ନୂଆଦିଲ୍ଲୀ,୨୯/୦୭: ଅପରେସନ ସିନ୍ଦୂର ବାବଦରେ ସୂଚନା ପ୍ରଦାନ କରିଥିବା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କୁ ଅନ୍‌ଲାଇନ କ୍ଷମା ମାଗିବାକୁ ନେଇ ବିଜେପି ନେତା  ତଥା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଭଳି  କ୍ଷମାପ୍ରାର୍ଥନା ନିଷ୍ଠାହୀନ ବୋଲି ଜଷ୍ଟିସ୍‌  ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍‌ ଜୟମାଲ୍ୟା  ବାଗଚୀଙ୍କ ଖଣ୍ଡପୀଠ କହିବା ସହ  ତାହାକୁ ଖାରଜ କରିଦେଇଛନ୍ତି ।

ଖଣ୍ଡପୀଠ କହିଛନ୍ତି, କ୍ଷମାପ୍ରାର୍ଥନା ଭିଡିଓରେ ବିଜୟ ଶାହ ଜନଭାବନାକୁ ଆଘାତ ପହଞ୍ଚାଇଥିବା କଥାକୁ ସ୍ୱୀକାର  କରିନାହାନ୍ତି । ସେ ଆତ୍ମଚିନ୍ତନ କରନ୍ତୁ  ଯେ ନିଜ ପ୍ରାୟଶ୍ଚିତ କିପରି କରିବେ ।  ସାର୍ବଜନୀନ କ୍ଷମାପ୍ରାର୍ଥନା କାହିଁ? ଆମ  ଧୈର୍ଯ୍ୟର ପରୀକ୍ଷା ନିଆଯାଉଛି । ତଦନ୍ତ ନାଁରେ କ’ଣ କ’ଣ କରାଯାଇଛି?  ଶାହ ଅନ୍‌ଲାଇନ କ୍ଷମା ମାଗିଥିବା ଏବଂ  ସୋମବାର ତାଙ୍କ ବୟାନ ରେକର୍ଡରେ  ସାମିଲ କରାଯିବ ବୋଲି ତାଙ୍କ ଓକିଲ  ସୁପ୍ରିମକୋର୍ଟଙ୍କୁ କହିଥିଲେ । 

ଜଷ୍ଟିସ୍‌  ସୂର୍ଯ୍ୟକାନ୍ତ କହିଥିଲେ, ଏଥିରୁ ଶାହଙ୍କ  ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଛି । ତାଙ୍କ  ସଚ୍ଚୋଟତା ଉପରେ ଅଧିକ ସନ୍ଦେହ  ହେଉଛି । ତାଙ୍କ ବୟାନ ରେକର୍ଡ  କରାଯିବାର କ’ଣ ଆବଶ୍ୟକତା ଅଛି । ଯେଉଁମାନେ ପୀଡ଼ିତ ସେମାନଙ୍କ ବୟାନ  ରେକର୍ଡ କରାଯାଏ । ଏଥିସହ ଏସ୍‌ଆଇଟି  କେବେ ତଦନ୍ତ ରିପୋର୍ଟ ଦେବ ବୋଲି  ଏସ୍‌ଆଇଟିର ଜଣେ ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ । 

ଅଗଷ୍ଟ ୧୩ ସୁଦ୍ଧା ବୋଲି ଏସ୍‌ଆଇଟି ସଦସ୍ୟ ଉତ୍ତର ରଖିଥିଲେ ।  ବିଜୟ ଶାହଙ୍କୁ ମନ୍ତ୍ରୀ ପଦରୁ ହଟାଇବା  ଲାଗି କଂଗ୍ରେସ ନେତା ଜୟା ଠାକୁରଙ୍କ  ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ  ମନା କରିଥିଲେ । ଏସ୍‌ଆଇଟି ପ୍ରଥମେ  ସମସ୍ତ ବିନ୍ଦୁ ଉପରେ ତଦନ୍ତ କରି ରିପୋର୍ଟ ଦେଉ ବୋଲି ଖଣ୍ଡପୀଠ କହିଥିଲେ ।