ରାୟଗଡ଼ା,୧୫/୦୩ (ଗୋପରଞ୍ଜନ ବକ୍ସିପାତ୍ର): ନିୟମଗିରି ପାହାଡ଼ । ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର । ସବୁଜିମାପୂର୍ଣ୍ଣ ପାହାଡ଼ ଆକାଶକୁ ଛୁଇଁଲା ଭଳି ଦଣ୍ଡାୟମାନ । ତା’ରି ବୁକୁରୁ କାହିଁ କେଉଁ କାଳରୁ ଜୀବିକା ସାଉଁଟି ଆସୁଛନ୍ତି ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନେ । ଏଥିଲାଗି ଏହାକୁ ନିଜ ମା’ ଭଳି ପୂଜା କରିଆସୁଛନ୍ତି । ପାଦେପାଦେ ସୁରକ୍ଷା ଦେଇ ଆସୁଛନ୍ତି । ଏହି ଆଦିମ ଅଧିବାସୀମାନେ ନିରକ୍ଷର ସତ, ଅଥଚ ନିର୍ବିକାର ଭାବେ ପ୍ରକୃତିର ନିୟମକୁ ଜାବୁଡ଼ି ଧରିଛନ୍ତି । ଭଲ ଭାବେ ବୁଝିଛନ୍ତି ଯେ, ଏ ପାହାଡ଼, ଝରଣା ଓ ବୃକ୍ଷଲତା ଲୋପ ପାଇଗଲେ ଜୀବଜଗତର ଆଉ ସତ୍ତା ରହିବ ନାହିଁ । ଖାସ୍‌ ସେଇଥିପାଇଁ କେଉଁ ଅନାଦି କାଳରୁ ଡଙ୍ଗରିଆମାନେ ନିୟମଗିରିକୁ ଜଗି ଆସୁଛନ୍ତି । ଡଙ୍ଗରରେ ରହୁଥିବାରୁ ନାଁ ସେମାନଙ୍କର ଡଙ୍ଗରିଆ ।

 ସମୁଦ୍ର ପତ୍ତନଠାରୁ ପ୍ରାୟ ୬ ହଜାର ଫୁଟ୍‌ ଉଚ୍ଚରେ ରହିଛି ଏହି ପାହାଡ଼ । ଏଠାରେ ରହୁଛନ୍ତି ୧୧୨ ଗାଁର ପ୍ରାୟ ୧୫ ହଜାର ଡଙ୍ଗରିଆ । କଲ୍ୟାଣସିଂହପୁର, ମୁନିଗୁଡ଼ା, ବିଷମକଟକ ସମେତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ରେ ରହିଛି ଏସବୁ ଗାଁ । ଏଠି ସବୁକିଛି ପରିଚାଳିତ ହୁଏ ନିୟମ ରାଜାଙ୍କ ନିୟମରେ । ଘଞ୍ଚ ଜଙ୍ଗଲର ଅଧିକାଂଶ ସ୍ଥାନକୁ ଆଜି ବି ଭେଦିପାରିନି ସୂର୍ଯ୍ୟାଲୋକ । ଆଧୁନିକତାଠାରୁ ବହୁ ଦୂରରେ ଆଜି ବି ଏଠାକାର ବନବାସୀ । ପିଢ଼ି ପରେ ପିଢ଼ି ଏହି ପାହାଡ଼କୁ ସୁରକ୍ଷା ଦେଇ ଆସିଛନ୍ତି । କିମ୍ବଦନ୍ତୀ କହେ, ଏକଦା ମହାଦେବ ନିୟମଗିରି ପାହାଡ଼କୁ ଆସି କିଛିବର୍ଷ ଧ୍ୟାନ କରିଥିଲେ । ସେଥିପାଇଁ ଶୈବ ସଂସ୍କୃତି ସହ ନିୟମଗିରିର ସମ୍ପର୍କ ବହୁ ପୁରୁଣା । ଉଭୟ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଜଳ ଯୋଗାଉଛି ଏ ପାହାଡ଼ । ଏଠାରୁ ବାହାରିଛି ଅସଂଖ୍ୟ ଝରଣା ଏବଂ ସେଥିରୁ ସୃଷ୍ଟି ହୋଇଛି ବହୁ ନଦୀନାଳ । ବଂଶଧାରା, ନାଗାବଳୀ ଓ କଲ୍ୟାଣୀ ନଦୀ ଏ ପାହାଡ଼ ପାଦଦେଶରୁ ବାହାରି ସୁଦୂର ଆନ୍ଧ୍ରପ୍ରଦେଶଠାରେ ସମୁଦ୍ରରେ ମିଶିଛି ।

 କେବଳ ଓଡ଼ିଶା ନୁହେଁ ଆନ୍ଧ୍ରର ପାର୍ବତୀପୁରମ୍‌, ବିଜୟନଗରମ୍‌ ଏବଂ ଶ୍ରୀକାକୁଲମ୍‌ ଜିଲ୍ଲାର ଅନେକ ଅଞ୍ଚଳକୁ ଜଳ ଯୋଗାଉଛି ନିୟମଗିରି । ଏଥିସହ ଏଠାରୁ ବିଭିନ୍ନ ସ୍ଥାନକୁ ଯାଉଛି ଶିଆଳି ପତ୍ର, ଝୁଣା ଓ ଝାଡୁଠାରୁ ଆରମ୍ଭ କରି ସପୁରୀ, କମଳା, ତେନ୍ତୁଳି, ଆମ୍ବ, ପଣସ, ଖଜୁରୀ, କାଜୁ, ପାଳୁଅ ଓ ଅନ୍ୟାନ୍ୟ ଜଙ୍ଗଲଜାତ ସମ୍ପଦ । ହାତୀ, ହରିଣ, ଭାଲୁ, ଠେକୁଆ, ବିଲୁଆ, ନେଉଳ, ମୟୂର, ହେଟାବାଘ ଭଳି ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀ ଭାବେ ବେଶ୍‌ ପରିଚିତ ନିୟମଗିରି । ଜୈବ ବିବିଧତା ଭିତରେ ଏହାର ଅବସ୍ଥିତି । ଏଠାରେ ରହିଛି ପ୍ରାୟ ୭୫ ମିଲିୟନ ଟନ୍‌ ବକ୍ସାଇଟ୍‌ । ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ କଳ, ବଳ ଓ କୌଶଳ ଖଟାଇ ଜିଲ୍ଲାର ବିଭିନ୍ନ ପାହାଡ଼ରେ ଗଚ୍ଛିତ ଥିବା ଖଣିକୁ ନିଜ ଅକ୍ତିଆରକୁ ନେଇଥିଲେ ବି ନିୟମଗିରିରେ ଆଜିପର୍ଯ୍ୟନ୍ତ ହାତ ମାରିପାରି ନାହାନ୍ତି । ଏହାର ଏକମାତ୍ର କାରଣ ହେଲା ଏହାକୁ ଜଗିଛନ୍ତି ଡଙ୍ଗରିଆ । 

ନିୟମରାଜାଙ୍କଠାରୁ ବୁଝିଛନ୍ତି ପ୍ରାକୃତିକ ପରିବେଶ ଓ ପାହାଡ଼ର ମୂଲ୍ୟ । ଡଙ୍ଗର ଦେବତାଙ୍କୁ ସେମାନେ ପୂଜା କରି ଆସୁଛନ୍ତି । ନିୟମରାଜା ନିୟମକୁ କେବେହେଲେ ଅବମାନନା କରି ନାହାନ୍ତି  । ଏଥିଲାଗି ଅନେକଥର ସେମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ରକ୍ତର ନଦୀ ବୋହିବ ପଛେ, ନିୟମଗିରିରେ କେବେହେଲେ ଖଣି ଖନନ କରାଇ ଦେବେନି । ସେମାନଙ୍କ ବିରୋଧକୁ ସମ୍ମତି ଜଣାଇ ସୁପ୍ରିମକାର୍ଟ ସେହି ଅଞ୍ଚଳରେ ଗ୍ରାମସଭା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାଂସ୍କୃତିକ ଓ ଧାର୍ମିକ ଅଧିକାରକୁ ନେଇ ଦେଶରେ ପ୍ରଥମଥର ପାଇଁ ଏଠାରେ ଅନୁଷ୍ଠିତ ହୋଇଥିଲା ଗ୍ରାମସଭା । ନିୟମଗିରିରେ ହାତ ମାରିଲେ ଅସ୍ତ୍ର ଉଠାଇବାକୁ ବାଧ୍ୟ ହେବେ ବାଲି ଗ୍ରାମସଭାରେ ଚରମବାଣୀ ଶୁଣାଇଥିଲେ ସେଠାକାର ଅଧିବାସୀ । ସମସ୍ତେ ଗୋଟିଏ ସ୍ୱରରେ କହିଥିଲେ, ନିୟମଗିରି ସହିତ ଡଙ୍ଗରିଆକନ୍ଧ ଓ ଝରଣିଆ କନ୍ଧଙ୍କ ସମ୍ପର୍କ ଯୁଗ ଯୁଗର । 

ଆହୁରି ପଢନ୍ତୁ-ରାଜ୍ୟସଭା ଭୋଟ ଟେନ୍‌ସନ୍; ଭକ୍ତଙ୍କ ନିଦ ହଜାଇଲେଣି ୩ ବିଧାୟକ,ବିଜେଡ଼ିର ଚିନ୍ତା ବଢ଼ାଇଲେ ଚକ୍ରମଣୀ,ନବ ଓ ସୌଭିକ

ନିୟମଗିରିର ଦେବତା ନିୟମରାଜା ହେଉଛନ୍ତି ସେମାନଙ୍କ ବାପା, ମାଆ ଓ ଇଷ୍ଟ ଦେବତା । କୌଣସି ପରିସ୍ଥିତିରେ ସେମାନେ ନିୟମରାଜାଙ୍କୁ ଛାଡ଼ିବେ ନାହିଁ । କେବଳ ତେଲଲୁଣ ଓ ଶୁଖୁଆ ପାଇଁ ସେମାନେ ହାଟବଜାର ଉପରେ ନିର୍ଭର କରୁଛନ୍ତି । ନହେଲେ ନିୟମ ରାଜାଙ୍କ ଦୟାରୁ ସବୁକିଛି ଏଠାରେ ମହଜୁଦ ରହିଛି । ଭୋକ ହେଲେ କନ୍ଦା ଖାଉଛନ୍ତି, ଶୋଷ ହେଲେ ଝରଣା ପାଣି ପିଉଛନ୍ତି । ନିୟମଗିରି ଉପରେ କେବଳ ଡଙ୍ଗରିଆଙ୍କ ଅଧିକାର ରହିଛି, ଆଉ କାହାରି ନାହିଁ । ସେହିପରି ନିୟମଗିରିରୁ ଖଣି ଖନନ କଥା ମନରୁ ଲିଭାଇ ଦେବାକୁ ଚେତାବନୀ ଦେଇଆସୁଛି ନିୟମଗିରି ସୁରକ୍ଷା ସମିତି । ଡଙ୍ଗରିଆଙ୍କ ପ୍ରତିବାଦ ଆଗରେ ହାର୍‌ ମାନିଛି ସରକାରୀ କଳ । ଆଉ ଚିର ସବୁଜିମାରେ ହସୁଛି ନିୟମଗିରି।