ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ନିର୍ବାଚନ କମିଶନ ସାନି ମତଦାନର ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ମୁତାବିକ , ୨ ମେ’ରେ ୧୫ଟି ପୋଲିଂ ଷ୍ଟେସନରେ ପୁଣି ଥରେ ଭୋଟିଂ ହେବ। ଏହି ୧୫ଟି ବୁଥ୍‌ରେ ୧୧ଟି ବୁଥ୍‌ , ୧୪୨-ମଗହରଟ ପଶ୍ଚିମ ବିଧାନସଭା କ୍ଷେତ୍ରରେ ଅଛି। ସେପଟେ ଆଉ ୪ଟି ପୋଲିଂ ବୁଥ୍‌ ୧୪୩ ଡାଇମଣ୍ଡ ହାର୍ବର ବିଧାନସଭା କ୍ଷେତ୍ରରେ ରହିଛି। ଭୋଟିଂ ପାଇଁ ସକାଳ ୭ଟା ସମୟରୁ ସନ୍ଧ୍ୟା ୬ଟୀ ସମୟ ନିର୍ଦ୍ଧାରିତ କରାଯାଇଛି। ଏହିସବୁ ବୁଥ୍‌ ଗୁଡ଼ିକରେ ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଅପ୍ରେଲରେ ଭୋଟ୍‌ ଦିଆଯାଇ ଥିଲା। ନିର୍ବାଚନ କମିଶନ ମାନବ ପ୍ରତିନିଧିତ୍ୱ ଅଧିନିୟମ , ୧୯୫୧ର ଧାରା ୫୮(୨) ଅନୁସାରେ ,ନିର୍ବାଚନକୁ ବାତିଲ କରି ଦେଇଛନ୍ତି।

ନିର୍ବାଚନ କମିଶନର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ୪ଟି ବିଧାନସଭା କ୍ଷେତ୍ରର ୭୭ ଟି ବୁଥ୍‌ରେ ପୁଣି ଥରେ ଭୋଟିଂର ଦାବି କରାଯାଇ ଥିଲା। ତୁରନ୍ତ ଏହା ସ୍ପଷ୍ଟ ହୋଇପାରି ନାହିଁ ଯେ, ଅନ୍ୟ ୬୨ଟି ବୁଥ୍‌ରେ ମଧ୍ୟ ଏହି ଦିନ ସାନି ମତଦାନ ହେବ ନା ନାହିଁ। ନିର୍ବାଚନ କମିଶନର ନିର୍ଦ୍ଦେଶ ମୁତାବିକ , ପ୍ରଭାବିତ ବୁଥ୍‌ ଗୁଡ଼ିକରେ ନିର୍ବାଚନକୁ ରିଟର୍ଣ୍ଣିଂ ଅଫିସର ଓ ଅବଜର୍ଭରଙ୍କ ରିପୋର୍ଟ ଆଧାରରେ ଶୂନ୍ୟ ଘୋଷିତ କରି ଦିଆଯାଇ ଥିଲା । ଅନ୍ୟପଟେ ଆଉ ଏକ ନିର୍ବାଚନ କ୍ଷେତ୍ରର ରିପୋର୍ଟକୁ ଏବେ ଅପେକ୍ଷା ରହିଛି।

ଭାରତୀୟ ଜନତା ପାର୍ଟି(ବିଜେପି) ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ପ୍ରତିନିଧିତ୍ୱରେ , ଡାଇମଣ୍ଡ ହାର୍ବର ଲୋକସଭା ଅଞ୍ଚଳର ଉଭୟ ବିଧାନସଭା ସିଟ୍‌ର କିଛି ମତଦାନ କେନ୍ଦ୍ର ଉପରେ , ବଡ଼ ଧରଣର ନିର୍ବାଚନୀ ଅବହେଳାର ଅଭିଯୋଗ କରିଥିଲା। ଅଭିଯୋଗ ଗୁଡ଼ିକର ତଦନ୍ତ ପାଇଁ ନିର୍ବାଚନ କମିଶନ ତାଙ୍କର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତାଙ୍କୁ ନିଯୁକ୍ତ କରି ଥିଲେ।

ଉଲ୍ଲେଖନୀୟ ଯେ, ପଶ୍ଚିମ ବଙ୍ଗରେ ଚାରି ମେ’ରେ ମତଗଣନା ହେବାକୁ ଯାଉଛି। ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ ଅଗ୍ରୱାଲ ଶୁକ୍ରବାର କହିଛନ୍ତି , ଭୋଟ ଗଣତି କେନ୍ଦ୍ର ଗୁଡ଼ିକ ଉପରେ କୌଣସି ପ୍ରକାରର ଗଡ଼ବଡ଼ର କୌଣସି ସମସ୍ୟା ନାହିଁ। ଷ୍ଟ୍ରଙ୍ଗ ରୁମ୍‌ର ୨୪ ଘଣ୍ଟା ସିସିଟିଭି ମାଧ୍ୟମରେ ଅନୁଧ୍ୟାନ କରାଯାଉଛି। ସିଇଓଙ୍କ ଏହି ବିବୃତ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ନିଜର ଭବାନୀପୁର ନିର୍ବାଚନ କ୍ଷେତ୍ରର ଷ୍ଟ୍ରଙ୍ଗ ରୁମ୍‌ରେ ଘଣ୍ଟା ଘଣ୍ଟା ବିତେଇବା ଏବଂ ଜାଲିଆତିର ଆଶଙ୍କା କରାଯିବାର ଗୋଟିଏ ଦିନ ପରେ ଆସିଛି। କୋଲକାତାର ଦୁଇଟି ଭୋଟ ଗଣତି କେନ୍ଦ୍ରର ଆଖାପାଖରେ ଗୁରୁବାର ରାତିରେ ସୃଷ୍ଟି ଉତ୍ତେଜନାକୁ ନଜରରେ ରଖି ପୁଲିସ ସହରର ସବୁ ସାତୋଟି ଷ୍ଟ୍ରଙ୍ଗ୍ ରୁମ୍‌ ବାହାରେ ନିଷେଧାଜ୍ଞ ଲାଗୁ କରି ଦେଇଛି।