ନୂଆଦିଲ୍ଲୀ,୧୫/୦୫ : ଇରାନ ଯୁଦ୍ଧ ପ୍ରଭାବ ଏବେ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷେତ୍ରରେ ଅନୁଭବ ହେଲାଣି । ଏପ୍ରିଲରେ ଦେଶର ପାଇକାରୀ ମୁଦ୍ରାସ୍ଫୀତି ଦୁଇ ଗୁଣାରୁ ଅଧିକ ବଢ଼ି ୮.୩୦% ହୋଇଛି । ଇନ୍ଧନ, ବିଜୁଳି ଏବଂ ଅଶୋଧିତ ତୈଳ ଦର ବୃଦ୍ଧି ସ୍ଥିତିକୁ ବିକୃତ କରିଦେଲାଣି । ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୩.୮୮% ଥିବାବେଳେ ଏପ୍ରିଲରେ ଏହା ଦୁଇ ଗୁଣାରୁ ଅଧିକ ବଢ଼ିଗଲାଣି । ଏପ୍ରିଲରେ ଦରଦାମ ବୃଦ୍ଧି ୪୨ ମାସରେ ସବୁଠୁ ଅଧିକ । ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ତଥ୍ୟରୁ ଏହା ଜଣାପଡ଼ିଛି । ୨୦୨୨ ଅକ୍ଟୋବରରେ ଏହା ୮.୩୯% ସ୍ତରରେ ପହଞ୍ଚି ଯାଇଥିଲା ।
ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ଅନୁସାରେ, ଖଣିଜ ତୈଳ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ମୂଳ ଧାତୁ, ବିନିର୍ମାଣ ସାମଗ୍ରୀ ଏବଂ ଅଣ-ଖାଦ୍ୟ ଉତ୍ପାଦ ଦର ବଢ଼ିବା ଯୋଗୁ ପାଇକାରୀ ମୁଦ୍ରାସ୍ଫୀତିରେ ବଡ଼ ମାତ୍ରାରେ ବୃଦ୍ଧି ଘଟିଛି । ଏଭଳି ସମୟରେ ଏହା ହୋଇଛି, ଯେତେବେଳେ ଆମେରିକା ଏବଂ ଇରାନ ମଧ୍ୟରେ ଅଶାନ୍ତି ବଳବତ୍ତର ଅଛି । ଯୁଦ୍ଧ ଆଉ ଲମ୍ବା ଚାଲିଲେ ଦରଦାମ ସ୍ଥିତି ଭୟଙ୍କର ରୂପ ନେଇପାରେ । ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ପାର କରିଯାଇଛି । ଏହାଫଳରେ ସମଗ୍ର ବିଶ୍ୱରେ ଶକ୍ତି ସଂକଟର ସୂତ୍ରପାତ ହୋଇଛି । ଲଜିଷ୍ଟିକ୍ସ ଏବଂ ପରିବହନ କ୍ଷେତ୍ରକୁ ମିଳିଛି ଶକ୍ତ ଝଟ୍କା ।
ସରକାରୀ ତଥ୍ୟ ଅନୁସାରେ, ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ କ୍ଷେତ୍ରରେ ଦରଦାମ ବୃଦ୍ଧି ମାର୍ଚ୍ଚର ୬.୩୬%ରୁ ବଢ଼ି ଏପ୍ରିଲରେ ୯.୧୭% ହୋଇଯାଇଛି । ଖାଦ୍ୟପାନୀୟ ସାମଗ୍ରୀ କ୍ଷେତ୍ରରେ ଏହା ୧.୯୦%ରୁ ବଢ଼ି ୧.୯୮% ରେ ପହଞ୍ଚିଯାଇଛି । ଇନ୍ଧନ ଏବଂ ଶକ୍ତି କ୍ଷେତ୍ରରେ ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୫%ରୁ ବଢ଼ି ୨୪.୭୧% ହୋଇଯାଇଛି । ସେହିଭଳି ବିନିର୍ମାଣ ଉତ୍ପାଦ କ୍ଷେତ୍ରରେ ଏହା ୩.୩୯%ରୁ ବଢ଼ି ୪.୬୨% ହୋଇଛି । ପେଟ୍ରୋଲ କ୍ଷେତ୍ରରେ ମୁଦ୍ରାସ୍ଫୀତି ହାର ମାର୍ଚ୍ଚର ୨.୫୦%ରୁ ବଢ଼ି ୩୨.୪୦% ହୋଇଛି । ହାଇସ୍ପିଡ୍ ଡିଜେଲ ମୁଦ୍ରାସ୍ଫୀତି ୩.୨୬%ରୁ ବଢ଼ି ୨୫.୧୯% ହୋଇଛି । ସେହିଭଳି ଏଲ୍ପିଜି କ୍ଷେତ୍ରରେ ଏହା ୧୦.୯୨%କୁ ବଢ଼ିଯାଇଛି ।
ମନ୍ତ୍ରାଳୟ ତଥ୍ୟ ଅନୁସାରେ, ମାର୍ଚ୍ଚ ତୁଳନାରେ ଏପ୍ରିଲରେ ଖଣିଜ ତୈଳ ଦର ୨୯.୩୭% ବଢ଼ିଛି । ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ହୋର୍ମୁଜ ଜଳମାର୍ଗ ଅବରୋଧ ଫଳରେ ମଧ୍ୟପ୍ରାଚ୍ୟରୁ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି । ଏହି ମାର୍ଗ ଦେଇ ବିଶ୍ୱର ୨୦% ତୈଳ ପରିବହନ ହୋଇଥାଏ । ବାଟ ବନ୍ଦ ଯୋଗୁ ଯୋଗାଣ ଠପ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଇନ୍ଧନ ସଂକଟ ଦେଖିବାକୁ ମିଳିଛି । ଖୁଚୁରା ମୁଦ୍ରାସ୍ଫୀତିରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିଛି । ଏପ୍ରିଲରେ ଏହା ୩.୪୮%କୁ ବୃଦ୍ଧି ପାଇଛି, ଯାହାକି ମାର୍ଚ୍ଚରେ ୩.୪୦% ଥିଲା ।
ଏହି ଖବରଟିକୁ ପଢନ୍ତୁ- ତେଲ ପରେ ଏବେ ଗ୍ୟାସ୍ ପାଳି: ମହଙ୍ଗା ହେଲା CNG, ଖାଉଟିଙ୍କ ମୁଣ୍ଡରେ ଚଡ଼କ