ନୂଆଦିଲ୍ଲୀ,୨୬/୦୪ : ଦିନ ଥିଲା ଯେତେବେଳେ ଉତ୍କଟ ବର୍ଷା ଅଭାବ ଯୋଗୁ ହିଁ ମରୁଡ଼ି ସ୍ଥିତି ଉପୁଜୁଥିଲା । କିନ୍ତୁ ଏବେ ଏହାର ସଂଜ୍ଞା ବଦଳିଯାଇଛି । ବର୍ଷା ସ୍ୱାଭାବିକ ଥିଲେ ବି ଉଚ୍ଚ ତାପମାତ୍ରାରୁ ବଢୁଥିବା ଭୂପୃଷ୍ଠ ତାତିରୁ ଭୟଙ୍କର ମରୁଡ଼ି ସ୍ଥିତି ଉପୁଜୁଛି । ଏହା ଉଷ୍ମ ମରୁଡ଼ି ଭାବେ ଜଣା, ଯେଉଁଠି ଉଚ୍ଚ ତାପମାତ୍ରା ମାଟିରୁ ବାଷ୍ପୀକରଣ ଏବଂ ଉଦ୍ଭିଦରୁ ବାଷ୍ପ ନର୍ଗମନକୁ ତ୍ୱରାନ୍ୱିତ କରେ । ମଧ୍ୟମ ବୃଷ୍ଟିପାତରେ ବି ଏହା ଭୂପୃଷ୍ଠକୁ ଦ୍ରୁତ ବେଗରେ ଶୁଳ୍କ କରିଦିଏ । ସରଳ ଭାଷାରେ କହିଲେ, ତାପମାତ୍ରା ବଢ଼ିବା ଦ୍ୱାରା ପରିବେଶର ଜଳ ଚାହିଦା ବଡ଼ ମାତ୍ରାରେ ବୃଦ୍ଧି ପାଏ । ଯଦିଓ ବର୍ଷା ସ୍ୱାଭାବିକ ରୁହେ, ଜଳ ପାଇଁ ପରିବେଶର ଅଧିକ ଚାହିଦା ଭୂପୃଷ୍ଠ ଜଳକୁ ବାଷ୍ପୀଭୂତ କରିଦିଏ ଏବଂ ମାଟିକୁ ପୁନର୍ବାର ପୂରଣ କରିବା ଅପେକ୍ଷା ଏହାକୁ ଅଧିକ ଶୁଷ୍କ କରିଦିଏ ।

ପାରମ୍ପରିକ ମରୁଡ଼ି ବର୍ଷା ଅଭାବ ଯୋଗୁ ହେଉଥିଲା କିନ୍ତୁ ଆଧୁନିକ ଉଷ୍ମ ମରୁଡ଼ି ଅତ୍ୟଧିକ ତାତି ବା ଉଚ୍ଚ ତାପମାତ୍ରା ଯୋଗୁ ହୋଇଥାଏ । ଶୁଖିଲା ମାଟି ଅଧିକ ସୌର ବିକିରଣ ଶୋଷଣ କରେ ଏବଂ ଆହୁରି ଉତ୍ତପ୍ତ ହୁଏ, ଉଚ୍ଚ-ଚାପ ପ୍ରଣାଳୀ ସୃଷ୍ଟି କରେ, ଯାହା ବର୍ଷାକୁ ଦମନ କରେ ଏବଂ ତାପକୁ ବୃଦ୍ଧି କରେ । ଏହିଭଳି ଭାବେ ଏକ ସ୍ୱୟଂ- ଉଷ୍ମତା ଚକ୍ର ସୃଷ୍ଟି ହୁଏ ।

ନେଚର୍‌ ରିଭ୍ୟୁଜ୍‌ ଆର୍ଥ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ୨୦୨୫ ଶେଷ ସୁଦ୍ଧା ବିଶ୍ୱ ଭୂପୃଷ୍ଠର ୩୦% ମରୁଡ଼ିଗ୍ରସ୍ତ ଥିଲା । ଏହା ୧୯୯୦ରେ ରେକର୍ଡ କରାଯାଇଥିବା ମରୁଡ଼ି ସ୍ତରର ୩ ଗୁଣା । ୯୦ ଦଶକରେ ୧୦% ଭୂପୃଷ୍ଠ ମରୁଡ଼ି ପ୍ରଭାବିତ ଥିଲା । ୧୯୫୦ରୁ ଏଯାବତ୍‌ ୨୦୨୫ ଷଷ୍ଠ ବୃହତ୍‌ ମରୁଡ଼ି ପ୍ରଭାବିତ ବର୍ଷ ପାଲଟିଛି । ୨୦୨୫ରେ ମରୁଡ଼ି ଦ୍ୱାରା ପ୍ରଭାବିତ ୩୦% ଭୂପୃଷ୍ଠ ମଧ୍ୟରୁ ପ୍ରାୟ ୧.୨% ଅତିରିକ୍ତ ମରୁଡ଼ିଗ୍ରସ୍ତ ଥିଲା । ରିପୋର୍ଟ ଅନୁସାରେ, ୨୦୨୫ରେ ବିଶ୍ୱ ଭୂପୃଷ୍ଠ ତାପମାତ୍ରା ତୃତୀୟ ବୃହତ୍‌ ସ୍ତରରେ ପହଞ୍ଚିଥିଲା । ଏହି ବର୍ଷ ମରୁଡ଼ିର ପଦଚିହ୍ନ ବ୍ୟାପକ ଏବଂ ଭୟଙ୍କର ଥିଲା । ଏସିଆ, ଆଫ୍ରିକା, ୟୁରୋପ, ଦକ୍ଷିଣ ଆମେରିକା ଏବଂ ଉତ୍ତର ଆମେରିକା ପ୍ରାୟ ସମସ୍ତ ମହାଦେଶ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ । ୨୦୨୫ ଅଗଷ୍ଟ ସୁଦ୍ଧା ଭାରତର ୧୯% ଭାଗ ମରୁଡ଼ି କିମ୍ବା ମରୁଡ଼ି ପରିସ୍ଥିତିର ସାମ୍ନା କରିଥିବା ଜଣାପଡ଼ିଛି ।

ଏହି ଖବରଟିକୁ ପଢନ୍ତୁ୪୦ଡିଗ୍ରୀ ଉପରେ ୧୭ ସହର; ଦୁଇଦିନ ପରେ ସାମାନ୍ୟ କମିବ ତାତି