ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ । ଆଇପିଏଲକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ରହିଛି । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବଡ଼ ପ୍ରତିକ୍ରୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର । ସେ ଏକ ସ୍ତମ୍ଭରେ ବିଦେଶୀ ଖେଳାଳିଙ୍କ ଉପରେ ବିଶେଷ ଭାବେ ଲେଖିଛନ୍ତି । ଯେଉଁଥିରେ ଭାରତ ବିଦେଶୀ ଖେଳାଳିଙ୍କୁ ବିଭିନ୍ନ ସୁବିଧା ସହ ସମ୍ମାନ ଦେଉଥିବାବେଳେ କିଛି ଖେଳାଳି ଏହାର ଫାଇଦା ଉଠାଉଥିବା କଥା ବର୍ଣ୍ଣନା କରିଛନ୍ତି ।
ବିଦେଶୀ ଖେଳାଳିଙ୍କୁ ଆତିଥ୍ୟ ଦେଇଥାନ୍ତି ଫ୍ରାଞ୍ଚାଇଜ୍ । ପରିବାର ଲୋକଙ୍କ ରହିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ । ଯାହାର ଫାଇଦା ବିଦେଶୀ ଖେଳାଳିମାନେ ନିଅନ୍ତି । ଏହାସହ ସେ କହିଛନ୍ତି କି, କିଛି ଖେଳାଳି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ନିଜକୁ ଅନୁପସ୍ଥିତ ଦର୍ଶାଇଛନ୍ତି । ଫିଟ୍ ଥାଇ ମଧ୍ୟ ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କୁ ଆଉ କେବେ ଖେଳାଇବା କଥା ନୁହେଁ ବୋଲି ମଧ୍ୟ ଦର୍ଶାଇଛନ୍ତି । ଏଣୁ ଫ୍ରାଞ୍ଚାଇଜମାନଙ୍କୁ ସେ ଚେତାବନୀ ଦେଇଛନ୍ତି ।
ଫର୍ଗୁସନ ନିଜ ସନ୍ତାନର ଜନ୍ମ ନେଇ ପରିବାର ସହ ରହିବେ ବୋଲି ଜଣାଇଛନ୍ତି । ଯେଉଁ କାରଣରୁ ଉଦଘାଟନୀ ମ୍ୟାଚ ଗୁଡ଼ିକରେ ରହିବେ ନାହିଁ । ପରିବାର ସହ ସମୟ କାଟିବା କିଛି ଭୁଲ୍ ନୁହେଁ । ତଥାପି ତୁମକୁ ଦଳ କିଣିବା ପରେ ଉପଲବ୍ଧ ରହିବା ଦରକାର । ଫ୍ରାଞ୍ଚାଇଜ୍ ସୁବିଧା ଦେଉଛି ବୋଲି ଏହାର ଭୁଲ୍ ବ୍ୟବହାର କରିବା ଭୁଲ୍ ବୋଲି ମଧ୍ୟ ସେ କହିଛନ୍ତି ।