ନୂଆଦିଲ୍ଲୀ,୦୩/୦୪; ଆଇପିଏଲ୍ରେ ଏକ ଫ୍ରାଞ୍ଚାଇଜର ମାଲିକା ଭାବେ ଗ୍ରାଉଣ୍ଡ ଭିତରେ ଅଧିନାୟକଙ୍କ ଉପରେ ବିରକ୍ତି ଭାବ ପ୍ରକଟ କରିବାରେ ସବୁ ସୀମା ଟପିଛନ୍ତି ସଞ୍ଜୀବ ଗୋଏଙ୍କା । ମନେ ହେଉଛି ସଞ୍ଜିବଙ୍କ ଟିମ୍ରେ ଅଧିନାୟକତ୍ୱ କରିବା ସହଜ ନୁହେଁ । ଧୋନୀସ ରାହୁଲଙ୍କ ପରେ ମ୍ୟାଚ ପରାଜୟ ନେଇ ପନ୍ତଙ୍କ ଉପରେ ବର୍ଷିଛନ୍ତି ଲକ୍ଷ୍ନୌ ମାଲିକ ସଞ୍ଜିବ ଗୋଏଙ୍କା । ୨ବର୍ଷ ତଳେ ସେ କେଏଲ ରାହୁଲଙ୍କ ସହ ଗ୍ରାଉଣ୍ଡ ଭିତରେ ଜୋରଦାର ବାକ ଯୁଦ୍ଧ କରିଥିଲେ । ପରେ ରାହୁଲ ଲକ୍ଷ୍ନୌ ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ୨୦୨୪ ମେଗା ନିଲାମରେ ଗୋଏଙ୍କା ରିଷଭ ପନ୍ତଙ୍କୁ କିଣିଥିଲେ ଓ ଅଧିନାୟକ ନିଯୁକ୍ତ କରିଥିଲେ ।
ଗତ ବର୍ଷ ଗୋଏଙ୍କା ଓ ପନ୍ତଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଲକ୍ଷ୍ନୈ ପ୍ଲେ-ଅଫ୍ରେ ପ୍ରବେଶ କରିପାରି ନଥିଲେ ହେଁ ଗୋଏଙ୍କାଙ୍କ ମୁହଁରେ ନିରାଶାର ଛବି ଦେଖିବାକୁ ମିଳି ନଥିଲା । ନୂଆ ସିଜନ ଆରମ୍ଭ ହେଉ ହେଉ ଗୋଏଙ୍କା ପୁଣି ପୂର୍ବ ରୂପ ଦେଖାଇଛନ୍ତି । ବୁଧବାର ଦିନ ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ୬ ୱିକେଟ୍ରେ ଦିଲ୍ଲୀ ଠାରୁ ପରାଜିତ ହେବା ପରେ ସେ ଗ୍ରାଉଣ୍ଡ ଭିତରେ ପ୍ରବେଶ କରିବା ସହ କୋଚ ଜଷ୍ଟିନ ଲାଙ୍ଗରଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ଓ ଶେଷରେ ପନ୍ତଙ୍କୁ ଡ଼କାଇଥିଲେ । ପ୍ରଥମେ ଉଭୟ ପରସ୍ପର ସହ ହାତ ମିଳାଇ ଥିଲେ । କିଛି ସମୟ ମଧ୍ୟରେ ପନ୍ତଙ୍କ ମୁହଁ ଶୁଖି ଯାଇଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟରେ ପନ୍ତ ଅନେକ ଗୁଡ଼ିଏ ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିଲା ।
ଏହା ବି ପଢନ୍ତୁ...IPL 2026: ଆଜି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଲଢ଼େଇ, ବିଜୟ ପାଇଁ ବ୍ୟଗ୍ର ଗାଏକୱାଡ ବାହିନୀ
କିଛି ସମୟ ମଧ୍ୟରେ ଉଭୟଙ୍କ ଆଲୋଚନାର ଭିଡ଼ିଓ ଓ ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ଖବର ପାଲଟି ଯାଇଥିଲା । ୨ବର୍ଷ ତଳେ ରାହୁଲଙ୍କ ସହ ଗୋଏଙ୍କାଙ୍କ ବାର୍ତ୍ତାଳାପକୁ ମନେ ପକାଇ ଦେଇଥିଲା । ଅବଶ୍ୟ ପରେ ଲକ୍ଷ୍ନୌ ଫ୍ରାଞ୍ଚାଇଜର ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଅପଲୋଡ କରାଯାଇ ଗୋଏଙ୍କା ଓ ପନ୍ତଙ୍କ ମଧ୍ୟରେ ଆଲୋଚନାକୁ ସ୍ୱଚ୍ଛ ଓ ଖେଳୁଆଡ଼ ମନୋଭାବ ବାର୍ତ୍ତାଳାପ ଦର୍ଶା ଯାଇଥିଲା ।
ମ୍ୟାଚ୍ରେ ଦର୍ଶକଙ୍କ ମଧ୍ୟରେ ମାରପିଟ- ଗତ ବୁଧବାର ଅନୁଷ୍ଠିତ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପଡ଼ିଆରେ ଉଭୟ ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବାବେଳେ ଷ୍ଟାଡିୟମ ଗ୍ୟାଲେରୀରେ ଉପସ୍ଥିତ ଥିବା କିଛି ଦର୍ଶକ ମାରପିଟ୍ ଲାଗି ଯାଇଥିଲେ । ସୁରକ୍ଷାକର୍ମୀ ଓ ପୁଲିସ୍ ସଙ୍ଗେସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ମାରପିଟ୍ରୁ ନିବୃତ କରିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକଙ୍କ ମଧ୍ୟରେ ମାରପିଟ୍ ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ଥର ଏଭଳି ଘଟଣା ଦେଖିବାକୁ ମିଳିଛି ।