ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ରିକ୍ସା ଏବେ ‘ମାଗୁଣିର ଶଗଡ଼’

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଗୋଦାବରୀଶ ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ମାଗୁଣିର ଶଗଡ଼’ ପରବର୍ତ୍ତୀ ସମୟରେ ଚଳଚ୍ଚିତ୍ରର ରୂପ ନେଇଥିଲା । ଉକ୍ତ ଚଳଚ୍ଚିତ୍ରର କଥାବସ୍ତୁ ଆଜି ବି ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ଉକ୍ତ କାହାଣୀରେ ଶଗଡ଼ର ବ୍ୟବହାର କମିବା, ଅତ୍ୟାଧୁନିକ ଯାନବାହନ ଚଳାଚଳ ଯୋଗୁ ମାଗୁଣୀର ରୋଜଗାରର ବାଟ ବନ୍ଦ ହେବା ପରି ଆଜିକାର ସମୟରେ ରିକ୍ସାର ଅବସ୍ଥା ହୋଇଛି । ଆଜି ମଧ୍ୟ ଅନେକ ମାଗୁଣୀ ଏମିତି ଦୟନୀୟ ଅବସ୍ଥାରେ ପେସି ହେଉଛନ୍ତି । ହା’ହତାଶ ମଧ୍ୟରେ ଦିନ କାଟୁଛନ୍ତି ରିକ୍ସା ଚାଳକ । ଦିନଥିଲା ସହରରେ ଗମନାଗମନର ମୁଖ୍ୟ ଆଧାର ଥିଲା ରିକ୍ସା । କିନ୍ତୁ ଆଧୁନିକତାର ହାୱାରେ ଏବେ ରିକ୍ସା ପାଲଟିଛି ମାଗୁଣିର ଶଗଡ଼ । କେହି ଏହାକୁ ମନେ ପକାଉନାହାନ୍ତି ।

ସହରରେ ଆଉ ଦେଖିବାକୁ ମିଳୁନି ରିକ୍ସା । ଅଟୋ ଓ ଟାକ୍ସିର ଗହଳି ଭିତରେ ହଜିଯାଇଛି । ଏବେ ରାଜଧାନୀରେ କାଁ ଭାଁ ହାତଗଣତି କିଛି ରିକ୍ସା ଦେଖିବାକୁ ମିଳୁଛି । କିନ୍ତୁ ଅଲୋଡ଼ା ହୋଇଛି ଏହି ଯାନ । ରିକ୍ସାଚାଳକ ପରିବାର ଭରଣପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ୨୦ ବର୍ଷ ତଳେ ରାଜଧାନୀର ବାପୁଜୀନଗର, ରସୁଲଗଡ଼, ବରମୁଣ୍ଡା, ବାଣୀବିହାର, କଳ୍ପନା ଛକ ଆଦି ବିଭିନ୍ନ ସ୍ଥାନରେ ଶହ ଶହ ରିକ୍ସା ଦେଖିବାକୁ ମିଳୁଥିଲା । ସେ ସମୟରେ ରିକ୍ସା ବ୍ୟବସାୟ ପ୍ରତି ଲୋକଙ୍କ ଆଦର ମଧ୍ୟ ଥିଲା । ଜଣେ ଜଣେ ମାଲିକ ୫୦ରୁ ୧୦୦ ରିକ୍ସା ରଖୁଥିଲେ । ସେମାନେ ରିକ୍ସା ପିଛା ଭଡ଼ା ଆକାରରେ ଚାଳକଙ୍କ ଦୈନିକ ଠାରୁ ୧୦ ରୁ ୧୨ ଟଙ୍କା ନେଉଥିଲେ । କିନ୍ତୁ ଏବେ ରାଜଧାନୀରେ ଈଶ୍ୱର ଓ ରାମ ବାବୁଙ୍କ ବ୍ୟତୀତ ଆଉ କେହି ରିକ୍ସା ବ୍ୟବସାୟୀ ନାହାନ୍ତି ।

ଅଚଳ ରିକ୍ସା ଗୁଡ଼ିକ କବାଡ଼ଖାନାରେ ପଡ଼ି ନଷ୍ଟ ହେବାରେ ଲାଗିଛି । ଚାଳକଙ୍କ ଦୁଃଖ କହିଲେ ନ ସରେ । ୧୫ ବର୍ଷ ତଳେ କଣ୍ଠ ନାୟକ ରୋଜଗାର ଆଶାରେ ନୟାଗଡ଼ରୁ ଭୁବନେଶ୍ୱରକୁ ଆସିଥିଲେ । ରାଜଧାନୀରେ ରିକ୍ସା ଚଳାଇ ଦିନକୁ ୫ ରୁ ୬ ଶହ ଟଙ୍କା ରୋଜଗାର କରୁଥିଲେ । ମାଲିକକୁ ଭଡ଼ା ଦେଇ ତାଙ୍କ ପିଲାପିଲିଙ୍କୁ ଖୁସିରେ ରଖିପାରୁଥିଲେ । କିନ୍ତୁ ଏବେ ରିକ୍ସା ଚଳାଇ ଦିନକୁ ୨୦ ଟଙ୍କା ଭଡ଼ା ଦେବା ମଧ୍ୟ କଷ୍ଟ ହେଉଛି । ଫଳରେ ପରିବାରକୁ ଗାଁରେ ଛାଡ଼ିଦେଇ ଏବେ ଷ୍ଟେସନରେ ରିକ୍ସା ଲଗାଉଛନ୍ତି ସତ, କିନ୍ତୁ ସେଥିରେ ପେଟପାଟଣା ଚଳାଇବା ସମ୍ଭବ ନୁହେଁ ବୋଲି କଣ୍ଠ କହିଛନ୍ତି । ସେହିପରି କମ୍ପାନି ଚାକିରି ଛାଡ଼ି ରିକ୍ସାକୁ ଆଦରିଥିବା ସତ୍ୟ ପଣ୍ଡା କୁହନ୍ତି, କମ୍ପାନିରେ କାମ କରୁଥିବା ସମୟରେ ମାସକୁ ୧୫୦୦ ଟଙ୍କା ଦରମା ପାଉଥିଲେ । ତେଣୁ ଚାକିରି ଛାଡି ରିକ୍ସା ଚଳାଇବାକୁ ଆଗେଇ ଆସିଥିଲେ । ରିକ୍ସା ଚଳାଇ ମାସକୁ ୮ ରୁ ୧୦ ହଜାର ଟଙ୍କା ରୋଜଗାର ହେଉଥିଲା । କିନ୍ତୁ ଏବେ ଦିନକୁ ୫୦ ରୁ ୧୦୦ ଟଙ୍କା ରୋଜଗାର କରିବା କଷ୍ଟକର ହେଉଛି ।

ରିକ୍ସାର ବ୍ୟବହାର ଦିନକୁ ଦିନ କମିବାରେ ଲାଗିଛି । ମାଲିକମାନେ ଆଉ ରିକ୍ସା ବ୍ୟବସାୟ କରିବାକୁ ମଙ୍ଗୁ ନାହାନ୍ତି । ରାଜଧାନୀରେ କେବଳ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ଷ୍ଟାଣ୍ଡରେ ୫୦ରୁ ୬୦ଟି ରିକ୍ସା ଥିବା ବେଳେ ସେଥିରୁ ୧୫ ରୁ ୨୦ଟି ରିକ୍ସା ଚଳପ୍ରଚଳ କରୁଛି । ଜଣେ ଯାତ୍ରୀ ରିକ୍ସାରେ ଷ୍ଟେସନରୁ କଳ୍ପନା ଯିବା ପାଇଁ ୩୦ ମିନିଟ ଲାଗୁଥିବା ବେଳେ ୬୦ରୁ ୭୦ ଟଙ୍କା ଭଡ଼ା ମିଳୁଛି । କିନ୍ତୁ ଅଟୋ ରିଜର୍ଭ କଲେ ସେତିକି ବାଟକୁ ୧୦ ମିନିଟ୍‌ ସମୟ ଲାଗିବା ସହ ୧୦୦ ଟଙ୍କା ଦେବାକୁ ପଡୁଛି । ଯାତ୍ରୀ ଅଟୋରେ ଯିବାକୁ ପସନ୍ଦ କରୁଛନ୍ତି । ଏନେଇ ଯାତ୍ରୀ ଅବିନାଶ ବିଶ୍ୱାଳ କହିଥିଲେ, ବ୍ୟସ୍ତବହୁଳ ଜୀବନ ଭିତରେ ଟଙ୍କା ଅପେକ୍ଷା ସମୟ ବହୁ ମୂଲ୍ୟବାନ । ତେଣୁ ଲୋକେ ଅଟୋରେ ଯିବାକୁ ପସନ୍ଦ ମନେ କରୁଛନ୍ତି ।

ଅଟୋ ଚଳାଚଳ ରିକ୍ସା ଚାଳକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକ ଓଲା ଓ ଉବେର ଟାକ୍ସି ପ୍ରଚଳନ ଦେଉଛି ବୋଲି ରିକ୍ସା ଚାଳକମାନେ କହୁଛନ୍ତି । ବହୁଳ ଭାବେ ଟାକ୍ସି ଚାଲିବା ଫଳରେ ରିକ୍ସାର ବ୍ୟବହାର କମିବାରେ ଲାଗିଛି । ଜଣେ ଯାତ୍ରୀ ଚାହିଁଲେ ଟ୍ରେନରୁ ମୋବାଇଲ୍‌ରେ ଗାଡ଼ି ବୁକିଂ କରିପାରୁଛନ୍ତି । ଫଳରେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟାକ୍ସି ପହଞ୍ଚି ଯାଉଛି । ଏଥିଲାଗି ରିକ୍ସାର ଆବଶ୍ୟକ ପଡ଼ୁନାହିଁ ବୋଲି ଯାତ୍ରୀମାନେ ମତ ଦିଅନ୍ତି । ଆଧୁନିକ ଉପକରଣ ଏବେ ମଣିଷ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛି । ଫଳରେ ରିକ୍ସା ଭଳି ପୁରୁଣା ଯାନ ଉପରେ ନିର୍ଭରଶୀଳ ଲୋକେ ଏବେ କୁଟୁମ୍ବ ଚଳାଇବା କଷ୍ଟକର ହୋଇ ପଡ଼ିଛି । ବର୍ତ୍ତମାନ ଯୁଗରେ ଅଟୋ, ଟାକ୍ସି ଭଳି ଯାନର ବ୍ୟବହାର ଲୋକଙ୍କ ପସନ୍ଦ ହେଉଛି । ଲୋକେ କମ୍‌ ପଇସା ଓ ସମୟରେ ଯାତାୟାତକରିପାରୁଛନ୍ତି । ଫଳରେ ଏହି ଦୌଡ଼ରେ ଅଲୋଡ଼ା ହୋଇପଡ଼ିଛି ରିକ୍ସା ଚାଳକ । ସେମାନଙ୍କ ସମସ୍ୟା ଚିନ୍ତା କରିବାକୁ କେହିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.