କେନ୍ଦୁଝର, ୧୩।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗ୍ୟାସ୍ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି । ବୁକିଙ୍ଗ୍ କରି ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବା ଏବଂ ହୋମ ଡେଲିଭରି ଠିକ୍ ଭାବରେ ହେଉ ନ ଥିବାରୁ ଦେଖାଦେଉଥିବା ଅଭାବକୁ ନେଇ ଅସନ୍ତୋଷ ଲାଗି ରହିଥିଲା । ଯୁଦ୍ଧ ସରୁ ନ ଥିବାରୁ ଗ୍ୟାସ୍ ମିଳିବ ନାହିଁ ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି । ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଏଣୁ ଗ୍ୟାସ୍ ମିଳିବାରେ ବହୁ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟରେ ଦେଖାଦେଉଥିବା ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଥିଲା । ଉପଭୋକ୍ତାମାନେ ଆଜି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ ।
ଏହା ବି ପଢ଼ନ୍ତୁ... କମର୍ସିଆଲ ଗ୍ୟାସ୍ ବନ୍ଦର ପ୍ରଭାବ, ପୁରୀ ବେଳାମାର୍ଗ ଖାଁ ଖାଁ, ଅଧିକାଂଶ ରେସ୍ତୋରାଁ ବନ୍ଦ
ଖବରପାଇ ଟାଉନ ଥାନା ପୁଲିସ ତୁରନ୍ତ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ପରେ କିଛି ସମୟ ପରେ ରାସ୍ତା ଅବରୋଧ ହଟିଥିଲା । ଆଜି ସକାଳେ ଗ୍ୟାସ୍ ପ୍ରଦାନକାରୀ ସଂସ୍ଥାର ଅଫିସ ଆଗରେ ଉପଭେକ୍ତାମାନେ ସିଲିଣ୍ଡର ଧରି ପ୍ରତିବାଦ କରିବା ପରେ କେହି ନ ଶୁଣିବାରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି। କମ୍ ସମୟ ରାସ୍ତା ଅବରୋଧ ହୋଇଥିଲା । ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା ବୋଲି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି । ତେବେ ଗ୍ୟାସ୍ ଅଫିସରେ ଲୋକଙ୍କ ଭିଡ଼ ଲାଗିରହିଥିବାବେଳେ ଘଟଣାସ୍ଥଳରେ ପୁଲିସ ମୁତୟନ ହୋଇଛନ୍ତି ।