ପୁରୀ,୧୫/୦୩: ଶ୍ରୀକ୍ଷେତ୍ର ସାହିଯାତର ପ୍ରସିଦ୍ଧି ଆଜିର ନୁହେଁ । ଶହ ଶହ ବର୍ଷ ପ୍ରାଚୀନ ଏହି ମହୋତ୍ସବ ଆଗେ ସାହିନାୟକଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଶ୍ରୀକ୍ଷେତ୍ରର ୮ ସାହିରେ ସାହିନାୟକ ଅଛନ୍ତି । ଗଜପତି ମହାରାଜଙ୍କ ଦ୍ୱାରା ନିଯୁକ୍ତ ହେଉଥିଲେ ସାହିନାୟକ । ସେମାନେ ଶ୍ରୀମନ୍ଦିର ସୁରକ୍ଷା ସମେତ ସାହିରେ ଶୃଙ୍ଖଳା ଓ ସଂସ୍କୃତିର ତତ୍ତ୍ୱାବଧାରକ ଥିଲେ । ଏବେ ରାଜତନ୍ତ୍ରର ବ୍ୟବସ୍ଥା ଗଣତାନ୍ତ୍ରିକ ପଦ୍ଧତିରେ ପରିଚାଳନା ହେଉଛି । ହେଲେ ଆଜି ବି ବଞ୍ଚିଛି ଶହ ଶହ ବର୍ଷର ପ୍ରାଚୀନ ପରମ୍ପରା । କୁଣ୍ଢେଇବେଣ୍ଟ ସାହିର ସାହିନାୟକଙ୍କ ପରିବାର ଆଜି ମଧ୍ୟ ସାହିଯାତରେ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି । 

ଏପରିକି ନିଜେ ବଂଶାନୁକ୍ରମିକ ରାବଣ ଭୂମିକାରେ ଅବତୀର୍ଣ୍ଣ ହେବା ସହ ସାହିଯାତର ପ୍ରାଚୀନ ପରମ୍ପରାକୁ ପାଳନ କରୁଛନ୍ତି । କୁଣ୍ଢେଇବେଣ୍ଟ ସାହିର ସାହିନାୟକ ଶିବ ପ୍ରସାଦ ମହାପାତ୍ର କୁହନ୍ତି, ରାଜାରାଜୁଡ଼ା ଅମଳରୁ ସାହିନାୟକର ଭୂମିକା ଆମେ ଆଜି ମଧ୍ୟ ବଜାୟ ରଖିଛୁ । ଆମ ସାହିର ସବୁଠାରୁ ଅଧିକ ୨୨ ମେଳ । ଅର୍ଥାତ୍‌ ୨୨ ଜାଗା ଘର । ସେହି ସମୟରେ ଗଜପତି ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ସାହିନାୟକ ହିଁ ସାହିର ମୁଖିଆ ଥିଲେ । ନ୍ୟାୟନିଶାପ ଠାରୁ ଆରମ୍ଭ କରି ସାମୂହିକ ଯାନିଯାତ୍ରା ପରିଚାଳନାର ଦାୟିତ୍ୱ ସାହିନାୟକଙ୍କ ଉପରେ ନ୍ୟସ୍ତ ଥିଲା । ଏବେ ଏସବୁର ପରିଚାଳନା ସଂପୃକ୍ତ ସାହିର ଆଖଡ଼ା ସମ୍ଭାଳୁଛନ୍ତି । ୮ ସାହି ଭିତରୁ କେବଳ ଆମ ସାହିରେ ସାହିନାୟକଙ୍କ ପ୍ରାଚୀନ ପରମ୍ପରା ଜାରି ରହିଛି । 

ଆମ ପୂର୍ବପୁରୁଷ ରାବଣ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ମୋ ବାବା ସ୍ୱର୍ଗତ ସାହିନାୟକ ନରସିଂହ ମହାପାତ୍ର ୭ ଥର ରାବଣ ବନ୍ଧାଇଛନ୍ତି । ତାଙ୍କ ପରେ ମୁଁ ରାବଣ ଦୁଇ ଥର ବନ୍ଧାଇଛି (ଅଭିନୟ) । ସାହିର ଅନ୍ୟ କେହି ଦକ୍ଷ ବ୍ୟକ୍ତି ମଧ୍ୟ ରାବଣ ଅଭିନୟ କରିପାରିବେ । ହେଲେ ଆମ ଉପରେ ରାବଣର ଦାୟିତ୍ୱ ରହିଆସିଛି । ଶ୍ରୀମନ୍ଦିର ପ୍ରଶାସନ କିଛି ଅଂଶ ଖର୍ଚ୍ଚ ଦେଉଛି । ହେଲେ ରାବଣର ଯାବତୀୟ ଦାୟିତ୍ୱ ଓ ଖର୍ଚ୍ଚ ସାହିନାୟକ ଭାବେ ଆମେ ତୁଲାଇଆସୁଥିବା କୁହନ୍ତି ଶିବ । ମହାପ୍ରଭୁଙ୍କ ବରିଷ୍ଠ ସେବାୟତ ନାରାୟଣ ମହାପାତ୍ର କୁହନ୍ତି, ଶ୍ରୀମନ୍ଦିର ପରମ୍ପରା ସହ ଜଡ଼ିତ ଶ୍ରୀକ୍ଷେତ୍ରର ସାହିନାୟକ ପରମ୍ପରା । ସାହିନାୟକ କହିଲେ ସାହି ମୁରବି । ସେ କାଳର ଶାସନ ବ୍ୟବସ୍ଥାରେ ସାହି ପରିଚାଳନା କରୁଥିଲେ ସାହିନାୟକ । ଗଜପତି ମହାରାଜଙ୍କ ନିର୍ଦ୍ଦେଶକ୍ରମେ ।

ଆହୁରି ପଢନ୍ତୁ-ଯୁଗଯୁଗ ଧରି ସବୁଜିମାରେ ଭରପୁର ନିୟମଗିରି ପାହାଡ଼,୧୧୨ ଗାଁର ଆଦିମ ଜନଜାତିଙ୍କ ପାଇଁ ସାଜିଛି ମା’​​​​​​​

 ବର୍ତ୍ତମାନର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାହିନାୟକଙ୍କ କାର୍ଯ୍ୟ ମନୋନୀତ କିମ୍ବା ନିର୍ବାଚିତ ସଦସ୍ୟଙ୍କ ସଙ୍ଗଠନ ସଂପୃକ୍ତ ଆଖଡ଼ା ମାଧ୍ୟମରେ ଜାରି ରହିଛି । ହେଲେ ବଡ଼ଦେଉଳ ସହ ଜଡ଼ିତ ଯେହେତୁ ଏହି ପରମ୍ପରା ନିଷ୍ପ୍ରଭ ହେଲେ ମଧ୍ୟ ରହିଛି ଓ ରହିଥିବ । ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀ ପ୍ରସାଦ ରାଜଗୁରୁ କୁହନ୍ତି, ଗଜପତି ମହାରାଜାଙ୍କ ଦ୍ୱାରା ‘ସାହି ନାୟକ’ ମନୋନୀତ ହୋଇଥାନ୍ତି । ସେମାନେ ସେବାୟତ । ୮ ସାହିରେ ୮ ଜଣ ସାହିନାୟକ । ତାଙ୍କ ଅଧୀନରେ ୧୬ ଜଣ ଲେଖାଏଁ ଭେଣ୍ଡିଆ (ଜୁଆନ୍‌ ଯୁବକ) । ସାହିରେ ଏକାଧିକ ସାହିନାୟକ ମଧ୍ୟ ଥାନ୍ତି । ପାଟ୍ଟଯୋଶୀ ମହାପାତ୍ର ସେମାନଙ୍କୁ ଆକଟ କରନ୍ତି ଓ ଆଦେଶ ଦିଅନ୍ତି । ସାହିନାୟକଙ୍କ ନିକଟକୁ ଛାମୁ ଚିଟାଉ ଆସୁଥିଲା । ଭିତର ଗାଆଣୀ, ମାହାରୀ ଓ ନାଚୁଣି ଉଚ୍ଚିତ କର୍ମରେ ଅଛନ୍ତି କି ନାହିଁ ଦେଖୁଥିଲେ । ଶ୍ରୀମନ୍ଦିରରେ ଯାନିଯାତ୍ରାର ଆୟୋଜନ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଏମାନଙ୍କ ନାମରେ ଆସୁଥିଲା । ପତ୍ର ପତ୍ରିକାରେ ଏସବୁ ଉଲ୍ଲେଖ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା ନେଇ ଆହୁରି ଆଲୋଚନା ଆବଶ୍ୟକ । ସାହିନାୟକମାନେ ପରବର୍ତ୍ତୀ ସମୟରେ ବଂଶ ପରମ୍ପରା କ୍ରମେ ସାଙ୍ଗିଆ ଓ ସେବା କରୁଛନ୍ତି ।