ଭୁବନେଶ୍ୱର ୧୦/୧୨: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ଯାଏ ହେବାକୁ ଯାଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା। ସେ କହିଛନ୍ତି, ପର୍ଯ୍ୟଟନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋଟିଏ  ହାଇ ପାୱାର କମିଟିରେ ବୈଠକ ଶେଷ ହୋଇଛି । ଆମର ସୌଭାଗ୍ୟ  ଯେ ଚଳିତଥର ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ । ଓଡ଼ିଶା ଅତିଥି ଦେବୋ ଭବରେ ବିଶ୍ୱାସ କରେ ।  ନୂଆ ବର୍ଷ ନୂଆ ଉଦ୍ଦୀପନା ଦେବ । ପର୍ଯ୍ୟଟନ ବିଭାଗ ରହିବାର ବ୍ୟବସ୍ଥା ଦେଖୁଛି । ଓଡ଼ିଶାକୁ ସାଂସ୍କୃତିକ ରାଜ୍ୟ ଭାବେ ବିଶ୍ଵ ଦରବାରରେ ଦେଖେଇବାକୁ   ଆମେ ଚେଷ୍ଟା କରିବୁ ।

ସେ  ଆହୁରି କହିଛନ୍ତି, ସୁରକ୍ଷା  ଠୁ ନେଇ  ରହିବା, ବୁଲିବା ସବୁ ଦାୟିତ୍ୱ ପର୍ଯ୍ୟଟନ ବିଭାଗର । ଭୁବନେଶ୍ୱର ସମେତ କଟକ, ପୁରୀ, କୋଣାର୍କ, ଚିଲିକା, ରତ୍ନଗିରି, ଲଳିତଗିରି, ଚଉଷଠି ଯୋଗିନୀ ,ବେଳାଭୂମି, ଖଣ୍ଡଗିରୀ ଏବଂ ଉଦୟଗିରି, ଚିଲିକା ବର୍ ଫେଷ୍ଟିଭାଲ  ଭଳି ସବୁ ସ୍ଥାନରେ ଭିତ୍ତିଭୂମି ସାଜଡ଼ିଛୁ । ପ୍ରବାସୀମାନେ ବୁଲିବାକୁ ଯିବା ପାଇଁ ସବୁଠି ପ୍ରସ୍ତୁତି ହୋଇଛି।  ଯେତେ   ପ୍ରବାସୀ ରେଜିଷ୍ଟ୍ରେସନ କରିବେ   ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା ହୋଇଛି । ଚଳିତ ଥର ନୂଆକରି  ହୋମ ଷ୍ଟେ ବ୍ୟବସ୍ଥା ହୋଇଛି । ୩୦୦ ପାଖାପାଖି ରୁମ୍   ଏବେ ସୁଦ୍ଧା ପ୍ରସ୍ତୁତ ରହିଛି । ଲୋକଙ୍କ ଘରେ ଅତିଥି ରହିବେ । ଯେଉଁମାନେ ରହିବେ ନିଜ ଘରେ ଅତିଥିଙ୍କୁ ରଖିବା ପାଇଁ ପର୍ଯ୍ୟଟନ ବିଭାଗର ଅନଲାଇନ ପୋର୍ଟାଲରେ ଆବେଦନ କରିପାରିବେ ।  ଯାହା ଦ୍ଵାରା ଲୋକଙ୍କ  ରୋଜଗାର ବଢିବ । ଟୁରିଜିମ ବିଭାଗ  ସବୁ ଦାୟିତ୍ୱ ତୁଲାଇବ ।

ତେବେ ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ଯାଏ ହେବାକୁ ଥିବା ୧୮ତମ ପ୍ରବାସୀ  ଭାରତୀୟ ଦିବସର ଥିମ୍‌ ରହିଛି ‘ଡାଏସ୍‌ପୋରାସ୍‌ କଣ୍ଟ୍ରିବ୍ୟୁସନ୍‌ ଟୁ ଏ ବିକଶିତ  ଭାରତ’ । ଏଥିରେ ବିଦେଶରେ ରହୁଥିବା ପ୍ରାୟ ୧୦ହଜାର ପ୍ରବାସୀ ଭାରତୀୟ ସାମିଲ  ହେବେ । ଏହି ମେଗା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ ।   କାର୍ଯ୍ୟକ୍ରମ ଅବସରରେ ଯୁବବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ହେବ । କେନ୍ଦ୍ର  କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ ।  ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ । ଦେଶର ବିକାଶ ଓ ଅଭିବୃଦ୍ଧିରେ ଅବଦାନ ଥିବା ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ  ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । 

କାର୍ଯ୍ୟକ୍ରମ ପାଇଁ  କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ବିଶ୍ୱସ୍ତରରେ   ପ୍ରଚାରପ୍ରସାର କରିବାକୁ ଯୋଜନା ହୋଇଛି । ବିଶେଷ କରି ବିଦେଶରେ ରହୁଥିବା  ଯୁବବର୍ଗଙ୍କୁ ଦେଶ ବିକାଶରେ ଯୋଡ଼ିବାକୁ ପ୍ରୟାସ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି । ଇଡ୍‌କୋ ଏମ୍‌ଡି ଶ୍ରୀ ପୁନିଆ କହିଛନ୍ତି, ପ୍ରବାସୀ ଭାରତୀୟ  ଦିବସକୁ ସଫଳ କରିବାକୁ ରାଜ୍ୟ ସରକାର କାମ କରୁଛନ୍ତି । ଏଥିପାଇଁ ସବୁ ବିଭାଗ ନିଜ   ଭିତରେ ସମନ୍ୱୟ ରଖି କାମ କରିବେ । ସାରା ବିଶ୍ୱରୁ ଅତିଥିମାନେ ଆସିବେ । ସେମାନେ  କିଭଳି ସୁବିଧାରେ ରହିବେ ଓ ସହର ଭିତରେ ଯାତାୟାତ କରିବେ ସେଥିପାଇଁ ବ୍ୟାପକ  ବନ୍ଦୋବସ୍ତ କରାଯିବ । ଟ୍ରାଫିକ୍‌ ପରିଚାଳନାକୁ ଆହୁରି ବ୍ୟବସ୍ଥିତ କରାଯିବ । ଏହାକୁ ସଫଳ  କରି ଓଡ଼ିଶାର ସଫଳତା ତାଲିକାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛୁ ।