାଗଜ ବଦଳରେ ପ୍ଲାଷ୍ଟିକ ଅର୍ଥାତ୍ ପଲିମର ନୋଟ୍ ଛାପିବା ଯୋଜନାକୁ ଗମ୍ଭୀରତାର ସହ ବିଚାର କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିକଟରେ ପାଟନା ଏବଂ ମୁମ୍ବାଇରେ ଅନୁଷ୍ଠିତ ଆରବିଆଇର କେନ୍ଦ୍ରୀୟ ବୋର୍ଡ ବୈଠକରେ ଏହି ବଡ଼ ପରିବର୍ତ୍ତନ ସମ୍ପର୍କରେ ଘନ ଘନ ଆଲୋଚନା ହୋଇଛି । ତେବେ ଏହି ପ୍ଲାଷ୍ଟିକ ନୋଟ୍ ବା ପଲିମର କରେନ୍ସିର ବିଶେଷତ୍ୱ କ’ଣ ଏବଂ ବିଶ୍ୱର କେଉଁ କେଉଁ ଦେଶରେ ଏହି ବ୍ୟବସ୍ଥା ସଫଳତାର ସହ ଚାଲୁଛି, ଆସନ୍ତୁ ସେ ବିଷୟରେ ।
କାଗଜ ନୋଟ୍ ତୁଳନାରେ ଢେର ଅଧିକ ତିଷ୍ଠିବ ‘ପଲିମର କରେନ୍ସି’
କାଗଜ ନୋଟକୁ ହଟାଇବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ଏହାର ପ୍ରସ୍ତୁତି ଖର୍ଚ୍ଚ ଏବଂ ସ୍ଥାୟୀତ୍ୱ । ବ୍ୟାଙ୍କିଙ୍ଗ ବିଶେଷଜ୍ଞଙ୍କ ମତରେ:
ଦୀର୍ଘସ୍ଥାୟୀ ଓ ମଜଭୁତ: ପ୍ଲାଷ୍ଟିକ ନୋଟ୍ ସାଧାରଣ କାଗଜ ନୋଟ୍ ତୁଳନାରେ ପ୍ରାୟ ଅଢ଼େଇ ଗୁଣରୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରହେ ।
ପାଣି ଓ ମଇଳା ପ୍ରତିରୋଧକ: ଏହି ନୋଟ୍ଗୁଡ଼ିକ ଉପରେ ପାଣି, ଆଦ୍ରତା, କାଦୁଅ କିମ୍ବା କୌଣସି ପ୍ରକାର ମଇଳାର ପ୍ରଭାବ ପଡ଼େନାହିଁ । ଏହା ପାଣିରେ ଭିଜିଲେ ମଧ୍ୟ ନଷ୍ଟ ହୁଏନାହିଁ ।
ଚିରିବା ସହଜ ନୁହେଁ: ଏଗୁଡ଼ିକ ସହଜରେ ଚିରେ ନାହିଁ, ଯାହାଫଳରେ କେନ୍ଦ୍ରୀୟ ବ୍ୟାଙ୍କକୁ ବାରମ୍ବାର ନୂଆ ନୋଟ୍ ଛାପିବାକୁ ପଡ଼ିବ ନାହିଁ ଏବଂ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ସଞ୍ଚୟ ହେବ ।
ଜାଲ୍ ନୋଟ୍ ମୁକ୍ତ: ପ୍ଲାଷ୍ଟିକ ନୋଟ୍ର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ନକଲ କରିବା ବା ଜାଲ୍ ନୋଟ୍ ପ୍ରସ୍ତୁତ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ଏଥିରେ ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରାଯାଇଥାଏ ।
ବିଶ୍ୱର ପ୍ରାୟ ୬୦ଟି ଦେଶରେ ଏହି ନୂତନ ଜ୍ଞାନକୌଶଳର ଜୟଯାତ୍ରା:
୧୯୮୮ ମସିହାରେ ଅଷ୍ଟ୍ରେଲିଆର ମାତ୍ର ୧୦ ଡଲାରର ନୋଟ୍ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ସିଙ୍ଗାପୁର, ଇଣ୍ଡୋନେସିଆ, ମାଲେସିଆ, କାନାଡ଼ା, ବ୍ରିଟେନ ଏବଂ ଥାଇଲ୍ୟାଣ୍ଡ ଭଳି ବଡ଼ ବଡ଼ ଦେଶରେ ପହଞ୍ଚିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମୁଦ୍ରା କୁହାଯାଉଥିବା ‘ଆମେରିକୀୟ ଡଲାର’ କିନ୍ତୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକରେ ତିଆରି ନୁହେଁ । ଏହାକୁ ସ୍ୱତନ୍ତ୍ର ଭାବେ ତୁଳା ଏବଂ ଲିନେନ୍ର ଏକ ସ୍ୱତନ୍ତ୍ର ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ, ଯାହାଦ୍ୱାରା ଏହା ସାଧାରଣ କାଗଜଠାରୁ ଢେର ଅଧିକ ଶକ୍ତ ହୋଇଥାଏ ।
ଭାରତରେ କେବେ ଆସିବ ପ୍ଲାଷ୍ଟିକ ନୋଟ୍ ?
ଆରବିଆଇର ବାର୍ଷିକ ରିପୋର୍ଟ ଅନୁଯାୟୀ, କାଗଜ ନୋଟ୍ ଛପାଇବା ଖର୍ଚ୍ଚ ଏବଂ ଖରାପ ହୋଇଯାଉଥିବା ନୋଟ୍ ବଦଳାଇବା ବ୍ୟୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଏହି ଆର୍ଥିକ ବୋଝକୁ କମାଇବା ପାଇଁ ଭାରତରେ ମଧ୍ୟ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ ନେଇ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯୋଜନା ଚାଲିଛି । ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଖୁବ୍ଶୀଘ୍ର ଆମ ଦେଶର ବଜାରରେ ମଧ୍ୟ ରଙ୍ଗବିରଙ୍ଗର ନୋଟ୍ ଆସିବ ।
ଆହୁରି ପଢ଼ନ୍ତୁ... Rare Earth : ଚୀନ୍ ଉପରୁ ନିର୍ଭରତା କମାଇବାକୁ ରଣନୀତି, ଓଡ଼ିଶାରେ ହେବ ବିରଳ ଖଣିଜ ପ୍ରୋସେସିଂ ପ୍ଲାଣ୍ଟ