ନୂଆଦିଲ୍ଲୀ,୧୭/୫ : ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଅଲ-ଅଫରା ଅଞ୍ଚଳର ବରାକାହ ପରମାଣୁ ବିଦ୍ୟୁତ୍ କେନ୍ଦ୍ରର ଉପକଣ୍ଠରେ ରବିବାର ଡ୍ରୋନ୍ ଆକ୍ରମଣ ଯୋଗୁଁ ଏକ ବିଦ୍ୟୁତ୍ ଜେନେରେଟରରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଅବୁଧାବି ମିଡ଼ିଆ ଅଫିସ ପକ୍ଷରୁ ଜାରି କରାଯାଇଥିବା ବୟାନରେ, ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ଆହତ ହୋଇଥିବା ଖବର ନାହିଁ ଏବଂ ରେଡ଼ିଓଲୋଜିକଲ୍ ସୁରକ୍ଷା ସ୍ତର ଉପରେ କୌଣସି ପ୍ରକାରର ପ୍ରଭାବ ପଡ଼ିନାହିଁ ।

ଏହି ଘଟଣାର ସୂଚନା, ଅବୁଧାବି ମିଡ଼ିଆ ଅଫିସ୍ ରବିବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସର ଏକ ପୋଷ୍ଟରେ ସେୟାର କରିଛି। ପୋଷ୍ଟରେ କୁହାଯାଇଛି, "ଅବୁଧାବିର କର୍ତ୍ତୃପକ୍ଷ ଅଲ-ଅଫରା ଅଞ୍ଚଳସ୍ଥିତ ବରାକାହ ପରମାଣୁ ପାୱାର ପ୍ଲାଣ୍ଟର ଆଭ୍ୟନ୍ତରୀଣ ପରିଧି ବାହାରେ ଏକ ପାୱାର ଜେନେରେଟରରେ ଲାଗିଥିବା ଅଗ୍ନିକାଣ୍ଡର ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ନିଆଁ ଏକ ଡ୍ରୋନ ଆକ୍ରମଣ କାରଣରୁ ଲାଗିଥିଲା । ଏହି ଘଟଣାରେ କୌଣସି ଆହତ ହେବାର ରିପୋର୍ଟ ନାହିଁ ଏବଂ ରେଡ଼ିଓଲୋଜିକଲ୍ ସୁରକ୍ଷା ସ୍ତର ଉପରେ କୌଣସି ପ୍ରଭାବ ପଡ଼ିନାହିଁ। କର୍ତ୍ତୃପକ୍ଷ କହିଛନ୍ତି ଯେ, ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ ନୂତନ ସୂଚନା ଉପଲବ୍ଧ ହେବା ପରେ ଆହୁରି ଅପଡେଟ୍ ଜାରି କରାଯିବ।"

ବୟାନରେ ଆହୁରି କୁହାଯାଇଛି ଯେ, "ଫେଡରଲ ଅଥରିଟି ଫର୍ ନ୍ୟୁକ୍ଲିୟର ରେଗୁଲେଶନ୍ (FANR) ନିଶ୍ଚିତ କରିଛି ଯେ ଏହି ଅଗ୍ନିକାଣ୍ଡ ପାୱାର ପ୍ଲାଣ୍ଟର ସୁରକ୍ଷା କିମ୍ବା ଏହାର ଗୁରୁତ୍ୱପୂର୍ଣ୍ଣ ସିଷ୍ଟମର କାର୍ଯ୍ୟକ୍ଷମତା ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ପାୱାର ପ୍ଲାଣ୍ଟର ସମସ୍ତ ୟୁନିଟ୍ ସ୍ୱଭାବିକ ଭାବରେ କାର୍ଯ୍ୟ କରୁଛି ଏବଂ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି କି କେବଳ ସରକାରୀ ସୂତ୍ରରୁ ସୂଚନା ପାଆନ୍ତୁ ଏବଂ ଗୁଜବଠାରୁ ଦୂରେଇ ରୁହନ୍ତୁ ।