ନୂଆଦିଲ୍ଲୀ,୨୩/୦୫ : ରାଜ୍ୟଗୁଡ଼ିକ ସହ ମିଳିତ ହୋଇ ପେଟ୍ରୋଲ୍-ଡିଜେଲ୍ ଦର ଶସ୍ତା କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ପେଟ୍ରୋଲ୍-ଡିଜେଲ୍ ଉପରେ ଲାଗୁଥିବା ଭାଲ୍ୟୁ ଆଡେଡ୍ ଟାକ୍ସ (ଭାଟ୍) କମାଇବାକୁ କେନ୍ଦ୍ର ସରକାର ଶୀଘ୍ର ରାଜ୍ୟଗୁଡିକୁ ଅନୁରୋଧ କରିପାରନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ, ବିଜେପି ଶାସିତ ୨୨ ରାଜ୍ୟରେ ଭାଟ୍ କମିବାର ସମ୍ଭାବନା ରହିଛି । ବର୍ତ୍ତମାନ ଡିଜେଲ ମୂଲ୍ୟ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ । ଏହାର ସିଧାସଳଖ ପ୍ରଭାବ ପରିବହନ, କୃଷି ଏବଂ ଉଦ୍ୟୋଗ କ୍ଷେତ୍ର ଉପରେ ପଡ଼ିଛି । ଆମେରିକା-ଇରାନ ଯୁଦ୍ଧ ଯୋଗୁ ଅଶୋଧିତ ତେଲ ଦର ଉପରମୁହାଁ ହୋଇଚାଲିଛି । ଶୁକ୍ରବାର ବ୍ରେଣ୍ଟ ବର୍ଗରେ ଅଶୋଧିତ ତେଲ ୧.୯% ବୃଦ୍ଧି ହୋଇ ବ୍ୟାରେଲ ପିଛା ୧୦୪.୦୨ ଡଲାର ଛୁଇଁଛି ।
ଏଭଳି ସ୍ଥିତିରେ ଲୋକଙ୍କୁ ଦରଦାମ ଚାପରୁ ଆଶ୍ୱସ୍ତି ଦେବା ଲାଗି ଗତ ମାସରେ ସରକାର ପେଟ୍ରୋଲ-ଡିଜେଲ ଉପରୁ ଉତ୍ପାଦ ଟିକସ ହ୍ରାସ କରିଥିଲେ । ଅଶୋଧିତ ତେଲ ଯୋଗାଣ ଏବଂ ମୂଲ୍ୟକୁ ନେଇ ସଚିବଙ୍କୁ ନେଇ ଏକ ଜରୁରି ବୈଠକ ହୋଇଥିଲା । ଦରଦାମ ହ୍ରାସ କରିବା ନେଇ ଭ୍ୟାଟ୍ କମାଇବା ଜରୁରି ବୋଲି ଏଠାରେ ଆଲୋଚନା ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡିକ ସ୍ତରରେ ପ୍ରଥମେ ଡିଜେଲ ଉପରେ ଟିକସ କମ୍ କରିବା ଲାଗି ବିଚାର କରାଯାଉଛି । ଦେଶରେ ପ୍ରତିବର୍ଷ ଡିଜେଲ ଚାହିଦା ୯.୪୭ କୋଟି ଟନ୍ ରହିଛି । ଯାହା ଅନ୍ୟ କୌଣସି ପେଟ୍ରୋଲିୟମ ଉତ୍ପାଦଠାରୁ ଅଧିକ ରହିଛି । କେନ୍ଦ୍ର ସରକାର ଡିଜେଲ ଉପରେ ଉତ୍ପାଦ ଟିକସ ଗତ ମାସ ଲିଟର ପିଛା ୧୦ ଟଙ୍କା ହ୍ରାସ କରି ଏହାକୁ ଶୂନ କରିଦେଇଥିଲେ । ପେଟ୍ରୋଲ ଉପରେ ୩ ଟଙ୍କାର ଟିକସ ହ୍ରାସ କରାଯାଇଥିଲା । ରାଜ୍ୟଗୁଡିକ ମଧ୍ୟ ନିଜ ଆଡୁ ଟିକସ କମାନ୍ତୁ ବୋଲି କେନ୍ଦ୍ର ସରକାର ଚାହୁଁଛନ୍ତି ।
ଏପ୍ରିଲ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୪୧ ମାସର ସର୍ବୋଚ୍ଚ ସ୍ତର ୮.୩% ଛୁଇଁଛି । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ସଦସ୍ୟ ଗୌରବ ବଲ୍ଳଭ କହିଛନ୍ତି, ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ୫୦%ରୁ ଅଧିକ ବଢ଼ିଛି । ପେଟ୍ରୋଲ-ଡିଜେଲ ଦର ୪% ବଢ଼ିଛି । କେନ୍ଦ୍ର ସରକାର ଉତ୍ପାଦ ଟିକସ ୧୦ ଟଙ୍କା କମାଇଛନ୍ତି । ଏବେ ରାଜ୍ୟଗୁଡିକ ନିଜ ସ୍ତରରେ ଭାଟ୍ କମାଇବା ଉଚିତ । ତେଲଙ୍ଗାନା ପେଟ୍ରୋଲ ଓ ଡିଜେଲ ଉପରେ ସର୍ବାଧିକ ୩୫.୨୦% ଏବଂ ୨୭% ଭ୍ୟାଟ ଲଗାଉଛି । ଓଡ଼ିଶାରେ ଏହା ୨୮% ଏବଂ ୨୪%।
ଏହି ଖବରଟିକୁ ପଢନ୍ତୁ- ୧୦ ଦିନରେ ତୃତୀୟ ଥର ବଢିଲା ପେଟ୍ରୋଲ୍ - ଡିଜେଲ୍ ଦର , ଚେକ୍ କରନ୍ତୁ ରେଟ୍