ନୂଆଦିଲ୍ଲୀ,୨୯/୦୭: ଅପରେସନ ସିନ୍ଦୂର ବାବଦରେ ସୂଚନା ପ୍ରଦାନ କରିଥିବା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କୁ ଅନ୍ଲାଇନ କ୍ଷମା ମାଗିବାକୁ ନେଇ ବିଜେପି ନେତା ତଥା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଭଳି କ୍ଷମାପ୍ରାର୍ଥନା ନିଷ୍ଠାହୀନ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ କହିବା ସହ ତାହାକୁ ଖାରଜ କରିଦେଇଛନ୍ତି ।
ଖଣ୍ଡପୀଠ କହିଛନ୍ତି, କ୍ଷମାପ୍ରାର୍ଥନା ଭିଡିଓରେ ବିଜୟ ଶାହ ଜନଭାବନାକୁ ଆଘାତ ପହଞ୍ଚାଇଥିବା କଥାକୁ ସ୍ୱୀକାର କରିନାହାନ୍ତି । ସେ ଆତ୍ମଚିନ୍ତନ କରନ୍ତୁ ଯେ ନିଜ ପ୍ରାୟଶ୍ଚିତ କିପରି କରିବେ । ସାର୍ବଜନୀନ କ୍ଷମାପ୍ରାର୍ଥନା କାହିଁ? ଆମ ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି । ତଦନ୍ତ ନାଁରେ କ’ଣ କ’ଣ କରାଯାଇଛି? ଶାହ ଅନ୍ଲାଇନ କ୍ଷମା ମାଗିଥିବା ଏବଂ ସୋମବାର ତାଙ୍କ ବୟାନ ରେକର୍ଡରେ ସାମିଲ କରାଯିବ ବୋଲି ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଥିଲେ, ଏଥିରୁ ଶାହଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଛି । ତାଙ୍କ ସଚ୍ଚୋଟତା ଉପରେ ଅଧିକ ସନ୍ଦେହ ହେଉଛି । ତାଙ୍କ ବୟାନ ରେକର୍ଡ କରାଯିବାର କ’ଣ ଆବଶ୍ୟକତା ଅଛି । ଯେଉଁମାନେ ପୀଡ଼ିତ ସେମାନଙ୍କ ବୟାନ ରେକର୍ଡ କରାଯାଏ । ଏଥିସହ ଏସ୍ଆଇଟି କେବେ ତଦନ୍ତ ରିପୋର୍ଟ ଦେବ ବୋଲି ଏସ୍ଆଇଟିର ଜଣେ ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ ।
ଅଗଷ୍ଟ ୧୩ ସୁଦ୍ଧା ବୋଲି ଏସ୍ଆଇଟି ସଦସ୍ୟ ଉତ୍ତର ରଖିଥିଲେ । ବିଜୟ ଶାହଙ୍କୁ ମନ୍ତ୍ରୀ ପଦରୁ ହଟାଇବା ଲାଗି କଂଗ୍ରେସ ନେତା ଜୟା ଠାକୁରଙ୍କ ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ । ଏସ୍ଆଇଟି ପ୍ରଥମେ ସମସ୍ତ ବିନ୍ଦୁ ଉପରେ ତଦନ୍ତ କରି ରିପୋର୍ଟ ଦେଉ ବୋଲି ଖଣ୍ଡପୀଠ କହିଥିଲେ ।