କର୍ଲାମୁଣ୍ଡା,୧୯।୮ (ଆ ପ୍ର ) : ଆଉ ମାତ୍ର ଆଠଦିନ ରହିଲା ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ l ଇତି ମଧ୍ୟରେ ଗାଁ ଗହଳରେ ଘରଦ୍ୱାର ଲିପାପୋଛା, ସମସ୍ତ କପଡାଲତା, ଆସବାପତ୍ର ଧୁଆଧୁଇ ଜୋର ସୋର ରେ ଚାଲିଛି l ନୁଆଁଖାଇ ଆଉ କିଛିଦିନ ଥାଇ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀବଲା ଯାତ୍ରା ଅନୁଷ୍ଠିତ ହୋଇଥାଏ l ଏହି ଅଂଚଳର ଅନେକ ଗାଁରେ ଏହି ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଛି l
ରିଷିଡାର ସଲଣ୍ଡିଆମୁଣ୍ଡା ଠାରେ ମଙ୍ଗଳବାର ସକାଳୁ ଗ୍ରାମର ଝାଙ୍କର ଉମାକାନ୍ତ ଭୋଇ ଓ ହୃଦାନନ୍ଦ ଭୋଇ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସହ ଘର ଘର ବୁଲି ଧୂପ, ଫୁଲ, ଖଇ ସଂଗ୍ରହକରି ଧରଣୀ ଗୁଡ଼ିରେ ପହଞ୍ଚିଥିଲେ l ସେଠାରେ ଗାଁ ରୁ ରୋଗ ଦୂରୀକରଣ ପାଇଁ ଗ୍ରାମ ଦେବଦେବୀ ଙ୍କୁ ପୂଜାର୍ଚନା କରିଥିଲେ l ତାପରେ ଗ୍ରାମର ଶେଷମୁଣ୍ଡକୁ ଯାଇ ନିଛାଟିଆ ଜାଗାରେ ରୋଗ ନିରାକରଣ ପାଇଁ ପୂଜା କରି କୁକୁଡ଼ା, ଛେଳି ବଳି ଦିଆଯାଇଥିଲା l ପରେ ପ୍ରସାଦ ସେବନ କରି ଲୋକେ ପୁଣି ସ୍ନାନ କରି ଘରକୁ ଫେରିଥିଲେ l ନୁଆଁ ସୁଆଁ ଖାଇବା ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ, ସେ ଊଦ୍ଦେଶ୍ୟରେ ଏହି ରୁଗୀବଲା ଯାତ୍ରା କାହିଁ ଅନାଦି କାଳରୁ ଚାଲିଆସୁଛି l