ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ଶନିବାର ୨୦୨୪ ବର୍ଷ ପାଇଁ ପୁରୁଷ ଟି-୨୦ ଟିମ୍ ଅଫ୍ ଦି ଇୟର ଘୋଷଣା କରିଛି । ଏହି ଟିମ୍‌ରେ ୪ ଜଣ ଭାରତୀୟ କ୍ରିକେଟରଙ୍କୁ ସାମିଲ କରିଛି ଆଇସିସି । ରୋହିତ ଶର୍ମାଙ୍କୁ ଟିମ୍‌ର ଅଧିନାୟକ ଚୟନ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟ, ଜସପ୍ରୀତ ବୁମରା ଏବଂ ଅର୍ଶଦୀପ ସିଂହ ଦଳରେ ସାମିଲ ହୋଇଛନ୍ତି । ଟିମ୍‌ରେ ପାକିସ୍ତାନର ଏକ ମାତ୍ର ଖେଳାଳି ଭାବେ ବାବର ଆଜମଙ୍କୁ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ, ଜିମ୍ୱାୱେ ଏବଂ ୱେଷ୍ଟଇଣ୍ଡିଜର ଜଣେ ଜଣେ ଖେଳାଳିଙ୍କୁ ଟିମ୍‌ରେ ସାମିଲ କରାଯାଇଛି । 

ୱେଷ୍ଟଇଣ୍ଡିଜର ନିକୋଲସ ପୁରନଙ୍କୁ ୱିକେଟ୍ କିପରି କରାଯାଇଛି । ରୋହିତ ଶର୍ମା ପୁରୁଷ ଟି-୨୦ ଟିମ୍ ଅଫ୍ ଦି ଇୟରର ଅଧିନାୟକ ଏବଂ ଓପନର ରହିଛନ୍ତି । ୨୦୨୪ରେ ରୋହିତ ଶର୍ମା ୧୧ ଟି -୨୦ ମ୍ୟାଚରେ୧୬୦.୧୬ ଷ୍ଟ୍ରାଇକ୍ ରେଟ୍ ସହ ୩୭୮ ରନ୍ କରିଥିଲେ । ରୋହିତଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୧ ବର୍ଷ ପରେ ଆଇସିସିର କୌଣସି ଟୁର୍ଣ୍ଣାମେଣ୍ଟ ଜିତିବାରେ ସକ୍ଷମ ହୋଇଥିଲା । ଟି-୨୦ ବିଶ୍ୱକପ୍ ଜିତିବା ପରେ ସେହି ଦିନ ହିଁ ସେ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ । ସେହିପରି ୨୦୨୪ରେ ବୁମରା ୮ଟି ଟି-୨୦ ଇଣ୍ଟରନ୍ୟାସନାଲରେ ୧୫ ୱିକେଟ୍ ନେଇଥିଲେ । ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇବାରେ ବୁମରାଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ୧୭ଟି ଟି-୨୦ ମ୍ୟାଚରେ ୩୫୨ ରନ୍ କରିବା ସହ ୧୬ ୱିକେଟ୍ ନେଇଥିଲେ । ଅନ୍ୟପଟେ ଅର୍ଶଦୀପ ସିଂହ ୨୦୨୪ରେ ଭାରତର ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ । ସେ ୧୮ଟି ମ୍ୟାଚରେ ୩୬ ୱିକେଟ୍ ନେଇଥିଲେ ।

 ଆଇସିସିର ଟି-୨୦ ଟିମ୍ ଅଫ୍ ଦି ଇୟର

ରୋହିତ୍ ଶର୍ମା (ଅଧିନାୟକ), ଟ୍ରାଭିସ୍ ହେଡ୍ (ଅଷ୍ଟ୍ରେଲିଆ), ଫିଲ୍ ସଲ୍ଟ (ଇଂଲଣ୍ଡ), ବାବର ଆଜମ (ପାକିସ୍ତାନ), ନିକୋଲସ ପୁରନ (ୱିକେଟ୍ କିପର, ୱେଷ୍ଟଇଣ୍ଡିଜ), ସିକନ୍ଦର ରାଜା (ଜିମ୍ୱାୱେ), ହାର୍ଦ୍ଦିକ ପାଣ୍ଡ୍ୟା (ଭାରତ), ରାଶିଦ ଖାନ (ଆଫଗାନିସ୍ତାନ), ୱାନିନ୍ଦୁ ହସରଙ୍ଗା (ଶ୍ରୀଲଙ୍କା), ଜଶପ୍ରୀତ ବୁମରା (ଭାରତ), ଅର୍ଶଦୀପ ସିଂହ (ଭାରତ)