ନୂଆଦିଲ୍ଲୀ, ୧୫।୫: ସାଧାରଣ ଜନତାଙ୍କ ଉପରେ ପୁଣି ଏକ ମହଙ୍ଗା ମାଡ଼। ବିଶ୍ୱ ବଜାରରେ ମଧ୍ୟ-ପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଜାଳେଣି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ପେଟ୍ରୋଲ ଏବଂ ଡିଜେଲ୍ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇବା ପରେ ଏବେ ସିଏନଜି ମଧ୍ୟ ମହଙ୍ଗା ହୋଇଛି । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ବାଣିଜ୍ୟିକ ରାଜଧାନୀ ମୁମ୍ବାଇ ପର୍ଯ୍ୟନ୍ତ ସବୁଠି ସିଏନଜି ଦରରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ, ଦିଲ୍ଲୀରେ ସିଏନଜି କିଲୋଗ୍ରାମ ପିଛା ୨ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଏବେ ରାଜଧାନୀରେ ସିଏନଜି ଦର ୭୯.୦୯ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ମୁମ୍ବାଇରେ ମଧ୍ୟ ଗୁରୁବାର ଦିନ ମହାନଗର ଗ୍ୟାସ୍ ଲିମିଟେଡ୍ (MGL) ଦର ବୃଦ୍ଧି କରିଥିଲା। ମୁମ୍ବାଇ, ଥାଣେ, ନଭି ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ଏବେ ଗୋଟିଏ କିଲୋଗ୍ରାମ ସିଏନଜି ପାଇଁ ଗ୍ରାହକଙ୍କୁ ୮୪ ଟଙ୍କା ଗଣିବାକୁ ପଡ଼ୁଛି, ଯାହା ପୂର୍ବରୁ ୮୨ ଟଙ୍କା ଥିଲା ।

ପରିବହନ ବ୍ୟୟ ବଢ଼ିବା ଆଶଙ୍କା:

ସିଏନଜି ଦର ବଢ଼ିବା ମାତ୍ରେ ଏହାର ପ୍ରଭାବ ସିଧାସଳଖ ପରିବହନ ସେବା ଉପରେ ପଡ଼ିବା ଆରମ୍ଭ ହୋଇଛି । ମୁମ୍ବାଇର ଅଟୋ ରିକ୍ସା ସଂଘଗୁଡ଼ିକ ପକ୍ଷରୁ ସର୍ବନିମ୍ନ ଭଡ଼ାରେ ଅତିକମରେ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି । ୟୁନିୟନ ନେତାଙ୍କ କହିବା ଅନୁଯାୟୀ, ବାରମ୍ବାର ଗ୍ୟାସ୍ ଦର ବଢ଼ିବା ଫଳରେ ଏହି ମୂଲ୍ୟରେ ଗାଡ଼ି ଚଳାଇବା ଏବେ ଆର୍ଥିକ ଦୃଷ୍ଟିକୋଣରୁ ଅସମ୍ଭବ ହୋଇପଡ଼ିଛି ।

​​​​​​​

ସାଧାରଣ ଜନତାଙ୍କ ପକେଟ୍ ଉପରେ ଚାପ:

କେବଳ ଅଟୋ-ଟ୍ୟାକ୍ସି ନୁହେଁ, ସିଏନଜି ଦର ବୃଦ୍ଧି ହେତୁ କ୍ୟାବ୍ ଡ୍ରାଇଭର ଏବଂ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ମାଲିକମାନେ ମଧ୍ୟ ପ୍ରଭାବିତ ହେବେ । ଏହାର ପରିଣାମ ସ୍ୱରୂପ:

ଡେଲିଭରି ଚାର୍ଜ: ଅନଲାଇନ୍ ସପିଂ ଏବଂ ଖାଦ୍ୟ ଡେଲିଭରି ଖର୍ଚ୍ଚ ବଢ଼ିପାରେ ।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ପରିବହନ ଖର୍ଚ୍ଚ ବଢ଼ିଲେ ପନିପରିବା ଓ ଅନ୍ୟାନ୍ୟ ଜିନିଷର ଦାମରେ ମଧ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି ।

ଯାତ୍ରୀ ଭଡ଼ା: ଓଲା, ଉବେର ଭଳି ଆପ୍-ଭିତ୍ତିକ କ୍ୟାବ୍ ସେବାଗୁଡ଼ିକ ମଧ୍ୟ ସେମାନଙ୍କ ଭଡ଼ା ବଢ଼ାଇ ପାରନ୍ତି ।

ପେଟ୍ରୋଲ ଓ ଡିଜେଲ ପରେ ସିଏନଜିର ଏହି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ମାସିକିଆ ବଜେ ବିଗାଡ଼ି ଦେଇଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଯଦି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିୟନ୍ତ୍ରଣକୁ ନଆସେ, ତେବେ ମହଙ୍ଗା ମାଡ଼ରୁ ରକ୍ଷା ପାଇବା କଷ୍ଟକର ହେବ ।

ଆହୁରି ପଢ଼ନ୍ତୁ... CM Vijay urges PM Modi: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ଜାଣନ୍ତୁ କ'ଣ ହଟାଇବାକୁ କଲେ ଅପିଲ୍‌ ?