ନୂଆଦିଲ୍ଲୀ,୦୬/୦୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ବୁଧବାର ଆରମ୍ଭ ହୋଇଛି । ୭ ଫେବ୍ରୁଆରୀ ଯାଏ ଚାଲିବ ଏହି ବୈଠକ । ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରେପୋ ରେଟ୍‌ ହ୍ରାସ ନେଇ ନିଷ୍ପତ୍ତି ହୋଇପାରେ । ଶ୍ରୀ ମାଲହୋତ୍ରା ପ୍ରଥମ ଥର ଲାଗି ଏହି ବୈଠକରେ ଅଧ୍ୟକ୍ଷତା କରିବେ ।

ସୂଚନାଯୋଗ୍ୟ, ଆର୍‌ବିଆଇ ଜାନୁଆରୀ ୨୦୨୩ରୁ ରେପୋରେଟ୍‌କୁ  ୬.୫% ସ୍ତରରେ ଅପରିବର୍ତ୍ତିତ ରଖିଛି । ବ୍ୟାଙ୍କ୍‌ ଅଫ୍‌ ଆମେରିକା ସିକ୍ୟୁରିଟି ବା ବୋଫାଏଏସ୍‌ ଇଣ୍ଡିଆର  ଅର୍ଥନୀତିଜ୍ଞ (ଭାରତ ଏବଂ ଏସିଆ)  ରାହୁଲ ବଜୋରିଆ ଏବଂ ଏଲୋରା ସିକ୍ୟୁରିଟିଜର ଅର୍ଥନୀତିଜ୍ଞ ଗରିମା  କପୁର ରେପୋରେଟ୍‌ରେ ୨୫ ବେସିସ୍‌  ପଏଣ୍ଟ ହ୍ରାସ ହେବା ନେଇ ଅନୁମାନ କରିଛନ୍ତି । ଯଦି ଆର୍‌ବିଆଇ ଏହି ବୈଠକରେ ସୁଧ ହାରକୁ ୨୫ ବେସିସ୍‌  ପଏଣ୍ଟ ଖସାଏ ତେବେ ରେପୋରେଟ୍‌ ୬.୨୫% କୁ ଖସିବ ।