ନୂଆଦିଲ୍ଲୀ,୨୪/୦୩; ଆଇପିଏଲ ୨୦୨୬ ସିଜିନ୍ ୧୯କୁ ଆଉ ୪ ଦିନ । ମାର୍ଚ୍ଚ ୨୮ରୁ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହି ମେଗା ଟୁର୍ଣ୍ଣାମେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ଷ୍ଟାର ବ୍ୟାଟର ତଥା ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆକ୍ରମଣାତ୍ମକ ବ୍ୟାଟିଂ ଏବଂ ମ୍ୟାଚ୍ ଫିନିସିଂ ଦକ୍ଷତା ପାଇଁ ଜଣାଶୁଣା ରିଙ୍କୁ ବର୍ତ୍ତମାନ ଆଇପିଏଲ ଉପରେ ଫୋକସ୍ କରୁଛନ୍ତି । ଆଇପିଏଲ ପ୍ରସ୍ତୁତି ମଧ୍ୟରେ, କ୍ଷେତ୍ର ବାହାରେ ରିଙ୍କୁ ସିଂହଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଉତ୍ତର ପ୍ରଦେଶ ସରକାର ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ରିଙ୍କୁ ସିଂହଙ୍କୁ ରାଜ୍ୟରେ ଆଞ୍ଚଳିକ କ୍ରୀଡ଼ା ଅଧିକାରୀ ଭାବରେ ନିଯୁକ୍ତ କରାଯିବ।

ରିଙ୍କୁ ସିଂହଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ- ଉତ୍ତରପ୍ରଦେଶ ସରକାର ଅନେକ ଖେଳାଳିଙ୍କୁ ସରକାରୀ ଚାକିରି ଦେବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ରିଙ୍କୁ ସିଂହ ମଧ୍ୟ ସାମିଲ ଅଛନ୍ତି । ଯିଏକି ରାଜ୍ୟ ଏବଂ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି । ଏହି ତାଲିକାରେ ରିଙ୍କୁ ସିଂହ ସମେତ ଅନ୍ୟ ଅନେକ ଖେଳାଳିଙ୍କ ନାମ ରହିଛି । ପାରା-ଆଥଲେଟିକ୍ସରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ପ୍ରବୀଣ କୁମାର ଏବଂ ପ୍ୟାରିସ ଅଲିମ୍ପିକ୍ସରେ ହକି ପଦକ ଜିତିଥିବା ରାଜ କୁମାର ପାଲଙ୍କୁ ପୁଲିସ ଉପ-ସୁପରିଣ୍ଟେଣ୍ଡେଣ୍ଟ ଭାବରେ ନିଯୁକ୍ତି ଦିଆଯିବ ।

ନିଯୁକ୍ତି ଦେବେ ମୁଖ୍ୟମନ୍ତ୍ରୀ- ଏହା ସହିତ, ପାରା-ଆଥଲେଟ୍ ଅଜିତ ସିଂହ ଏବଂ ସିମରନଙ୍କୁ ଜିଲ୍ଲା ପଞ୍ଚାୟତ ରାଜ ଅଧିକାରୀ ଭାବରେ ନିଯୁକ୍ତ କରାଯିବ ।  ପ୍ରୀତି ପାଲଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ ଭାବରେ ନିଯୁକ୍ତ କରାଯିବ । ଏହି ସମସ୍ତ ନିଯୁକ୍ତି ଉତ୍ତର ପ୍ରଦେଶ ଆନ୍ତର୍ଜାତୀୟ ପଦକ ବିଜେତା ପ୍ରତ୍ୟକ୍ଷ ନିଯୁକ୍ତି ନିୟମ -୨୦୨୨ ଅନୁଯାୟୀ କରାଯାଉଛି, ଯାହା ଅଲିମ୍ପିକ୍ସ, ପାରାଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ଏସୀୟ କ୍ରୀଡା ଭଳି ପ୍ରମୁଖ ଇଭେଣ୍ଟରେ ପଦକ ଜିତିଥିବା ଖେଳାଳିମାନଙ୍କୁ ସମ୍ମାନିତ କରିଥାଏ । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌର ଲୋକଭବନରେ ଏହି ଖେଳାଳିମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

​​​​​​​

ଏହା ବି ପଢନ୍ତୁ...IPL ଆରମ୍ଭ ହେବା ପୂର୍ବରୁ ବିଦେଶୀ ଖେଳାଳିଙ୍କୁ ନେଇ ଏମିତି କହିଲେ ଗାଭାସ୍କର   

KKRର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ରେ - ରିଙ୍କୁ ସିଂହଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ, ମାର୍ଚ୍ଚ ୨୯ରେ ଆଇପିଏଲ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ କୋଲକାତା । ଏହି ମ୍ୟାଚ୍ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ । ରିଙ୍କୁ ସିଂହ ପ୍ରଥମ ମ୍ୟାଚରେ ଏକ ବଡ଼ ଆରମ୍ଭ କରିବା ବୋଲି ଆଶା ରଖିଛନନ୍ତି ଫ୍ୟାନ୍ସ । ରିଙ୍କୁ ବହୁ ଦିନ ଧରି କେକେଆର ଦଳର ଅଂଶ ଅଛନ୍ତି । ୨୦୧୮ରୁ କୋଲକାତା ସହିତ ଅଛନ୍ତି । ୫୯ଟି ଆଇପିଏଲ ମ୍ୟାଚ ଖେଳି ୧୦୯୯ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଅର୍ଦ୍ଧଶତକ ରହିଛି । ତାଙ୍କର ହାରାହାରି ୩୦.୫୨ ଏବଂ ଷ୍ଟ୍ରାଇକ୍ ରେଟ୍ ୧୪୫.୧୭ ରହିଛି ।