କେନ୍ଦ୍ରାପଡ଼ା,୨୩/୫ : ବେକରେ ଛୁରୀ ଲଗାଇ ଲୁଟ୍ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କୁଳସାହି ଗ୍ରାମରେ । ରାସ୍ତା ପଚାରି ବୁଝିବା ବାହାନାରେ ଲୁଟିନେଲେ ।
ସୂଚନା ଅନୁସାରେ , କୁଳସାହି ଗ୍ରାମର ଯୁବ ବ୍ୟାବସାୟୀ ଚିନ୍ମୟ ବିଶ୍ଵାଳ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ରାସନ ସମାଗ୍ରୀ ଆଣିବା ପାଇଁ ଗଗୁଆ ଯାଉଥିଲେ । ଏହି ସମୟରେ ଗଗୁଆ ଓ ଚଉଦକୁଲାଟ ରାସ୍ତାରେ ଗୋଟେ କାର୍ ରାଜନଗରକୁ ରାସ୍ତା ପଚାରି ବୁଝିବା ବାହାନାରେ ଚିନ୍ମୟଙ୍କ ମୋଟର ସାଇକେଲକୁ ଅଟକାଇଥିଲେ। ପରେ ଚିନ୍ମୟ ରାଜନଗରକୁ ରାସ୍ତା କହୁଥିବା ସମୟରେ ଉକ୍ତ କାରରୁ ଦୁଇ ଜଣ ବାହାରି ଆସି ତାଙ୍କ ବେକରେ ଛୁରୀ ଲଗାଇ ପକେଟରେ ଥିବା ନଗଦ ୭୦ହଜାର ଟଙ୍କା ଓ ବାଇକ୍ ଚାବି ଲୁଟି ନେଇଯାଇଥିଲେ। ପରବର୍ତ୍ତି ସମୟରେ କୁଳସାହି ଗ୍ରାମର ଲୋକେ ପହଞ୍ଚି ଚିନ୍ମୟଙ୍କୁ ଉଦ୍ଧାର କରିବା ସହ ଚଉଦକୁଲାଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ପୁଲିସ ତଦନ୍ତ ଚଳାଇଛି।